ଆମ ଜୀବନର ପ୍ରତିଟି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବୈପବ୍ଲିକ ପରିବର୍ତ୍ତନ ଆଣିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଭାରତରେ ସ୍ୱାସ୍ଥ୍ୟସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଟେକ୍ନୋଲୋଜି ଦୃଢ ଭାବେ ଆସ୍ଥାନ ଜମାଇ ପାରିନାହିଁ ବୋଲି କୁହାଯାଇପାରିବ । ବିଶେଷ କରି ଆମର ପ୍ରିୟ ସାଧାରଣ ଡାକ୍ତର ଓ ଫ୍ୟାମିଲି ଡାକ୍ତରଙ୍କ କ୍ଲିନିକରେ ଟେକ୍ନୋଲୋଜି ଉପରେ ଆଦୌ ନିର୍ଭର କରାଯାଏ ନାହିଁ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ଓ ପେଷାଦାର ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ଟେକ୍ନୋଲୋଜି ଯୋଗଇବା ପ୍ରସଙ୍ଗେ ଇଟିଭି ଭାରତ ସୁଖିଭବଃ ‘ଟେକ୍ନୋ ମେଡିକ୍ସ’ର ପ୍ରତିଷ୍ଠାତା ସଦସ୍ୟ ଡକ୍ଟର ସୁରଜ ଏ. ଧୀରୱାନିଙ୍କ ସହ ଆଲୋଚନା କରିଥିଲା ।
୨୦୨୦ରେ କୋଭିଡ ମହାମାରୀ ସହ ବିଶ୍ୱରେ ସୃଷ୍ଟି ହୋଇଥିଲା ଅନେକ ଆହ୍ୱାନ । ସବୁ କିଛି ସ୍ୱାଭାବିକ ରହିଲା ନାହିଁ । ଲୋକେ ଘରେ ଅଫିସ କାମ କଲେ । ହସପିଟାଲଗୁଡିକରେ ରୋଗୀଙ୍କ ଉପସ୍ଥାନ କମ୍ ରହିବା ସହ କେବଳ କୋଭିଡ ରୋଗୀଙ୍କ ଚିକିତ୍ସାକୁ ଅଗ୍ରାଧିକାର ଦିଆଗଲା । ଦୈନନ୍ଦିନ ଜୀବନଶୈଳୀରେ ଏମିତି ଅନେକ ପରିବର୍ତ୍ତନ ଆସିଲା । ଲକ୍ଡାଉନ ଓ ସଟ୍ଡାଉନ ଯୋଗୁଁ ସ୍ୱାଭାବିକ ସ୍ଥିତି ରହିଲା ନାହିଁ । ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା । ସଂକ୍ରମଣ ଭୟରେ ରୋଗୀ ଓ ଡାକ୍ତର ପରସ୍ପର ସହ କେମିତି ଯୋଗାଯୋଗ କରିବେ, ତାହା ବଡ ସମସ୍ୟା ହେଲା । ଦ୍ୱନ୍ଦ୍ୱ ସୃଷ୍ଟି ହେଲା । ଓଭରୱାର୍କ କରି କ୍ଲାନ୍ତ ହୋଇପଡିଥିବା ଡାକ୍ତରମାନେ ପିପିିଇ କିଟ ଓ ମାସ୍କ ପିନ୍ଧିଲେ ମଧ୍ୟ ସେମାନଙ୍କ ପୁରୁଣା ରୋଗୀଙ୍କ ରୋଗ ସଂପର୍କିତ ନଥିପତ୍ର ଓ ପ୍ରେସକ୍ରିପସନ ସହ ସଂପୃକ୍ତ ହୋଇପାରିଲେ ନାହିଁ । ରାଗୀଙ୍କ ସହ କନେକ୍ଟ ହେବା ସେମାନଙ୍କ ପାଇଁ ସୃଷ୍ଟି କରିଥିଲା ବଡ ଆହ୍ୱାନ ।
