ହାଇଦ୍ରାବାଦ: ଆୟୁର୍ବେଦ ବିଜ୍ଞାନ ଅନୁସାରେ ମହୁର ନିଜସ୍ବ ଶକ୍ତି ନାହିଁ । ଏହା ଅନ୍ୟ ଉପାଦାନ ସହିତ ମିଶିବା ପରେ ଏହା ଅଧିକ ଶକ୍ତି ଦେଖାଇଥାଏ । ଏହି କାରଣରୁ ମହୁ ଅନେକ ଆୟୁର୍ବେଦିକ ଔଷଧ ପାଇଁ ଏକ ଆଦର୍ଶ ଯୋଗ ଭାବରେ ବିବେଚନା କରାଯାଏ । ବ୍ୟକ୍ତିଗତ ଭାବରେ ମଧ୍ୟ ମହୁର ଅନେକ ସ୍ବାସ୍ଥ୍ୟ ଉପକାର ରହିଛି । ଏହାକୁ ନିୟମିତ ଭାବରେ ବ୍ୟବହାର କଲେ ସୌନ୍ଦର୍ଯ୍ୟତା ମଧ୍ୟ ବୃଦ୍ଧି ପାଇଥାଏ ।
ଯଦି ଆମେ ଏହାର ପୁଷ୍ଟିକର ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବା ତେବେ ମହୁରେ ଫ୍ରୁକ୍ଟୋଜ, ନିୟାସିନ, କାର୍ବୋହାଇଡ୍ରେଟ, ରାଇବୋଫ୍ଲାଭିନ, ଭିଟାମିନ୍ ବି 6, ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, କ୍ୟାଲୋରୀ, ସୋଡିୟମ୍, ପୋଟାସିୟମ୍ ଏବଂ ଡାଏଟାରୀ ଫାଇବର ଅନ୍ତର୍ଭୁକ୍ତ । ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମହୁରେ ପ୍ରଚୁର ପରିମାଣରେ ଭରି ରହିଥାଏ ।
ମହୁର ଉପଯୋଗିତା
ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ମନୀଷା କାଲେଙ୍କ ସୂଚନା ଅନୁସାରେ ମହୁର ଅନେକ ଗୁଣ ରହିଛି । ମହୁ ଖାଇବା ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ସୌନ୍ଦର୍ଯ୍ୟତା ମଧ୍ୟ ବୃଦ୍ଧି ହୋଇଥାଏ । ଅନେକ ଘରୋଇ ଉପଚାର ମହୁକୁ ନେଇ ଗଠିତ । ଯାହାକି ଏକ ନିର୍ଦ୍ଦିଷ୍ଟ ଉପାୟରେ ଉପକାର କରିଥାଏ । ଯେପରିକି ଉଷୁମ ପାଣିରେ ମହୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟା, କୋଷ୍ଠକାଠିନ୍ୟ, ଗଳା ଯନ୍ତ୍ରଣା, ଓଜନ ହ୍ରାସ ଆଦିରେ ସାହାଯ୍ୟ କରେ । ଫେସମାସ୍କରେ ମଧ୍ୟ ମହୁକୁ ବ୍ୟବହାର କଲେ ତ୍ବଚାରେ ଉଜ୍ଜ୍ବଳ ଆସିଥାଏ ।
ଅନ୍ୟାନ୍ୟ ଉପାଦାନ ସହିତ ମହୁ
- ଲେମ୍ବୁ ଓ ମହୁ:- ଉଷୁମ ପାଣିରେ ସକାଳୁ ମହୁ ଏବଂ ଲେମ୍ବୁ ରସ ମିଶାଇ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ବ୍ୟତୀତ ଏହା ଓଜନ ହ୍ରାସ କରେ, ଶରୀରକୁ ହାଇଡ୍ରେଟ ରଖେ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରେ ।
