ହାଇଦ୍ରାବାଦ: ପୁଣି ଭାରତରେ ବ୍ୟାପିବ ଚିକେନପକ୍ସ ! ପୂର୍ବରୁ ଅନେକ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ନିକଟରେ ବୈଜ୍ଞାନିକମାନେ ଚିକେନପକ୍ସର ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି । ଚିକେନପକ୍ସର ଏହି ନୂଆ ଭାରିଆଣ୍ଟକୁ କ୍ଲାଡ-9 ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ଭାରିଆଣ୍ଟ ଭାରତରେ ଚିହ୍ନଟ ହୋଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି ।
ତେବେ ଚିକେନପକ୍ସରେ ପୀଡିତ ଲୋକମାନଙ୍କ ନମୁନା ଯାଞ୍ଚ କରୁଥିବା ବେଳେ ଏହି ଭାରିଆଣ୍ଟ ମିଳିଥିବା ନେଇ ସୂଚନା ରହିଛି । ଭ୍ୟାରିକୋଲା ଜୋଷ୍ଟର ଭୂତାଣୁ ଯୋଗୁଁ ଚିକେନପକ୍ସ ହୋଇଥାଏ । ତେବେ ଏହି ଚିକେନପକ୍ସର ନୂଆ ଭାରିଆଣ୍ଟ କ୍ଲେଡ-9 ଭାରତରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ବେଳେ ଏହା ପୂର୍ବରୁ ଆମେରିକା, ବ୍ରିଟେନ, ଜର୍ମାନୀ ଭଳି ଦେଶରେ ଚିହ୍ନଟ ହୋଇଛି । ଭାରତରେ ଚିକେନପକ୍ସର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାର ନିରାକରଣ ଏବଂ ଚିକିତ୍ସା ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ନିବେଦନ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଭାଇରସ କାଶିବା ଛିଙ୍କିବା ଦ୍ବାରା ମଧ୍ୟ ବ୍ୟାପିଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି ।
ଚିକେନପକ୍ସର ନୂଆ ଭାରିଆଣ୍ଟ କ୍ଲେଡ-9ର ଲକ୍ଷଣ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ଚିକେନପକ୍ସ ଭାରିଆଣ୍ଟ ସଂସ୍ପର୍ଶରେ ଆସିବା ପରେ ଆସିବା ପରେ ମଧ୍ୟ ତୁରନ୍ତ ରୋଗର ଲକ୍ଷଣ ଦେଖାଯାଏ ନାହିଁ । ଚିକେନପକ୍ସର ଲକ୍ଷଣ ରୋଗୀର ଶରୀରରେ ଦେଖାଯିବା ପାଇଁ ଅତି କମରେ ଦୁଇରୁ ତିନି ସପ୍ତାହ ଲାଗିଥାଏ । ପ୍ରଥମେ ଶରୀରରେ ଦାଗ ଦେଖାଯିବା ଆରମ୍ଭ କରେ, ବିଶେଷକରି ଛାତି ଏବଂ ମୁହଁରେ ଦେଖାଯାଏ । ଏହା ପରେ ଶରୀରର ବିଭିନ୍ନ ସ୍ଥାନରେ ଛୋଟ ନାଲି ରଙ୍ଗ ଚିହ୍ନ ଦେଖାଯାଇଥାଏ । ଏହି ଦାଗ ଗୁଡିକ ପାଣିରେ ଭର୍ତ୍ତି ହେଲା ଭଳି ଦେଖାଯାଉଥିବା ବେଳେ କୁଣ୍ଡେଇ ମଧ୍ୟ ହୁଏ । ଏହା ପୂର୍ବରୁ ରୋଗୀ ଜ୍ୱରରେ ମଧ୍ୟ ପୀଡିତ ହୋଇଥାଏ । ବେଳେବେଳେ ଶରୀରରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇଥାଏ । ରୋଗୀର ଭୋକ କମିଯିବା ସହିତ କ୍ଲାନ୍ତ ଏବଂ ଦୁର୍ବଳ ହୋଇଥାଏ ।
କ୍ଲେଡ-9 ଭାରିଆଣ୍ଟରୁ ବର୍ତ୍ତିବାର ଉପାୟ: ଏହାକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଟୀକାକରଣ । ଏହା ବ୍ୟତୀତ ସ୍ୱଚ୍ଛତା ବଜାୟ ରଖିବା ଜରୁରୀ ଅଟେ । ଖାଦ୍ୟ ଖାଇବା କିମ୍ବା ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ଧୁଅନ୍ତୁ । କାଶ ଏବଂ ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାଇ ରଖନ୍ତୁ । ଶରୀରରେ ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଶରୀରକୁ ଡିହାଇଡ୍ରେଟ ହେବାରୁ ବଞ୍ଚାନ୍ତୁ । ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଚିକେନପକ୍ସର ଲକ୍ଷଣ ଦେଖାଯାଉଛି ତାହାଲେ କ୍ବାରେଣ୍ଟାଇନରେ ରହିବା ଉଚିତ୍ । ବିଶେଷ କରି ଗର୍ଭବତୀ ମହିଳା, ନବଜାତ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ। ତେବେ ଏହି ଭାଇରସରେ ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇନଥିବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।