ନବଜାତ ଛୁଆ ସମଗ୍ର ପରିବାର ପାଇଁ ଆଣିଦେଇଥାଏ ଅସୀମିତ ଆନନ୍ଦ । କିନ୍ତୁ ଏଥିସହ ନବଜାତର ଯତ୍ନ ନେବା ପାଇଁ ଅନେକ ଦାୟିତ୍ୱ ବି ମୁଣ୍ଡକୁ ନେବାକୁ ପଡେ । ଛୁଆମାନେ କିଛି କହିବାରେ ସମର୍ଥ ନ ଥିବାରୁ ସେମାନଙ୍କ ଯତ୍ନ ନେବା ବେଳେ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ।
ନବଜାତର ଯତ୍ନର ଗୁରୁତ୍ୱ ସଂପର୍କରେ ସଚେତନତା ପ୍ରସାର ପାଇଁ ପ୍ରତିବର୍ଷ ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ନବଜାତ ଯତ୍ନ ସପ୍ତାହ ବା ‘ନିଉବର୍ଣ୍ଣ କେୟାର ୱିକ୍’ । ଭାରତର ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ( ଏନଏଚପି ) ଅନୁସାରେ ନିଓନାଟାଲ ପିରିୟଡ ବା ଜନ୍ମର ପ୍ରଥମ ୨୮ ଦିନ ନବଜାତ ଛୁଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ହିଁ ବିଭିନ୍ନ କାରଣରୁ ଅଧିକାଂଶ ନବଜାତଙ୍କ ମୃତ୍ୟୁ ହେବା ଆଶଙ୍କା ରହିଥାଏ । ତେଣୁ ଏହି ନିଓନାଟାଲ ପିରିୟଡ ବା ପ୍ରଥମ ୨୮ ଦିନରେ ଛୁଆର ଯତ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡେ । ଏହାଛଡା ଜନ୍ମର ପ୍ରଥମ ମାସ ଛୁଆର ଜୀବନବ୍ୟାପୀ ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧିର ମୂଳଦୁଆ ପକାଇଥାଏ ।
କ’ଣ କହେ ପରିସଂଖ୍ୟାନ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୧୯୯୦ ମସିହାରେ ବିଶ୍ୱରେ ନବଜାତଙ୍କ ମୃତ୍ୟୁସଂଖ୍ୟା ୫ ମିଲିଅନ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ହ୍ରାସ ପାଇ ଦୁଇ ଦଶମିକ ୪ ମିଲିଅନକୁ ଖସି ଆସିଛି । ନବଜାତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଜନ୍ମହେବାର ପ୍ରଥମ ୨୮ ଦିନରେ ନବଜାତଙ୍କ ମୃତ୍ୟୁ ଆଶଙ୍କା ଅଧିକ ଥାଏ । ବିଶ୍ୱରେ ୫ ବର୍ଷରୁ କମ ବୟସ୍କ ଶିଶଙ୍କୁ ମୃତ୍ୟୁ ସଂଖ୍ୟା ଯଦି ବିଚାରକୁ ନେବା, ତାହା ହେଲେ ନବଜାତଙ୍କ ମୃତ୍ୟୁ ସଂଖ୍ୟା ୪୫ ପ୍ରତିଶତ । ପ୍ରତିବର୍ଷ ୨ ଦଶମିକ ୭ ମିଲିୟନ ଛୁଆ ପ୍ରାଣ ହରାନ୍ତି । ଏହାଛଡା ଗର୍ଭଧାରଣର ଶେଷ ତିନି ମାସ ବା ପ୍ରସବ ବେଳେ ( ମୃତଶିଶୁ ବା ଷ୍ଟିଲବର୍ଣ୍ଣ ) ୨ ଦଶମିକ ୬ ମିଲିଅନ ନବଜାତ ପ୍ରାଣ ହରାଇଥାନ୍ତି ।
୨୦୧୬ ମସିହାରେ ୨ ଦଶମିକ ୬ ମିଲିଅନ ଛୁଆ ଜନ୍ମ ହେବାର ମାସକ ମଧ୍ୟରେ ବିଭିନ୍ନ ରୋଗ ଓ ଜଟିଳ ସ୍ଥିତି ଯୋଗୁଁ ପ୍ରାଣ ହରାଇଥିଲେ । ଉପଯୁକ୍ତ ଗୁଣାତ୍ମକ ଯତ୍ନର ଅଭାବ ନବଜାତଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇପାରେ ।
ନବଜାତଙ୍କ ମୃତ୍ୟୁର କାରଣ
ଅଧିକାଂଶ ନବଜାତଙ୍କ ମୃତ୍ୟୁ ଜନ୍ମର ୨୮ ଦିନ ମଧ୍ୟରେ ହୋଇଥାଏ । ତେବେ ନବଜାତଙ୍କ ମୃତ୍ୟୁ ପଛରେ ବିଭିନ୍ନ କାରଣ ରହିଛି । କିଛି କାରଣ ହେଲା –
- ସମୟ ପୂର୍ବରୁ ଜନ୍ମ
- ପ୍ରସବଜନିତ ଜଟିଳତା
- ନବଜାତ ସଂକ୍ରମଣ
- ଇଂଟ୍ରାପାର୍ଟମ ସଂପର୍କିତ ସମସ୍ୟା
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିଓନାଟାଲ ପିରିୟଡ ( ଜନ୍ମର ପ୍ରଥମ ୨୮ ଦିନ )ର ଶେଷରୁ ୫ ବର୍ଷ ବୟସ ମଧ୍ୟରେ ନିମୋନିଆ, ଡାଇରିଆ, ଜନ୍ମଗତ ତ୍ରୁଟି ଓ ମ୍ୟାଲେରିଆ ଶିଶୁଙ୍କ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ । ଅପପୁଷ୍ଟି ମଧ୍ୟ ଶିଶୁ ମୃତ୍ୟୁର ଆଉ ଏକ କାରଣ । ଅପପୁଷ୍ଟି ଦ୍ୱାରା ବିଭିନ୍ନ ରୋଗରେ ପୀଡିତ ଶିଶୁମାନେ ପୀଡିତ ହୁଅନ୍ତି ।
କେମିତି ନେବେ ନବଜାତର ଯତ୍ନ ?
