ହାଇଦ୍ରାବାଦ: ସମୟ ବଦଳିବା ସହିତ ବିବାହ ତଥା ଏହାସହିତ ଜଡ଼ିତ ଦାୟିତ୍ବବୋଧତାକୁ ନେଇ ବଦଳୁଛି ସାମାଜିକ ବିଚାରଧାରା । ପୂର୍ବରୁ ବାହାଘରକୁ 'ଆଡଜଷ୍ଟମେଣ୍ଟ' କୁହାଯାଉଥିଲା । ହେଲେ ଆଜିକାଲିର ପିଢି ଏହାକୁ ଭିନ୍ନ ରୂପରେ ଦେଖୁଛନ୍ତି । ଏହି ଆଡଜଷ୍ଟମେଣ୍ଟର ଅଭାବରେ ବହୁ ସମ୍ପର୍କ ଭାଙ୍ଗି ଯାଉଛି କିମ୍ବା ଦମ୍ପତିଙ୍କ ମଧ୍ୟରେ ଲଢେଇ ହେଉଛି । ଆଗ ଅପେକ୍ଷା ଏବେ ଅଧିକ ଛାଡ଼ପତ୍ର(Divorce) ହେଉଥିବା ଦେଖିବାକୁ ମିଳିଛି ।
ଚିନ୍ତାର ବିଷୟ ଯେ ଏହି ଲୋକଙ୍କ ମଧ୍ୟରେ ଅଧିକ ନବଦମ୍ପତି ରହିଛନ୍ତି । ଏହି କାରଣରୁ ଭବିଷ୍ୟତ ଦମ୍ପତିଙ୍କୁ ବିବାହ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ବିବାହ ପୂର୍ବରୁ ବୈବାହିକ ଜୀବନ ଉପରେ ପରାମର୍ଶ ଦେବା ଅଭ୍ୟାସ ବା ପ୍ରି-ମ୍ୟାରେଜ କାଉନସେଲିଂ ଏବେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଇଟିଭି ଭରତ ସୁଖୀଭବଃ ବେଙ୍ଗାଲୁରୁର ପାରିବାରିକ ପରାମର୍ଶଦାତା ତଥା ମନୋବିଜ୍ଞାନୀ ସ୍ନେହା ଅଲଘଙ୍କ ସହ ଆଲୋଚନା କରିଛି ।
- ପ୍ରି-ମ୍ୟାରେଜ କାଉନସେଲିଂର ଆବଶ୍ୟକତା
ପରାମର୍ଶଦାତା ସ୍ନେହା ଅଲଘ ସ୍ପଷ୍ଟ କରିଛନ୍ତି ଯେ ଆଜିକାଲି ବିବାହ ପୂର୍ବରୁ ପାରସ୍ପରିକ ସମନ୍ବୟ ସ୍ଥାପନ କରିବା, ସେମାନଙ୍କ ସାଥୀଙ୍କୁ ବୁଝିବା ନିହାତି ଆବଶ୍ୟକ । ବିବାହ ପରେ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଏବେ ବିବାହ ପୂର୍ବରୁ ଭବିଷ୍ୟତରେ ହେବାକୁ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ଲାଗି ଏହି ପ୍ରିମ୍ୟାରେଜ କାଉନସେଲିଂର ଆରମ୍ଭ ହୋଇଛି । ପରାମର୍ଶଦାତା କହିଛନ୍ତି ଯେ ବର୍ତ୍ତମାନ ବିବାହ ସମ୍ବନ୍ଧରେ ଯୁବକମାନଙ୍କ ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଆସିଛି। ଆଜିର ଯୁଗରେ ଅଧିକାଂଶ ମହିଳା ଏବଂ ପୁରୁଷ ନିଯୁକ୍ତି ପାଇଛନ୍ତି ।
ଉଭୟ ରୋଜଗାର କରନ୍ତି । କିନ୍ତୁ ଯେତେବେଳେ ଘରର ଦାୟିତ୍ବ କଥା ଆସେ ସେତେବେଳେ ଅଧିକାଂଶ ମହିଳାଙ୍କ ଉପରେ ଉଭୟ ଘର ଏବଂ ବାହାର ଦାୟିତ୍ବ ଆସିଥାଏ । କେବଳ ଏତିକି ନୁହେଁ, ଅନେକ କ୍ଷେତ୍ରରେ ଶିଶୁ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କର ଦାୟିତ୍ବ ମଧ୍ୟ ଚାପ ସୃଷ୍ଟି କରେ । ଏଗୁଡିକ ବ୍ୟତୀତ ଅନେକ କାରଣ ଅଛି ଯାହା ବିବାହରେ ସମସ୍ୟା ସୃଷ୍ଟି କରିଥାଏ ।
