ମୁମ୍ବାଇ: ମୁମ୍ବାଇରେ ବ୍ୟାପୁଛି ମିଳିମିଳା(Measles Outbreak In Mumbai) । ଏହି କାରଣରୁ ମୁମ୍ବାଇରେ 3 ଜଣ ପିଲାଙ୍କର ଜୀବନ ଯାଇଥିବା ନେଇ ବମ୍ବେ ମ୍ୟୁନିସିପାଲ କର୍ପୋରେସନ(BMC) ସ୍ପଷ୍ଟ କରିବା ପରେ ଏବେ ସବୁଠି ଛାନିଆ । ଅନୁଧ୍ୟାନ ପାଇଁ ତିନି ଜଣିଆ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ସହରରେ ମିଳିମିଳା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଜନସ୍ୱାସ୍ଥ୍ୟ ପଦକ୍ଷେପ, ପରିଚାଳନା ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ଗଠନ କରିବାରେ ସହାୟତା କରିବ ।
ତେବେ BMC ର ସୂଚନା ଅନୁସାରେ ଗୋବନ୍ଦିରେ ମିଳିମିଳା ସଂକ୍ରମଣ କାରଣରୁ ଗତ 48 ଘଣ୍ଟା ମଧ୍ୟରେ ଜଣେ ଶିଶୁର ପ୍ରାଣହାନୀ ଘଟି ଥିବାବେଳେ 5 ଏବଂ 3 ବର୍ଷର ଦୁଇ ଭାଇଙ୍କର 26 ଓ 27 ଅକ୍ଟୋବରରେ ଜୀବନ ଯାଇଛି । ମଙ୍ଗଳବାର ସୁଦ୍ଧା ବିଏମସି ସହରରେ 29 ଟି ମିଳିମିଳା ମାମଲା ଚିହ୍ନଟ କରିଛି । 50% ଯୁବ ଗୋଷ୍ଠୀଙ୍କୁ ସମ୍ପୂର୍ଣ୍ଣ ମିଳିମିଳା ଟିକା ଦିଆଯାଇ ଥିବାବେଳେ ପ୍ରାଣ ହରାଇଥିବା 3 ଶିଶୁଙ୍କ ଟୀକାକରଣ ହୋଇନଥିବା ଜଣାପଡିଛି । ତେବେ ମିଳିମିଳାର ଲକ୍ଷଣ କ'ଣ ରହିଛି, ପିଲାମାନଙ୍କୁ କିପରି ସଂକ୍ରମଣରୁ ରକ୍ଷା କରିବେ ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି...
ମିଳିମିଳା କ'ଣ ଓ ଏହାର ଲକ୍ଷଣ(Measles Symptoms):-
ମିଳିମିଳା ହେଉଛି ଏକ ସଂକ୍ରାମକ ଭାଇରାଲ୍ ରୋଗ ଯାହା ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ଏବଂ କାଶ ମାଧ୍ୟମରେ ସଂକ୍ରମଣ ହୋଇଥାଏ । ଏହାକୁ ଇଂରାଜୀରେ ମିଜେଲ୍ସ ବା ରୁବେଲା ବା ରେଡ ମିଜେଲ୍ସ(Measles, morbilli, rubeola, or red measles) କୁହାଯାଏ । ଜଣେ ରୋଗୀର ସଂସ୍ପର୍ଶରେ ଆଶିବାର 10 ରୁ 12 ଦିନ ପରେ ଲକ୍ଷଣଗୁଡିକ ଦେଖାଯାଏ । ଏଥିରେ ଶରୀରରେ ଦାଗ, ଉଚ୍ଚ ଜ୍ୱର, ଆଖି ଲାଲ୍ ହୋଇଯିବା ସହ ନାକରୁ ପାଣି ଗଡିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ରୋଗ 5 ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ଦେଖାଯାଏ ।
ଭାଇରାଲ୍ ସଂକ୍ରମଣ ଦୃଷ୍ଟିହୀନତା, ଏନସେଫାଲାଇଟିସ୍, ଅତିରିକ୍ତ ଝାଡ଼ା, ନିମୋନିଆ ଭଳି ଜଟିଳତାର କାରଣ ହୋଇପାରେ । ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପିଥାଏ । ରୋଗ ପ୍ରତିରୋଧକ ଶକ୍ତି ନଥିବା ପ୍ରତି 10ରୁ 9 ଜଣ ପିଲାଙ୍କୁ ସଂକ୍ରମିତ ହୋଇଥାଏ ।
ପିଲାମାନଙ୍କୁ ମିଳିମିଳାରୁ ରକ୍ଷା କରିବେ କିପରି:-
ମିଳିମିଳା ରୋକିବା ପାଇଁ ଟୀକାକରଣ ସର୍ବୋତ୍ତମ ଉପାୟ ବୋଲି ବିଶ୍ୱାସ କରାଯାଏ । ତେଣୁ, ପ୍ରଥମେ ଟୀକାକରଣ କରାଇ ନିଅନ୍ତୁ । ଏଥିସହ ସଂକ୍ରମିତ ପିଲାଙ୍କଠାରୁ ଦୂରେଇ ରଖିବା ସହ ପରିଷ୍କାର ପରିଚ୍ଛନରେ ରଖନ୍ତୁ । କୌଣସି ସାମାନ୍ୟ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପରାମର୍ଶ ଦେଇଛି ଯେ, ସମସ୍ତ ପିଲାଙ୍କୁ ପୃଥକ୍ ଭାବରେ କିମ୍ବା ମିଳିମିଳା-ରୁବେଲା(measles-rubella) କିମ୍ବା ମିଳିମିଳା-ମମ୍ପ୍ସ-ରୁବେଲା (MMR) ମିଶ୍ରଣରେ ମିଳିମିଳା ଟିକା ଦିଆଯାଉ । ପ୍ରଥମ ମିଳିମିଳା ସଟ୍ 9-12 ମାସ ବୟସରେ ଏବଂ ଦ୍ୱିତୀୟ ମାତ୍ରା 16-24 ମାସ ବୟସରେ ଦିଆଯାଉଥିଲା ।