ଲଣ୍ଡନ: କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ବର୍ତ୍ତମାନ ହୃଦ୍ଘାତ ବୃଦ୍ଧି ପାଉଛି । ଅଧିକାଂଶ ଲୋକେ ଏହି ରୋଗର ଶିକାର ହେଉଛନ୍ତି । ନିକଟରେ ଏକ ଅନୁସନ୍ଧାନ ହୃଦ୍ଘାତର ଏକ ଉଦ୍ବେଗଜନକ କାରଣ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ଫ୍ଲୁ ବା ଥଣ୍ଡା-କାଶରେ ପୀଡିତ ବ୍ୟକ୍ତିମାନଙ୍କର ହୃଦଘାତର ଆଶଙ୍କା ଛଅ ଗୁଣ ଅଧିକ ହୋଇପାରେ । ଏପରି ଏକ ତଥ୍ୟ ସେହି ସମୟରେ ଆସିଛି, ଯେତେବେଳେ କି ଆମ ଦେଶରେ ଫ୍ଲୁ ବା ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ନେଦରଲ୍ୟାଣ୍ଡର ୟୁନିଭରସିଟି ମେଡିକାଲ୍ ସେଣ୍ଟର ଉତ୍ରେଚତର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନକାରୀ କହିଛନ୍ତି ଯେ, ଫ୍ଲୁ ଟୀକାକରଣ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଏହି ଅନୁସନ୍ଧାନ ସୂଚିତ କରିଛି । ଫ୍ଲୁ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ କିପରି ହୃଦ୍ଘାତ ବିପଦକୁ ଏଡାଇବା ପାଇଁ କାର୍ଯ୍ୟ କରିବେ, ସେ ବାବଦରେ ମଧ୍ୟ ଏହି ଅଧ୍ୟୟନ ସଚେତନତା ସୃଷ୍ଟି କରିବ ।
ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: କୋଭିଡ୍ ଟିକା ନେଇଥିବା ରକ୍ତ କର୍କଟ ରୋଗୀଙ୍କର ଦୃଢ ହୋଇଛି ଇମ୍ୟୁନିଟି
ଅନୁସନ୍ଧାନକାରୀ ଆହୁରି ମଧ୍ୟ କହିଛନ୍ତି, "ଟୀକାକରଣ ସମେତ ଇନଫ୍ଲୁଏଞ୍ଜା ସଂକ୍ରମଣକୁ ରୋକିବା ପାଇଁ ଆମର ଫଳାଫଳ ଚିକିତ୍ସା କୌଶଳକୁ ସମର୍ଥନ କରେ । ହୃଦ୍ଘାତର ଲକ୍ଷଣ ପାଇଁ ଡାକ୍ତର ଏବଂ ଡାକ୍ତରଖାନାରେ ଭର୍ତ୍ତି ଫ୍ଲୁ ରୋଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା ଫ୍ଲୁର କମ୍ ବିପଦ ଥିବା ବ୍ୟକ୍ତି ହୃଦ୍ଘାତ ସହ ଜଡିତ କି ନୁହଁନ୍ତି, ସେ ବାବଦରେ ସ୍ପଷ୍ଟ ହୋଇନାହିଁ । ତଥାପି ସଚେତନ ରହିବାର ଆବଶ୍ୟକତା ରହିଛି ।"
ଅଧ୍ୟୟନ ପାଇଁ, ଦଳ 2008ରୁ 2019 ମଧ୍ୟରେ 26,221 ଇନଫ୍ଲୁଏଞ୍ଜା ରୋଗର ଲ୍ୟାବ ପରୀକ୍ଷା ଫଳାଫଳକୁ ବିଶ୍ଳେଷଣ କରିଥିଲେ । ଏଥିରେ ମୃତକ ଏବଂ ଡାକ୍ତରଖାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଲ୍ୟାବ୍ ଟେଷ୍ଟ ଫଳାଫଳକୁ ବିଶ୍ଲେଷଣ କରାଯାଇଛି । ଅନୁସନ୍ଧାନରୁ ଜଣାଗଲା, 'ଫ୍ଲୁ ରୋଗର ଗୋଟିଏ ବର୍ଷ ପୂର୍ବରୁ କିମ୍ବା ପରେ ପ୍ରାୟ 401 ରୋଗୀଙ୍କର ହୃଦଘାତ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତେଜଣ ଏକରୁ ଅଧିକ ହୃଦଘାତରେ ପୀଡିତ ଥିଲେ । ଅନୁସନ୍ଧାନକାରୀମାନେ ମୋଟ 419 ଜଣଙ୍କ ହୃଦଘାତ ତଥ୍ୟକୁ ଅନୁସନ୍ଧାନ କରିଥିଲେ ।'
ମୋଟ ହୃଦଘାତ ମଧ୍ୟରୁ 25 ଜଣ ଫ୍ଲୁ ନିରାକରଣର ପ୍ରଥମ ସାତ ଦିନରେ, ରୋଗ ନିର୍ଣ୍ଣୟ ପୂର୍ବରୁ ବର୍ଷ ମଧ୍ୟରେ 217 ଏବଂ ଫ୍ଲୁ ନିରାକରଣର ବର୍ଷରେ 177 ଜଣ ଥିଲେ । ଫ୍ଲୁ ରୋଗରେ ଆକ୍ରାନ୍ତ ହେବାର ଏକ ବର୍ଷ ମଧ୍ୟରେ ହୃଦଘାତରେ ପୀଡିତ ପ୍ରାୟ 35% ରୋଗୀ କୌଣସି କାରଣରୁ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି ।