ହାଇଦ୍ରାବାଦ: ଆଜି ଜାତୀୟ ସୁରକ୍ଷା ଦିବସ । ଜାତୀୟ ସୁରକ୍ଷା ପରିଷଦ ଦ୍ୱାରା ବିଶେଷ କରି କର୍ମକ୍ଷେତ୍ର ପାଇଁ ରଖାଯାଇଥିବା ସୁରକ୍ଷା ପ୍ରୋଟୋକଲ ଏବଂ ନିୟମ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 4ରେ ଏହି ଦିବସ ପାଳନ କରାଯାଏ । କର୍ମକ୍ଷେତ୍ରରେ ଏକ ନିରାପଦ ପରିବେଶ ବଜାୟ ରଖିବା, କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରତ୍ୟେକ ପ୍ରସଙ୍ଗରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲକ୍ଷ୍ୟ ନେଇ ମଧ୍ୟ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଏ ।
ଜାତୀୟ ସୁରକ୍ଷା ପରିଷଦ ଏହାର ସୁରକ୍ଷା ନିୟମ ଏବଂ ପ୍ରୋଟୋକଲରେ ସଡକ ସୁରକ୍ଷା, କର୍ମକ୍ଷେତ୍ରର ସୁରକ୍ଷା, ମାନବ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିବେଶ ନିରାପତ୍ତା ସମେତ ଅନେକ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଛି । ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଏକ ଥିମ୍(ବିଷୟବସ୍ତୁ) ଉପରେ ପାଳନ କରାଯାଏ । ଚଳିତ ବର୍ଷ ଜାତୀୟ ସୁରକ୍ଷା ଦିବସ 'ଆୱାର୍ ମିଶନ-ଜିରୋ ହାର୍ମ' ଅର୍ଥାତ୍ 'ଆମର ମିଶନ-ଶୂନ୍ୟ କ୍ଷତି' ବିଷୟବସ୍ତୁ ଉପରେ ପାଳନ କରାଯାଉଛି ।
ଜାତୀୟ ସୁରକ୍ଷା ଦିବସ ଇତିହାସ: 1972 ମସିହାରେ ପ୍ରଥମ ଥର ପାଇଁ ଜାତୀୟ ସୁରକ୍ଷା ଦିବସ ଆୟୋଜିତ ହୋଇଥିଲା । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଭାରତରେ ପ୍ରଥମ ଶିଳ୍ପ ସୁରକ୍ଷା ସମ୍ମିଳନୀ ପରେ ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା । ସେବେଠାରୁ ଦେଶର ସମସ୍ତ କାର୍ଯ୍ୟାଳୟରେ ଏକ ନିରାପଦ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଉଛି । ଉଲ୍ଲେଖନୀୟ କଥା ହେଉଛି, 1966 ମସିହାରେ ମୁମ୍ବାଇ ସୋସାଇଟି ଆକ୍ଟ ଅନୁଯାୟୀ ଜାତୀୟ ସୁରକ୍ଷା ପରିଷଦ ଗଠନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:- World Hearing Day: ଏସବୁ କାରଣ ପାଇଁ ବଢୁଛି ବଧିରତା ସମସ୍ୟା, ରୁହନ୍ତୁ ସତର୍କ
ଜାତୀୟ ସୁରକ୍ଷା ଦିବସର ଗୁରୁତ୍ୱ: ଅବସ୍ଥାନ ନିର୍ବିଶେଷରେ କୌଣସି ପ୍ରକାରର ଦୁର୍ଘଟଣା କିମ୍ବା ଅପ୍ରତ୍ୟାଶିତ ଘଟଣାକୁ ଏଡାଇବାରେ ଜାତୀୟ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଏ । କର୍ମକ୍ଷେତ୍ରରେ କୌଣସି ଅଘଟଣ ଘଟିବାର ସମ୍ଭାବନାକୁ ହ୍ରାସ କରିବା ପାଇଁ ଏହି ସୁରକ୍ଷା ବ୍ୟବସ୍ଥା ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ଏବଂ ଦୁର୍ଘଟଣା ସମୟରେ ପୀଡିତଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ କାର୍ଯ୍ୟ କରେ ।
ଜାତୀୟ ସୁରକ୍ଷା ସପ୍ତାହ: ଯେହେତୁ ଜାତୀୟ ସୁରକ୍ଷା ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସଚେତନତା କିମ୍ବା ଧ୍ୟାନ ଅଭାବରୁ ଦୁର୍ଘଟଣାକୁ ରୋକିବା ସେହେତୁ ଜାତୀୟ ସୁରକ୍ଷା ଦିବସ ପାଳନକୁ ସପ୍ତାହେ ବ୍ୟାପି କରାଯାଏ । ଏହି ଅବସରରେ ଜାତୀୟ ସୁରକ୍ଷା ସପ୍ତାହ ମଧ୍ୟ ଆୟୋଜିତ ହୋଇଥାଏ, ଯେଉଁଥିରେ ବିଭିନ୍ନ ଅଭିଯାନ ତଥା କାର୍ଯ୍ୟକ୍ରମଗୁଡିକ ଲୋକଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ତଥା ଶିଳ୍ପ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।