ତେବେ କୋଭିଡ ସମୟରେ ଟେକ୍ନୋଲୋଜି କାମରେ ଆସିଥିଲା । ଏହା ଦ୍ୱାରା ଉଭୟ ରୋଗୀ ଓ ଡାକ୍ତର ଉପକୃତ ହୋଇଥିଲେ । ଟେକ୍ନୋଲୋଜି ପ୍ରୟୋଗ କରି ଯୋଗାଯୋଗର ବିଭିନ୍ନ ମୋଡ୍ ସ୍ଥାପନ କରାଗଲା । ଅନେକ ଡାକ୍ତର ନିଜର ଡୋମେନରେ କୁଇକ୍ ସିଙ୍ଗଲ ପେଜ୍ ୱେବସାଇଟ୍ ପ୍ରସ୍ତୁତ କଲେ । ଏଭଳି ୱେବସାଇଟ ଦ୍ୱାରା ରୋଗୀମାନଙ୍କୁ ଆବଶ୍ୟକୀୟ ସୂଚନା ମିଳିଲା । ସେମାନେ ଟିକେ ଆଶ୍ୱସ୍ତ ହୋଇପାରିଲେ । ଘରେ ବସି ନିଜ ରୋଗର ଉପଚାର ଓ ଡାକ୍ତରଙ୍କ ପରାମର୍ଶ ସମ୍ଭବ ହେଲା । କୌଣସି ଜଟିଳତା ନଥାଇ କମ୍ ଖର୍ଚ୍ଚରେ ଭର୍ଚୁଆଲ ମୋଡ୍ରେ ରୋଗୀ –ଡାକ୍ତର ସାକ୍ଷାତ ସମ୍ଭବ ହୋଇପାରିଲା । ଭିଡିଓ କଲିଂ ପାଇଁ ଡାକ୍ତରମାନେ ସେମାନଙ୍କ ହ୍ୱାଟସଆପ୍ ବିଜନେସ୍, ଜୁମ୍, ଡୁଓ, ସ୍କାଇପ୍ , ଗୁଗଲ ମିଟସ୍ ଓ ଜିଓ ମିଟସରେ ଆକାଉଂଟ ଖୋଲିଲେ । ଗୁଗଲ ଡ୍ରାଇଭ ଓ ମାଇକ୍ରୋସଫ୍ଟ ୱାନ ଡ୍ରାଇଭରେ କ୍ଲାଉଡ୍ ଷ୍ଟୋରେଜ୍ ସଲ୍ୟୁସନ ପାଇଁ ଟେକ୍ନୋ ମେଡିକ୍ସ ପକ୍ଷରୁ ଡାକ୍ତରଙ୍କୁ କେସ୍ ରେକର୍ଡ କ୍ଷେତ୍ରରେ ସହାୟତା କରାଗଲା । ଡିଜିଟାଲ୍ ପେମେଂଟ୍ ବାବଦରେ ଡାକ୍ତରମାନଙ୍କୁ ଆବଶ୍ୟକୀୟ ଟେକ୍ନୋ ଜ୍ଞାନ ଯୋଗାଇ ଦିଆଯାଇଥିଲା ବୋଲି ଡକ୍ଟର ଧୀରୱାନି କହିଛନ୍ତି ।
କେବଳ ଡାକ୍ତର ନୁହନ୍ତି , ରୋଗୀଙ୍କ ପାଇଁ ମଧ୍ୟ ଅନେକ ଆହ୍ୱାନ ଥିଲା । ବିଭିନ୍ନ ଡାକ୍ତରଙ୍କ ଭିନ୍ନ ଭିନ୍ନ ପ୍ରକ୍ରିୟା ଓ ପ୍ରଟୋକଲ ବାବଦରେ ସେମାନେ ବୁଝିବା ଆବଶ୍ୟକ ଥିଲା । ଏ ଦିଗରେ ସରଳ ଟେକ୍ନୋଲୋଜି ଜରିଆରେ ସେମାନଙ୍କୁ ବୁଝାଯାଇଥିଲା । ସଚେତନତା ପାଇଁ ୟୁ ଟ୍ୟୁବ ଭିଡିଓ ଜାରି କରାଗଲା ।
ମେଡିକୋ –ଲିଗାଲି ସେଫ୍ଟି ଓ ପେସେଂଟ ଡାଟା ସେଫଟି ଉପରେ ଧ୍ୟାନ ରଖାଯାଇ ସମଗ୍ର ପ୍ରକ୍ରିୟାକୁ ଷ୍ଟ୍ରିମଲାଇନ କରାଯାଇଥିଲା । ଟେକ୍ନୋଲୋଜିର ସଦୁୁୁପଯୋଗ କରାଯାଇ ରୋଗୀ ଓ ଡାକ୍ତରଙ୍କୁ ଶିକ୍ଷିତ କରାଯାଉଛି । କିନ୍ତୁ କୋଭିଡ-୧୯ ନେଇ ଏବେ ଜାରି ରହିଛି ଅନିଶ୍ଚିତତା । ତେଣୁ ଟେକ୍ନୋଲୋଜିର ପ୍ରୟୋଗ କରି ରୋଗୀ ସେବା ଆଗକୁ ବି ଜାରି ରହିପାରେ । କୋଭିଡ ମହାମାରୀ ସମୟରେ ଟେକ୍ନୋଲୋଜି ବେଶ୍ ଉପାଦେୟ ହୋଇଥିବାରୁ ଏହାର ଗୁରୁତ୍ୱ ଉବଲବଧି ଉଭୟ ଡାକ୍ତର ଓ ରୋଗୀଙ୍କ ପାଇଁ ଅତି ଜରୁରୀ ।