ହାଇଦ୍ରାବାଦ: ହାଣ୍ଡିଶାଳରେ ନିତ୍ୟାନ୍ତ ବ୍ୟବହାର୍ଯ୍ୟ ମସଲା ଭିତରେ ଅଦା ଅନ୍ୟତମ । ଶାକାହାରୀ ଏବଂ ମାଂସାହାରୀ ରୋଷେଇଶାଳରେ ଅଦା ବ୍ୟବହାର କରାଯାଇଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଦାକୁ ରୋଷେଇ କରି ଏହାର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି । କିନ୍ତୁ ଅନ୍ୟ କିଛି ଜଣ ଏହି ଚୋପାକୁ ଚା' କରି ପିଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଦା ଭଳି ଚୋପା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଦାର ଚୋପାକୁ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ଲାଭ ମିଳିଥାଏ । କିଭଳି ଅଦା ଚୋପାକୁ ବ୍ୟବହାର କରିବେ, ନିମ୍ନଲିଖିତ ବିବରଣୀ ଉପରେ ନଜର ପକାନ୍ତୁ...
କଫ ସମସ୍ୟାରୁ ମୁକ୍ତି: ବର୍ତ୍ତମାନ ବର୍ଷା ଋତୁ ପରେ ଶୀତର ଆଗମନ ହେଉଛି । ଏହି ସମୟରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଥଣ୍ଡା, କାଶ ଏବଂ କଫ ହୋଇଥାଏ । ହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟରେ ଅଦା ଚୋପା ଖାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଚା'ରେ ପକାଇ ପିଇ ପାରିବେ । ଏହାସହିତ ଅଦା ଚୋପାକୁ ପାଣିରେ ଫୁଟାଇ ସେଥିରେ 2 ଟାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏହାକୁ ପିଇବା ଦ୍ବାରା ସଙ୍ଗେସଙ୍ଗେ ଥଣ୍ଡା କମି ଯାଇଥାଏ । ଅନ୍ୟପଟେ ଅଦା ଚୋପାକୁ ଶୁଖାଇ ଗୁଣ୍ଡ ମଧ୍ୟ କରିପାରିବେ । ଅଦାଗୁଣ୍ଡରେ ଅଳ୍ପ ମହୁ ମିଶାଇ ଖାଇବା ଦ୍ବାରା ମଧ୍ୟ କାଶ ସମସ୍ଯା ଦୂର ହୋଇଥାଏ ।
ସାର: ଅଦା ଚୋପାକୁ ସାର ଭଳି ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ବାଡି ବଗିଚାରେ ଲଗାଇଥିବା ଗଛରେ ଦେଇପାରିବେ । ଅଦା ଚୋପାକୁ ଗଛରେ ଦେବା ଦ୍ବାରା ଏହା ଏକ ଜୈବିକ ସାର ଭଳି କାମ କରିବ । ଏଥିରେ ଫସଫରସର ମାତ୍ରା ଅଧିକା ରହିଥିବା ବେଳେ ଏହା ଗଛ ବୃଦ୍ଧିରେ ସାହାଯ୍ୟ କରିଥାଏ ।
ପୁଦିନା, ଭୃସଙ୍ଗ, ଧଣିଆ ପତ୍ର, ଭିନେଗାର, ଲେମ୍ବୁରସ ଇତ୍ୟାଦି ବ୍ୟବହାର ଦ୍ବାରା ତରକାରୀର ସ୍ବାଦ ଦ୍ବିଗୁଣିତ ହୋଇଥାଏ । ତେବେ ଏହି କ୍ରମରେ ଅଦା ଚୋପାକୁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତରକାରୀ କରିବା ସମୟରେ ଗୋଟିଏ ଚାମଚ ଅଦା ଚୋପା ବ୍ୟବହାର କରିପାରିବେ । ଏହା ସ୍ବାଦକୁ ଦ୍ବିଗୁଣିତ କରିବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ଅଟେ ।
ଏହା ମଧ୍ୟ ପଢନ୍ତୁ: Autoimmune Diseases: ଏହି ରୋଗର ଚିକିତ୍ସାରେ ସାହାଯ୍ୟ କରେ ଅଦା
ସାଧାରଣତଃ ବ୍ରକୋଲି, ଫୁଲକୋବି ଏବଂ ବନ୍ଧାକୋବିକୁ ରୋଷେଇ କରିବା ସମୟରେ ପ୍ରଥମେ ଏହାକୁ ସିଝା ଯାଇ ପାଣି ବାହାର କରାଯାଇଥାଏ । ଏହା ଦ୍ବାରା ପରିବାର କଞ୍ଚା ଗନ୍ଧ ଦୂର ହୋଇଥାଏ । ଏହି ସମୟରେ ଅଳ୍ପ ପରିମାଣର ଅଦା ଚୋପାକୁ ବ୍ୟବହାର କରିପାରିବେ । ଏହା ଦ୍ବାରା ବାସ୍ନା ମଧ୍ୟ ଭଲ ହୋଇଥାଏ ।
ପରିବାକୁ ବ୍ୟବହାର କରି ସୁପ୍, ତରକାରୀ ଏବଂ ଅନେକ ଖାଦ୍ୟ ପଦାର୍ଥ ବ୍ୟବହାର କରାଯାଇଥାଏ । ତେବେ ଏହି ସମୟରେ ଅଦା ଚୋପା ବ୍ୟବହାର କରିବା ଦ୍ବାରା ବାସ୍ନା ଦ୍ବିଗୁଣିତ ହୋଇଥାଏ ବୋଲି କୁହାଯାଇଛି । ପ୍ରଥମେ ଅଧାକପ୍ ଅଦା ଚୋପାକୁ ନେଇ 6 କପ ପାଣି ଗରମ କରି ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ସେହି ଫୁଟାପାଣିକୁ ସୁପ୍, ତରକାରୀରେ ବ୍ୟବହାର କରିବା ଦ୍ବାରା ଏହାର ସ୍ବାଦ ବଢିଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