ହାଇଦ୍ରାବାଦ: ସାଧାରଣତଃ ଶୀତଋତୁରେ ଲୋକମାନେ କମ୍ ପାଣି ପିଅନ୍ତି । ଥଣ୍ଡା ପାଗ ହେଉ କିମ୍ବା ଶୋଷ ନ ଲାଗିବା ଏହି କାରଣରୁ ଅଧିକାଂଶ ଲୋକ ଖୁବ୍ କମ୍ ପାଣି ପିଇଥାନ୍ତି । ଲୋକମାନେ ଏହା ମଧ୍ୟ ଭାବନ୍ତି ଯେ, ଶରୀରରେ ଜଳ ଅଭାବର ସମସ୍ୟା କେବଳ ଗ୍ରୀଷ୍ମଋତୁରେ ହୋଇଥାଏ, ମାତ୍ର ଏହା ଠିକ୍ ନୁହେଁ । ପାଗ ଗ୍ରୀଷ୍ମ ହେଉ କି ଶୀତ, ପ୍ରତିଟି ଲୋକଙ୍କ ପାଇଁ ପ୍ରତିଦିନ ଆବଶ୍ୟକ ପରିମାଣର ଜଳ କିମ୍ବା ତରଳ ପଦାର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଶରୀରରେ ଜଳର ଅଭାବ ଯେକୌଣସି ଋତୁରେ ହୋଇପାରେ ଏବଂ ବେଳେବେଳେ ଏହା ଶରୀରରେ କିଛି ଗମ୍ଭୀର ସମସ୍ୟା ଏବଂ ଅବସ୍ଥା ମଧ୍ୟ ସୃଷ୍ଟି କରିପାରେ ।
ବିଶେଷଜ୍ଞ ଏବଂ ଡାକ୍ତଙ୍କ କହିବା ଅନୁସାରେ, ଅନେକ ଗବେଷଣାରେ ମଧ୍ୟ ପ୍ରମାଣିତ ହୋଇଛି ଯେ, ଶରୀରରେ ଜଳର ଅଭାବ କିମ୍ବା ଡିହାଇଡ୍ରେସନ୍ କେବଳ କେତେକ ରୋଗର ସମ୍ଭାବନାକୁ ବଢାଏ ତାହା ନୁହେଁ, ବରଂ ଏହା ବେଳେବେଳେ ସାଧାରଣ ଏବଂ ଗମ୍ଭୀର ମଧ୍ୟ ହୋଇପାରେ । ତେବେ ଏ ବାବଦରେ ଅନୁସନ୍ଧାନ କଣ କୁହେ, ଜାଣନ୍ତୁ...
ଅନୁସନ୍ଧାନ କ’ଣ କହିଥାଏ ?- ନିକଟରେ ମେଡିକାଲ୍ ଜର୍ନାଲ୍ "ଲାନସେଟ୍"ରେ ପ୍ରକାଶିତ ଏକ ଅନୁସନ୍ଧାନରେ ଉଲ୍ଲେଖ କରାଯାଇଥିଲା ଯେ, ଯେଉଁ ଲୋକମାନେ ସେମାନଙ୍କର ହାଇଡ୍ରେସନ୍ ସଠିକ୍ ରଖନ୍ତି ନାହିଁ, ଅର୍ଥାତ୍ ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ସେମାନଙ୍କର ଅକାଳ ମୃତ୍ୟୁ ହେବାର ଆଶଙ୍କା ଅଧିକ । ଏହି ଅନୁସନ୍ଧାନ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶା ଯାଇଥିଲା, କମ୍ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମ୍ ସ୍ତର ବୃଦ୍ଧି ହେବାର ଆଶଙ୍କା ବଢିଥାଏ । ଯଦି ଶରୀରରେ ସୋଡିୟମ୍ ସ୍ତର ଲିଟର ପିଛା 145 ମିଲିଲିଟରରୁ ଅଧିକ ହୁଏ, ତେବେ ଅକାଳ ମୃତ୍ୟୁ ହେବାର ଆଶଙ୍କା 21% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏଥି ସହିତ, ଏହି କାରଣରୁ, ପୀଡିତଙ୍କ ଅନେକ ପ୍ରକାରର କ୍ରନିକ ରୋଗର ଶିକାର ହେବାର ସମ୍ଭାବନା ମଧ୍ୟ ବଢିଥାଏ ।
ଏହାପୂର୍ବରୁ, ନ୍ୟୁ ହାମ୍ପସାୟର୍ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଥିଲା ଯେ, ଶୀତ ଦିନଗୁଡିକରେ ମଧ୍ୟ ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ୍ ସମସ୍ୟା ହୋଇପାରେ । ଶୀତଋତୁରେ ଡିହାଇଡ୍ରେସନ୍ ଶରୀର ଉପରେ ଗ୍ରୀଷ୍ମ କିମ୍ବା ଅନ୍ୟ ଋତୁରେ ସମାନ ପ୍ରଭାବ ଦେଖାଏ ।
ଏହା ବ୍ୟତୀତ ଜେନେରାଲ୍ ଅଫ୍ କ୍ଲିନିକାଲ୍ ମେଡିସିନ୍ର ୱେବପେଜ୍ରେ ଉପଲବ୍ଧ ନ୍ୟୁଟ୍ରିସନାଲ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଆଉଟକମ୍ ଉପରେ ଏକ ଆର୍ଟିକିଲ୍ ମଧ୍ୟ ଶରୀରରେ ଜଳ ଅଭାବରୁ କି କି ପ୍ରଭାବ ପଡେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି । ଏହି ଅନୁସନ୍ଧାନ ଶରୀରରେ ଡିହାଇଡ୍ରେସନ୍ର ପଦ୍ଧତି ଏବଂ ହାଇଡ୍ରେସନ୍ ମ୍ୟାନେଜମେଣ୍ଟ ଉପରେ ଆଧାରିତ ଥିଲା ଏବଂ ସ୍ୱିଜରଲ୍ୟାଣ୍ଡର କିଛି ଡାକ୍ତରଖାନାର ଅନୁସନ୍ଧାନକାରୀ ଏବଂ ପ୍ରତିନିଧୀଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।