ଏପରି ପରିସ୍ଥିତିରେ ବିବାହ ପୂର୍ବରୁ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏଭଳି ପରାମର୍ଶ ଏକ ମାଧ୍ୟମ ହୋଇପାରେ । ଏହା ଦ୍ବାରା ସେମାନେ ବିବାହ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ପରସ୍ପରର ଚିନ୍ତାଧାରା ଏବଂ ପ୍ରାଥମିକତାକୁ ଭଲ ଭାବରେ ବୁଝିପାରିବେ । ପରବର୍ତ୍ତୀ ସମୟରେ ଏହା ସେମାନଙ୍କୁ ପରସ୍ପର ସହ ଖାପଖୁଆଇବାରେ ସାହାଯ୍ୟ କରିବ ।
- ପ୍ରି-ମ୍ୟାରେଜ କାଉନସେଲିଂର ଉପକାରିତା:-
ଯଦିଓ ଉଚ୍ଚ-ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ବିବାହ ପୂର୍ବର ପରାମର୍ଶ ପ୍ରାୟତଃ ପ୍ରଚଳିତ, କିନ୍ତୁ ଆଜିକାଲି ପ୍ରତ୍ୟେକ ଶ୍ରେଣୀର ଯୁବକମାନଙ୍କ ମଧ୍ୟରେ ଏହାର ଧାରା ବୃଦ୍ଧି ପାଇବାରେ ଲାଗିଛି । ଏହା ଏକ ପ୍ରକାର ଦମ୍ପତି ଥେରାପି ଯେଉଁଥିରେ ଯୁବକମାନେ ସମସ୍ତ ସମସ୍ୟା ଏବଂ ବିଷୟ ଉପରେ ଆଲୋଚନା କରନ୍ତି ଯାହା ବିବାହ ପରେ ସାମ୍ନାକୁ ଆସିଥାଏ । ଏହି ସମୟରେ, ପରସ୍ପରର ଆଚରଣ ଏବଂ ଦୁର୍ବଳତା ଜାଣିବାକୁ ଚେଷ୍ଟା କରନ୍ତି । ଯାହାଫଳରେ ଭବିଷ୍ୟତରେ ଅଧିକ ଅସୁବିଧା ହୁଏ ନାହିଁ । ଯେତେବେଳେ ପରାମର୍ଶଦାତାଙ୍କ ଆଗରେ ବିଭିନ୍ନ ବିଷୟ ବିସ୍ତୃତ ଭାବରେ ଆଲୋଚନା କରାଯାଏ, କୌଣସି ସନ୍ଦେହ କିମ୍ବା ଅସ୍ବାଭାବିକତାକୁ ଦୂର କରିବାରେ ସେମାନଙ୍କର ପରାମର୍ଶ ଅତ୍ୟନ୍ତ ସହାୟକ ହୋଇପାରେ ।
- ପ୍ରି-ମ୍ୟାରେଜ କାଉନସେଲିଂର ଉଦ୍ଦେଶ୍ୟ:-
- ଭବିଷ୍ୟତର ଦମ୍ପତି ପରସ୍ପରର ଚିନ୍ତାଧାରା, ଆଶା ଏବଂ ଭାବନାକୁ ଭଲ ଭାବରେ ବୁଝିବାରେ ସକ୍ଷମ ହେବା ଉଚିତ ।
- ବିବାହ ପରେ କେବଳ ଭଲ କଥାକୁ ନୁହେଁ କୌଣସି ଜଟିଳ ପରିସ୍ଥିତିକୁ ସାମନା କରିବା ପାଇଁ ସେମାନେ ମାନସିକ ରୂପରେ ପ୍ରସ୍ତୁତ ହେବା ଆବଶ୍ୟକ ।
- ପରିବାର, ସମ୍ପର୍କ ତଥା ଅନ୍ୟ ଜରୁରୀ ପ୍ରସଙ୍ଗ ଉପରେ ପରସ୍ପରର ଆଭିମୁଖ୍ୟକୁ ଭଲ ଭାବେ ବୁଝିବା ଆବଶ୍ୟକ ।
- ଉଭୟ ପରସ୍ପରର ଆର୍ଥିକ, ପାରିବାରିକ ତଥା ସାମାଜିକ ଅବସ୍ଥା ଏବଂ ଦାୟିତ୍ବବୋଧ ସମ୍ପର୍କରେ ଜାଣିବା ସହିତ ଏହାକୁ ବୁଝିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