ହାଇଦ୍ରାବାଦ: ସ୍ବାସ୍ଥ୍ୟ ପାଇଁ ନିଦର ଆବଶ୍ୟକତାକୁ ଜଣାଇବା ଉଦ୍ଦେଶ୍ୟରେ ଅନେକ ସତେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ନିଦ୍ରା ଦିବସ ମଧ୍ୟ ପାଳନ କରାଯାଉଛି । ଏହାର ଅର୍ଥ ଖାଦ୍ୟ ସହ ନିଦ୍ରା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ମାତ୍ର ବର୍ତ୍ତମାନର ଜୀବନଶୈଳୀ ଶୋଇବା ଗୁଣରେ ପ୍ରଭାବ ପକାଉଛି । ଅଧିକାଂଶ ଲୋକେ ସଠିକ୍ ଭାବରେ ଶୋଉନାହାନ୍ତି । ଏକ ନୂତନ ଅଧ୍ୟୟନ ଅନୁସାରେ, ଦିନକୁ 7-8 ଘଣ୍ଟାରୁ କମ୍ ଶୋଇବା ଫଳରେ ହୃଦୟ ସ୍ବାସ୍ଥ୍ୟ ବିପଦରେ ପଡିପାରେ ।
ଯଦି ଆପଣ ପ୍ରତିଦିନ ମାତ୍ର 5 କିମ୍ବା 6 ଘଣ୍ଟା ଶୋଉଛନ୍ତି, ତେବେ ଏହାର ପ୍ରଭାବ ପ୍ରତ୍ୟକ୍ଷ ଭାବରେ ହୃଦୟ ଉପରେ ପଡିପାରେ । ଆଜ୍ଞା ହଁ, ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ, ଦୈନିକ 8 ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କ ମଧ୍ୟରେ ହାତ ଏବଂ ପାଦର ଧମନୀ ସଂକୁଚିତ ହେଉଛି । ଏହା ଆଥେରୋସ୍କ୍ଲେରୋସିସ୍ର ଅନ୍ୟତମ ଲକ୍ଷଣ, ଯେଉଁଥିରେ ଚର୍ବି ଜମା ହେତୁ ଗୋଡ ଏବଂ ହାତରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୁଏ । ସାଧାରଣ PAD(ପେରିଫେରାଲ୍ ଆର୍ସିଆଲ୍ ଡିଜିଜ୍) ଲକ୍ଷଣଗୁଡ଼ିକ ହେଉଛି ଗୋଡର ନିମ୍ନ ଅଂଶରେ ଅସ୍ଥିରତା କିମ୍ବା ଥଣ୍ଡା, ଗୋଡର ସ୍ନାୟୁରେ ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା, ଗୋଡ ଚର୍ମ ରଙ୍ଗର ପରିବର୍ତ୍ତନ ଆଦି ଦେଖାଯାଏ ।
ନିଦ୍ରା ଅଭାବ ଶରୀରକୁ କ୍ଷତି ପହଞ୍ଚାଇପାରେ : ଅଧ୍ୟୟନରୁ ଜଣାପଡିଛି ଯେ, ବିଶ୍ବର 200 ନିୟୁତରୁ ଅଧିକ ଲୋକଙ୍କର PAD ଅଛି । ରାତିରେ ପାଞ୍ଚ ଘଣ୍ଟାରୁ କମ୍ ଶୋଇବା PADର ପ୍ରାୟ ଦ୍ୱିଗୁଣିତ ବିପଦ ସହିତ ଜଡିତ । ଅଳ୍ପ ସମୟ ଶୋଇବା 53,416 ଲୋକଙ୍କ ମଧ୍ୟରେ PADର ଆଶଙ୍କାକୁ ବୃଦ୍ଧି କରିଛି । ଫଳାଫଳଗୁଡିକ ସୂଚିତ କରେ ଯେ, ରାତିରେ କମ୍ ଶୋଇବା ଦ୍ୱାରା PAD ହେବାର ସମ୍ଭାବନା ବଢିପାରେ ।
ଅଧିକ ସମୟ ଶୋଇବା ସମାଧାନ କି ? ନା, ଅଧିକ ସମୟ ଶୋଇବା ଉପରେ ମଧ୍ୟ ଅଧ୍ୟୟନ ଶେଷ ହୋଇଛି, ଏହା ଜଣାପଡିଛି ଯେ, 8 ଘଣ୍ଟାରୁ ଅଧିକ ଶୋଇବା PADର ବିପଦକୁ 24% ବୃଦ୍ଧି କରିଛି । ମନେରଖନ୍ତୁ ଯେ, ଦିନକୁ 7ରୁ 8 ଘଣ୍ଟା ଶୋଇବା ପରେ ପୁଣି ଶୋଇବା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏହା ଅଳସୁଆମିର କାରଣ ହୋଇଥାଏ । ଶରୀର ମାନ୍ଦା ଅବସ୍ଥାରେ ରହିଲେ ମଧ୍ୟ ରୋଗ ମାଡିବସେ । ତେଣୁ ସର୍ବଦା ସଠିକ୍ ସମୟରେ ଶୋଇବା ଏବଂ ସଠିକ ସମୟରେ ଶଯ୍ୟାତ୍ୟାଗ କରିବା ଉପରେ ଧ୍ୟାନ ଦିଅନ୍ତୁ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।