ଶରୀରକୁ ହାଇଡ୍ରେଟ୍ ରଖିବା କେତେ ଜରୁରୀ:- ବାସ୍ତବରେ, ମାନବ ଶରୀରର ଦୁଇ ତୃତୀୟାଂଶ(ଲିଙ୍ଗ ଏବଂ ବୟସ ଉପରେ ନିର୍ଭର କରି ପ୍ରାୟ 60% ରୁ 70%) ଜଳ ଆବଶ୍ୟକ କରେ । ଏଥିମଧ୍ୟରୁ ପ୍ରାୟ 85% ମସ୍ତିଷ୍କରେ, ହାଡରେ ପ୍ରାୟ 22%, ଚର୍ମରେ 20%, ମାଂସପେଶୀରେ 75%, ରକ୍ତରେ ପ୍ରାୟ 80% ଏବଂ ଫୁସଫୁସରେ ପ୍ରାୟ 80% ଆବଶ୍ୟକ । ଏହି ସମସ୍ତ ଅଙ୍ଗଗୁଡ଼ିକ ସୁସ୍ଥ ରହିବା ପାଇଁ, ସେମାନଙ୍କର ବିକାଶ ସଠିକ୍ ଭାବରେ ହେବା ପାଇଁ ଶରୀରରେ ଆବଶ୍ୟକ ପରିମାଣର ଜଳ ଉପସ୍ଥିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଯଦି ଆମ ଶରୀରରେ ଜଳର ଅଭାବ ନଥାଏ, ତେବେ ଶରୀରର ମେଟାବୋଲିଜିମ୍ ସଠିକ୍ ରହିଥାଏ, ଯେଉଁ କାରଣରୁ ହଜମ ସହିତ ଅନେକ ପ୍ରକାରର ସମସ୍ୟା ଏବଂ ରୋଗ ନିୟନ୍ତ୍ରଣ ହୋଇପାରେ । ଏହା ବ୍ୟତୀତ ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣ ସଠିକ୍ ଭାବରେ କରାଯାଇଥାଏ, ଯେଉଁ କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ପରିସ୍ରା ସମ୍ବନ୍ଧୀୟ ଏବଂ ରକ୍ତ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ମିଳିଥାଏ ।
ଏହା ବ୍ୟତୀତ ଶରୀରରେ ଜଳର ସଠିକ ପରିମାଣ ଦ୍ୱାରା ଅମ୍ଳଜାନ ସଠିକ୍ ଭାବେ ପରିଚାଳିତ ହୋଇଥାଏ, ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ, ହାଡ ସୁସ୍ଥ ରହିଥାଏ, ଅତ୍ୟାବଶ୍ୟକ ରାସାୟନିକ ପଦାର୍ଥ ଏବଂ ହରମୋନ୍ ଗଠନରେ କୌଣସି ଅସୁବିଧା ହୁଏ ନାହିଁ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଋତୁ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ପ୍ରତିଦିନ 3-4 ଲିଟର ପାଣି ପିଇବା ଆବଶ୍ୟକ ।
ଡାକ୍ତରମାନେ କ’ଣ କୁହନ୍ତି? - ଭୋପାଳର ଜେନେରାଲ୍ ଫିଜିସିଆନ୍ ଡ. ରାଜେଶ ଶର୍ମା କହିଛନ୍ତି ଯେ, ଆମର ଖାଇବା ଏବଂ ପିଇବା ଅଭ୍ୟାସ ଋତୁ ଅନୁଯାୟୀ ବଦଳୁଛି । ଯେହେତୁ ଗ୍ରୀଷ୍ମଋତୁରେ ଅଧିକ ତୃଷ୍ଣା ଥାଏ, ସେହେତୁ ତରଳ ପଦାର୍ଥ ଶରୀରରେ ପର୍ଯ୍ୟାପ୍ତ ରହିଥାଏ । କିନ୍ତୁ ଶୀତଦିନେ ଲୋକମାନେ ଏପରି ଅନୁଭବ କରନ୍ତି ନାହିଁ । ଫଳସ୍ୱରୂପ, ଶୀତଦିନରେ ହିଁ ଡିହାଇଡ୍ରେସନ୍ ସମସ୍ୟା ଅଧିକ ଦେଖାଯାଏ । ଦୀର୍ଘ ସମୟ ଧରି ଡିହାଇଡ୍ରେସନ୍ ସମସ୍ୟା ରହିବା ଦ୍ବାରା ନିମ୍ନ ରକ୍ତଚାପ, ଭୟଙ୍କର କୋଷ୍ଠକାଠିନ୍ୟ ଏବଂ ହଜମ ପ୍ରକ୍ରିୟା ସମସ୍ୟା ଆଦି ଦେଖାଯାଏ । ତେଣୁ ଋତୁ ଏବଂ ସମୟ ଯାହା ହେଉନା କାହିଁକି ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।