- ଖଜୁରୀ ଓ ମହୁ:- ଅନେକ ପ୍ରକାରର ପୋଷକ ତତ୍ତ୍ବ ଖଜୁରୀରେ ମିଳିଥାଏ ଯେପରିକି ଫାଇବର, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ । ଏଣୁ ଯେତେବେଳେ ମହୁ ସହିତ ଏହାକୁ ମିଶାଇ ଦିଆଯାଏ, ଉଭୟର ଗୁଣ ଅନେକ ଉପାୟରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ମୁଖ୍ୟତଃ ସ୍ମୃତି, ଶାରୀରିକ ଶକ୍ତି ବୃଦ୍ଧି କରିଥାଏ ଏବଂ ଭୋକ ବଢାଇଥାଏ । ପୁରୁଷ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଏକ ଭଲ ମିଶ୍ରଣ । ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହିତ ସେମାନଙ୍କର ଶୁକ୍ରାଣୁ ସଂଖ୍ୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
- ପାନମଧୁରୀ ଓ ମହୁ:- ଏହା ଏକ ଆଦର୍ଶ ମିଶ୍ରଣ ଭାବରେ ବିବେଚନା କରାଯାଏ । ଭାଇରାଲ ଜ୍ବରର ଚିକିତ୍ସା ଠାରୁ ଆରମ୍ଭ କରି ଓଜନ ହ୍ରାସ, ହଜମ ଜନିତ ସମସ୍ୟା, କୋଲେଷ୍ଟ୍ରୋଲ୍ ହ୍ରାସ, ପୁରୁଷଙ୍କଠାରେ ଟେଷ୍ଟୋଷ୍ଟେରନ୍ ବୃଦ୍ଧି, ଶରୀରରେ ପ୍ରଦାହକୁ ହ୍ରାସ କରିବା, ମା’ମାନଙ୍କଠାରେ ସ୍ତନ୍ୟପାନ ବୃଦ୍ଧି କରିବା ପର୍ଯ୍ୟନ୍ତ ଏହି ମିଶ୍ରଣରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ଉପକାର ରହିଛି । ଉଷୁମ ପାଣି ଥଣ୍ଡା ହୋଇଯିବା ପରେ ଏଥିରେ ପାନମଧୁରୀ ଓ ମହୁ ମିଶାଇ ଖାଇବା ଆବଶ୍ୟକ ।
ମହୁ ସହ କଣ ମିଶ୍ରଣ କରିବା ନିଷେଧ ?
ଡକ୍ଟର ମନୀଷାଙ୍କ କହିବାନୁସାରେ ମହୁକୁ ପ୍ରାୟ ଅଧିକାଂଶ ଉପାଦାନ ସହିତ ମିଶ୍ରଣ କରାଯାଏ । ମାତ୍ର କିଛି ଏପରି ଉପାଦାନ ରହିଛି ଯେଉଁଥିରେ ମହୁକୁ ମିଶାଇବା ଉଚିତ ନୁହେଁ । ସେଗୁଡ଼ିକ ହେଉଛି
- ଘିଅ ଓ ତେଲ
- ମୂଳା
- ଅଧିକ ଗରମ ଥିବା ପାଣି, କ୍ଷୀର ବା ମୃଦୁ ପାନୀୟ
- ଅଙ୍ଗୁର
- ଲୋଟସ ସିଡ୍
ମହୁ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ କିଛି କ୍ଷେତ୍ରରେ ଏହା ଶରୀରକୁ କ୍ଷତି ପହଞ୍ଚାଏ । ବର୍ତ୍ତମାନ ବଜାରରେ ବିଭିନ୍ନ ବ୍ରାଣ୍ଡର ମହୁ ମିଳୁଛି । ମାତ୍ର ଏହା ନକଲି ମଧ୍ୟ ଆସୁଛି । ଅର୍ଥାତ୍ ଏଥିରେ ଚିନିର ପରିମାଣ ଅଧିକ ରହୁଛି । ଯାହାକି ଶରୀର ପାଇଁ ହାନିକାରକ । ବଜାରରୁ ଶୁଦ୍ଧ ମହୁ କିଣିବାକୁ ସର୍ବଦା ଚେଷ୍ଟା କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