ଭିଏନା(ଅଷ୍ଟ୍ରିଆ): ଅଗ୍ନାଶୟ କ୍ୟାନ୍ସର(pancreatic cancer) ଚିହ୍ନଟ କରିପାରୁନି CT ଏବଂ MRI ସ୍କାନ । କାହିଁକି ସ୍କାନର୍ରେ ମଧ୍ୟ ରୋଗ ନିର୍ଣ୍ଣୟ ହୋଇପାରୁ ନାହିଁ, ସେ' ଉପରେ ଅନୁସନ୍ଧାନକାରୀ ଏକ ଅଧ୍ୟୟନ କରିଛନ୍ତି (Researchers reveal failures in process of detecting pancreatic cancer) । ଏହି ଅଧ୍ୟୟନରେ ପୋଷ୍ଟ-ଇମେଜିଙ୍ଗ୍ ପାନକ୍ରିୟାସ୍ କ୍ୟାନ୍ସର (PIPC) ମାମଲା ବିଶ୍ଳେଷଣ କରାଯାଇଥିଲା । ଏଥିରେ ଜଣେ ରୋଗୀଙ୍କର ଇମେଜିଙ୍ଗ୍ କରିବା ପରେ କିପରି ଅଗ୍ନାଶୟ କର୍କଟ ଚିହ୍ନଟ ହେଉନାହିଁ ଏବଂ ପରବର୍ତ୍ତୀ ସମୟରେ ରୋଗ ନିର୍ଣ୍ଣୟ ହେଉଛି ସେ' ଉପରେ ତର୍ଜମା କରାଯାଇଥିଲା ।
ବ୍ରିଟେନର ଅନୁସନ୍ଧାନକାରୀ 2016ରୁ 2021 ମଧ୍ୟରେ ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ 600 ରୋଗୀଙ୍କ ରେକର୍ଡ ଅଧ୍ୟୟନ କରିଥିଲେ । ସେଥିମଧ୍ୟରୁ 46 (7.7%) ରୋଗୀ ପ୍ରଥମ ସ୍କାନ୍ ମାଧ୍ୟମରେ ସେମାନଙ୍କର କର୍କଟ ରୋଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ, କିନ୍ତୁ ପରେ 3ରୁ 18 ମାସ ମଧ୍ୟରେ ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ କରାଯାଇଥିଲା ।
ଏହିପରି ମାମଲାଗୁଡିକୁ ଶ୍ରେଣୀଭୁକ୍ତ କରିବା ଏବଂ କାହିଁକି ଏପରି ହେଉଛି, ଚିହ୍ନଟ କରିବା ପାଇଁ ଏକ ଆଲଗୋରିଦମ ବିକାଶ କରିବାକୁ ରେଡିଓଲୋଜିଷ୍ଟଙ୍କ ଦ୍ବାରା CT ଏବଂ MRI ପ୍ରତିଛବିଗୁଡିକୁ ସମୀକ୍ଷା କରାଯାଇଥିଲା । ବ୍ରିଟେନର ବର୍ମିଂହାମ ବିଶ୍ୱବିଦ୍ୟାଳୟର ଅଧ୍ୟୟନର ମୁଖ୍ୟ ଲେଖକ ଡ. ନୋଶିନ ଉମାର କହିଛନ୍ତି, "ଆମେ ଆଶା କରୁଛୁ ଏହି ଅଧ୍ୟୟନ ପୋଷ୍ଟ ଇମେଜିଙ୍ଗ ଅଗ୍ନାଶୟ କର୍କଟ ସମସ୍ୟା ଏବଂ ଅଗ୍ନାଶୟ କର୍କଟ ପ୍ରାରମ୍ଭରେ ବଞ୍ଚିତ ହେବାର ସାଧାରଣ କାରଣ ବିଷୟରେ ସଚେତନତା ସୃଷ୍ଟି କରିବ ।"
ସେ ଆହୁରି କହିଛନ୍ତି, "ଏହା ଭବିଷ୍ୟତର ଅଧ୍ୟୟନକୁ ସାହାଯ୍ୟ କରିବ ଏବଂ ଗୁଣାତ୍ମକ ଉନ୍ନତ ପ୍ରୟାସକୁ ମାର୍ଗଦର୍ଶନ କରିବ। ଏହାଦ୍ବାରା ଆମେ ଅଗ୍ନାଶୟ କର୍କଟ ରୋଗର ଶୀଘ୍ର ନିରାକରଣ ହେବାର ସମ୍ଭାବନା ବୃଦ୍ଧି କରି ପାରିବା । ଫଳରେ ଏକ ବହୁମୂଲ୍ୟ ଜୀବନ ବଞ୍ଚିଯାଇ ପାରିବ ।" ପ୍ରତିବର୍ଷ ୟୁଏଇରେ ଏହି କାରଣରୁ 95,000 ଜଣଙ୍କ ମୃତ୍ୟୁ ଘଟୁଛି । ଅନ୍ୟାନ୍ୟ ପ୍ରକାରର କର୍କଟ ଅପେକ୍ଷା ୟୁରୋପରେ ଅଗ୍ନାଶୟ କର୍କଟରେ ଜୀବିତ ରହିବାର ହାର ସର୍ବନିମ୍ନ ରହିଛି । ରୋଗ ନିର୍ଣ୍ଣୟ ବେଳକୁ ଆୟୁଷ ମାତ୍ର 4.6 ମାସ ରହିଥାଏ । 2035 ସୁଦ୍ଧା ଅଗ୍ନାଶୟ କର୍କଟ ରୋଗର ସଂଖ୍ୟା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।
ଏହାର ମୁଖ୍ୟ କାରଣ ଅନେକ ରୋଗୀଙ୍କୁ ବିଳମ୍ବିତ ପର୍ଯ୍ୟାୟରେ ଚିହ୍ନଟ କରାଯାଏ । କାରଣ ଏହି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ଲକ୍ଷଣଗୁଡିକ ଉପସ୍ଥାପନ କରିଥାଏ, ଯାହା ଶୀଘ୍ର ରୋଗ ଚିହ୍ନଟ କରିବା ଦିଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଏହି ଲକ୍ଷଣ ମଧ୍ୟରେ ଜଣ୍ଡିସ, ପେଟ ଏବଂ ପିଠି ଯନ୍ତ୍ରଣା, ଓଜନ ହ୍ରାସ ଏବଂ ବାନ୍ତି ଅନ୍ତର୍ଭୂକ୍ତ ରହିଛି । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରିନିଂ ସମୟରେ ଲକ୍ଷଣ ଚିହ୍ନଟ ହୋଇପାରିନଥାଏ ।