ଉପରୋକ୍ତ ପରିସଂଖ୍ୟନ ଦେଖିଲେ ଆପଣ ଭାବୁଥିବେ ଯେ, ନବଜାତକୁ କିଭଳି ଯତ୍ନ ଦରକାର । ନବଜାତ ଛୁଆଙ୍କ ଯତ୍ନ ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କିଛି ସୁପାରିଶ ରହିଛି ।
ସବୁ ଛୁଆଙ୍କ ପାଇଁ ନିମ୍ନଲିଖିତ ଯତ୍ନ ଆବଶ୍ୟକ ।
- ଥର୍ମାଲ ପ୍ରୋଟେକସନ
- ପରିଷ୍କାର ଗର୍ଭନଳୀ ଓ ତ୍ୱଚା ଯତ୍ନ
- ଶୀଘ୍ର ଓ ଏକ୍ସକ୍ଲୁସିଭ ବ୍ରେଷ୍ଟଫିଡିଂ
- ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସଂକେତର ସମୀକ୍ଷା ଓ ଅତିରିକ୍ତ ଯତ୍ନ
- ପ୍ରତିକାରମୂଳକ ଉପଚାର
ପରିବାର ପାଇଁ ପରାମର୍ଶ
- ନବଜାତଠାରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରୀ ସହାୟତା ନିଅନ୍ତୁ ।
- ଜନ୍ମ ପଂଜିକରଣ କରନ୍ତୁ ।
- ଜାତୀୟ କାର୍ଯ୍ୟସୂଚୀ ଅନୁସାରେ ଠିକ୍ ସମୟରେ ଛୁଆର ଟିକାକରଣ କରନ୍ତୁ ।
କୋଭିଡ-୧୯ ଓ ନବଜାତ ଯତ୍ନ
ଗର୍ଭଧାରଣ ଓ ପ୍ରସବ ବେଳେ ବା ସ୍ତନପାନ ବେଳେ ମାଆଠାରୁ ଛୁଆକୁ କୋରୋନା ଭାଇରସ ସଂକ୍ରମଣ ହୁଏ କି ନାହିଁ, ତାହା ଏ ଯାଏଁ ବି ଜଣାପଡିନାହିଁ । କିନ୍ତୁ ଏ ଦିଗରେ ସତର୍କତା ଅବଲମ୍ବନ କଲେ ହିଁ ହିତକାରକ ହୋଇଥାଏ । ଏଥିପାଇଁ ସେଂଟର ଫର୍ ଡିଜିଜ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ ( ସିଡିସି ) ପକ୍ଷରୁ କିଛି ପଦକ୍ଷେପ ସଂପର୍କରେ ସୁପାରିଶ କରାଯାଇଛି ।
ଯଦି ଆପଣ କୋଭିଡ ପଜିଟିଭ ହୁଅନ୍ତି, ତାହା ହେଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନବଜାତ ସହ ଏକା ରୁମରେ ଆପଣ ରହିପାରିବେ କି ନାହିଁ , ତାହା ପଚାରି ବୁଝନ୍ତୁ ।
- ନବଜାତକୁ ଧରିବା ଆଗରୁ ସାବୁନ ପାଣିରେ ହାତକୁ ଅତି କମରେ ୨୦ ସେକେଣ୍ଡ ଯାଏଁ ଭଲ ଭାବେ ଧୁଅନ୍ତୁ । ଯଦି ସାବୁନ ଓ ପାଣି ଉପଲବ୍ଧ ନାହିଁ , ତାହା ହେଲେ ୬୦ ପ୍ରତିଶତ ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ ।
- ନବଜାତଠାରୁ ଅନ୍ତତଃ ୬ ଫୁଟ ଦୂରରେ ଥିବା ବେଳେ ମାସ୍କ ପିନ୍ଧନ୍ତୁ । ଛୁଆକୁ ସ୍ତନ୍ୟପାନ କରାଇବା ସମୟରେ ବି ମାସ୍କ ପିନ୍ଧନ୍ତୁ ।
- ନବଜାତକୁ ଆପଣଙ୍କଠାରୁ ୬ ଫୁଟ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ ।
- ହସ୍ପିଟାଲରେ ଫିଜିକାଲ ବ୍ୟାରିଅର ବ୍ୟବହାର ସଂପର୍କରେ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ( ଉଦାହରଣ ସ୍ୱରୂପ ନବଜାତକୁ ଇନକ୍ୟୁବେଟରରେ ରଖିବା ) ।
- ଛୁଆ ମୁହଁରେ ଫେସ୍ ସିଲ୍ଡ ବା ମାସ୍କ ବାନ୍ଧନ୍ତୁ ନାହିଁ । ଫେସ୍ସିଲ୍ଡ ସଡନ୍ ଇନଫାଂଟ୍ ଡେଥ୍ ସିଂଡ୍ରୋମ ( ଏସଆଇଡିଏସ ) ବା ଆକସ୍ମିକ ଶ୍ୱାସରୁଦ୍ଧ ଓ ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରିଥାଏ ।
- ଛୁଆ ପାଇଁ ନିରାପଦ ଶୟନ ବ୍ୟବସ୍ଥା କରନ୍ତୁ । ନିରାପଦ ଶୟନ ଦ୍ୱାରା ଛୁଆମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ ।