ନବଜାତଟିଏ ଭୂମିଷ୍ଠ ହେଲେ ତା ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଯାଇଥାଏ । ଏହା ହିଁ ତ ସୃଷ୍ଟିର ବୈଚିତ୍ର୍ୟ । ଜନ୍ମଦାତ୍ରୀ ମାଆର କ୍ଷୀର ପାନର ସୌଭାଗ୍ୟ ହାସଲ କରିଥାଏ ଛୁଆ । ମମତାମୟୀ ମାଆ ବି ସନ୍ତାନକୁ କ୍ଷୀର ଖୁଆଇ ମାତୃତ୍ୱର ଅପୂର୍ବ ଆନନ୍ଦ ଲଭିଥାଏ । ହେଲେ କିଛି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଛୁଆ ମାଆକ୍ଷୀରରୁ ବଞ୍ଚିତ ହେବାକୁ ପଡେ। ଛୁଆ ପାଇଁ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ପଡେ। ଏଭଳି ପରିସ୍ଥିତିରେ ମାନବ ଦୁଗ୍ଧ ଭଣ୍ଡାର ବା ହ୍ୟୁମାନ ମିଲ୍କ ବ୍ୟାଙ୍କ ଛୁଆର କାମରେ ଆସେ। ଏ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବଃ ପକ୍ଷରୁସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ କାଟକେଙ୍କ ସହ ଆଲୋଚନା କରାଯାଇଥିଲା । ସେ ଏ ବାବଦରେ କିଛି ଉପାଦେୟ ତଥ୍ୟ ରଖିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ମାନବ ଦୁଗ୍ଧ ବା କ୍ଷୀର ବ୍ୟାଙ୍କିଂ କଣ ?
ଏହା ଏମିତି ଏକ ବ୍ୟବସ୍ଥା, ଯେଉଁଠି କି ମାଆମାନେ କ୍ଷୀର ଦାନ କରନ୍ତି । ଇଚ୍ଛୁକ ମା'ଙ୍କ ଠାରୁ ହ୍ୟାଣ୍ଡ ଏକ୍ସପ୍ରେସନ ବା ବ୍ରେଷ୍ଟ ପମ୍ପ ଦ୍ୱାରା କ୍ଷୀର ସଂଗ୍ରହ କରାଯାଏ । ଦାନ କରାଯାଇଥିବା କ୍ଷୀରର ମାନ ପରୀକ୍ଷଣ ହେଲା ପରେ ଏହା ସଂରକ୍ଷଣ କରାଯାଏ । ମାଆ କ୍ଷୀରରୁ ବଞ୍ଚିତ ହେଉଥିବା ଛୁଆମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ବ୍ୟବସ୍ଥା ।
କିଏ ମାନବ କ୍ଷୀର ଦାନ କରିପାରିବେ ?
ଏଚଆଇଭି, ହେପାଟାଇଟିସ ବି ଓ ସିଫିଲିସ ନ ଥିବା ଇଚ୍ଛୁକ ମାଆମାନେ ମିଲ୍କ ବ୍ୟାଙ୍କକୁ କ୍ଷୀର ଦାନ କରିପାରିବେ । ଯେଉଁ ମା' ମାନଙ୍କର ହିମୋଗ୍ଲୋବିନପ୍ରତିଶତ ୧୦ ଗ୍ରାମରୁ ଅଧିକ ରହିଥିବ ଓ ଯେଉଁମାନେ କୌଣସି ଗୁରୁତର ମେଡିକାଲ କଣ୍ଡିସନରେ ପୀଡିତ ନ ଥିବେ, ସେମାନେ ବି କ୍ଷୀର ଦାନ କରିପାରିବେ ।
ମୁମ୍ବାଇର ସିଏଏମଏ ଓ ଅଲ୍ୱଲେସ ହସ୍ପିଟାଲରେ ହ୍ୟୁମାନ ମିଲ୍କ ବ୍ୟାଙ୍କ ୨୦୦୮ ମସିହାରେ ପ୍ରତିଷ୍ଠା ହେବାପରଠାରୁ ଏହି ମିଲ୍କ ବ୍ୟାଙ୍କ ୧୫ ହଜାର ୨୬୧ ରୁ ଅଧିକ ଛୁଆଙ୍କୁ କ୍ଷୀର ଯୋଗାଇବାରେ ସହାୟକ ହୋଇଛି। ଏଥିମଧ୍ୟରୁ ୬ ହଜାର ଛୁଆ ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ ( ଏନଆଇସିୟୁ ) ରେରହିଥିଲେ ।
ହ୍ୟୁମାନ ମିଲ୍କ ବ୍ୟାଙ୍କର ଉପକାରିତା କଣ ?
. ଜନ୍ମ ପରେ ଅପଚରା ହୋଇଯାଇଥିବା ଛୁଆ ଓ ପ୍ରସବ ପରେ ମାଆକୁ ହରାଇଥିବା ଛୁଆମାନେ ମିଲ୍କ ବ୍ୟାଙ୍କ ଦ୍ୱାରା ଉପକୃତ ହୋଇପାରିବେ।
. କୌଣସି ଗୁରୁତର ରୋଗରେ ପୀଡିତ ଥିବା ମାଆର ଛୁଆ ବି ମିଲ୍କ ବ୍ୟାଙ୍କ ସହାୟକ ହୋଇପାରିବ ।
. ଭଲ କ୍ଷୀର ହେଉ ନ ଥିବା ମାଆଙ୍କର ଛୁଆମାନେ ବି ମିଲ୍କ ବ୍ୟାଙ୍କ ଉପରେ ନିର୍ଭର ହୋଇପାରିବେ ।
. ଜନ୍ମ ପରେ କମ ଓଜନ କାରଣରୁ ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟରେ ଭର୍ତ୍ତି ହୋଇଥିବା ଛୁଆମାନଙ୍କୁ ମିଲ୍କ ବ୍ୟାଙ୍କର କ୍ଷୀର ଦରକାର ।
. ଜନ୍ମ ହେଲା ପରେ ପରେ ପୋଷ୍ୟ ହେଉଥିବା ଛୁଆଙ୍କୁ ବି ମିଲ୍କ ବ୍ୟାଙ୍କ ସହାୟତା ଦରକାର ।
ଭାରତରେ ମିଲ୍କ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କଣ କରିବା ଦରକାର ?
ଯେତେବେଳ ମୁମ୍ବାଇର କାମା ହସ୍ପିଟାଲ ମିଲ୍କ ବ୍ୟାଙ୍କ ଆରମ୍ଭ କଲା, ସେତେବେଳେ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୩ ଲକ୍ଷ ଟଙ୍କା । ଲେବର ଓ ବିଦ୍ୟୁତ ଶୁଳ୍କକୁ ବାଦ ଦେଇ ମିଲ୍କ ବ୍ୟାଙ୍କର ରକ୍ଷଣାବେକ୍ଷଣା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ଏହି ସର୍ବ ନିମ୍ନ ଖର୍ଚ୍ଚରେ ପ୍ରତିବର୍ଷ ୧ ହଜାରରୁ ଅଧିକ ଛୁଆ ଏହି ହ୍ୟୁମାନ ମିଲ୍କ ବ୍ୟାଙ୍କ ଦ୍ୱାରା ଉପକୃତ ହୋଇଥାନ୍ତି । ଖର୍ଚ୍ଚ କମ ସତ୍ବେ ଭାରତରେ କମ ସଂଖ୍ୟକ ହ୍ୟୁମାନ ମିଲ୍କ ବ୍ୟାଙ୍କ ରହିଛି । ଯେତିକି ବି ରହିଛି, ତାହା ସବୁ ସରକାରୀ କ୍ଷେତ୍ର ସହ ଜଡିତ। ଆମେରିକା ଭଳି ବ୍ୟବସାୟିକ ହ୍ୟୁମାନ ମିଲ୍କ ବ୍ୟାଙ୍କ ବ୍ୟବସ୍ଥା ଭାରତରେ ନାହିଁ।
ମିଲ୍କ ଡୋନେସନ ନେଇ ଆମେ କିପରି ସଚେତନତା ସୃଷ୍ଟି କରିପାରିବା ? ନାରୀ ଶିକ୍ଷାର ପ୍ରସାର ଜରିଆରେ ମିଲ୍କ ଡୋନେସନ ବାବଦରେ ସଚେତନତା ସୃଷ୍ଟି କରିହେବ। ଅଶିକ୍ଷିତ ମହିଳାମାନଙ୍କୁ ବି ବ୍ରେଷ୍ଟ ମିଲ୍କ ଡୋନେସନ ନେଇ ଉତ୍ସାହିତ କରାଯାଇପାରିବ।