ଅଶ୍ବଗନ୍ଧାର ଅନେକ ଔଷଧୀୟ ଗୁଣ ରହିଛି । ନିଦ୍ରାହୀନତା, ଅବସାଦରୁ ଏହି ଚେରମୂଳି ମୁକ୍ତି ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଆନାବଲିକ ଡ୍ରଗ ଭାବେ ଅଶ୍ବଗନ୍ଧା ବ୍ୟବହାର କରାଯାଏ । ଅଶ୍ବଗନ୍ଧା ‘ଶୀତକାଳୀନ ଚେରି’ ଓ ‘ଇଣ୍ଡିଆନ ଜିନସେଙ୍ଗ୍’ ନାମରେ ବି ପରିଚିତ । ଏହା ଏକ ଚିରନ୍ତନ ଚେରମୂଳି ।
ଅଶ୍ବଗନ୍ଧାର ମୂଳ ଔଷଧ ଭାବେ ବ୍ୟବହାର କରାଯାଏ ବୋଲି ଆମର ବିଶେଷଜ୍ଞ ଡକ୍ଟର ରଙ୍ଗାନାୟକୁଲୁ କହନ୍ତି । ଉଦ୍ଭିଦ ବିଜ୍ଞାନରେ ଅଶ୍ବଗନ୍ଧାକୁ ୱିଥାନିଆସୋମନିଫେରା ବୋଲି କୁହାଯାଏ । ଏହି ଚେରମୂଳି ସୋଲାନାସିଆଇ ପରିବାରର ଅନ୍ତର୍ଭୁକ୍ତ । ସାରା ଭାରତରେ ଅଶ୍ବଗନ୍ଧା ଦେଖାଯାଏ । ଏହି ଚାରା ବଢିବା ବେଳେ ଶୁଷ୍କ ପାଗ ଦରକାର ହୁଏ ।
ଉପଲବ୍ଧତା
ଡକ୍ଟର ରଙ୍ଗାନାୟକୁଲୁ କହନ୍ତି ଯେ, ଅଶ୍ବଗନ୍ଧା ବିଭିନ୍ନ ରୂପରେ ବଜାରରେ ଉପଲବ୍ଧ ହୋଇଥାଏ । ଡ୍ରାଏଡ୍ ଷ୍ଟେମ ଓ ପାଉଡର ସମେତ ଏହା ଘିଅ, ଡିକୋସିନ, ସାମାନ୍ୟ ମଦିରାଯୁକ୍ତ ଟନିକ, ତେଲ, ଅଏଣ୍ଟମେଣ୍ଟ ଓ ଟାବଲେଟ ଆକାରରେ ଆୟୁର୍ବେଦ ମେଡିକାଲ ଦୋକାନ ସମେତ ସାଧାରଣ ଔଷଧ ଦୋକାନରେ ମଧ୍ୟ ମିଳେ ।
ଅଶ୍ବଗନ୍ଧାର ଉପକାରିତା
ଆମ ବିଶେଷଜ୍ଞଙ୍କ ମଧ୍ୟରେ ଅଶ୍ବଗନ୍ଧାର ଅନେକ ଉପକାରିତା ରହିଛି । ସେଥିମଧ୍ୟରୁ କିଛି ନିମ୍ନରେ ଦିଆଗଲା ।
୧. ଶକ୍ତିବର୍ଦ୍ଧକ – ୧ ରୁ ୩ ଗ୍ରାମ ଅଶ୍ୱଗନ୍ଧା ରୁଟ୍ ପାଉଡର କ୍ଷୀର ବା ଘିଅ ବା ଗରମ ପାଣିରେ ମିଶାଇ ୧୫ ଦିନ ସେବନ କଲେ ଏହା ଶକ୍ତିବର୍ଦ୍ଧକ ଭାବେ କାମ କରେ ।
୨. ଅତ୍ୟଧିକ ଦୁର୍ବଳତାରୁ ରକ୍ଷା – ଘିଅ ଓ କ୍ଷୀର ସହ ଅଶ୍ବଗନ୍ଧା ମିଶାଇ ରୋଷେଇ କଲେ ଓଜନ ବଢିଥାଏ ।
୩. ଇନସୋମନିଆ (ନିଦ୍ରାହୀନତା) –ଗରମ କ୍ଷୀର ଓ ଚିନି ସହ ୨ ରୁ ୪ ଗ୍ରାମ ଅଶ୍ବଗନ୍ଧା ପାଉଡର ପକାଇ ସେବନ କଲେ ନିଦ୍ରାହୀନତା ହ୍ରାସ ହୁଏ । ଏହା ଦ୍ବାରା ଭଲ ନିଦ ହୁଏ । ଏହାଛଡା ଅଶ୍ବଗନ୍ଧା ପାଉଡର ସେବନ କଲେ ବ୍ୟଗ୍ରତା,ନ୍ୟୁରୋସିସର ବିପଦ ହ୍ରାସ ହୁଏ । ଏହା ଏକ ଆଣ୍ଟିଡିପ୍ରେସାଣ୍ଟ ଓ ସାଇକୋଟ୍ରୋପିକ ଡ୍ରଗ ଭାବେ କାମ କରେ ।
୪. ବ୍ରୋନକିଆଲ୍ ଆସ୍ତମା - ଅଶ୍ବଗନ୍ଧା କ୍ଷାର ଯଦି ମହୁ ଓ ଘିଅ ସହ ସେବନ କରାଯାଏ,ତାହା ହେଲେ ଏହା ବ୍ରୋନକିଆଲ୍ ଆସ୍ତମା କ୍ଷେତ୍ରରେ ବେଶ୍ ପ୍ରଭାବୀ ହୋଇପାରିବ ।
୫. ବାଞ୍ଝପଣ ଦୂର କରେ - କ୍ଷେତ୍ରରେ ଅଶ୍ବଗନ୍ଧା ଡିକୋସିନରୁ ପ୍ରସ୍ତୁତ ଘିଅ ଓ କ୍ଷୀର ସେବନ କଲେ ସୁଫଳ ମିଳିଥାଏ।
୬. ଘାଆ ଭଲ କରେ –ଗୁଡ ବି ଘିଅ ସହ ୨ରୁ ୪ ଗ୍ରାମ ଅଶ୍ବଗନ୍ଧା ପାଉଡର ସେବନ କଲେ ଘାଆ ବା କ୍ଷତ ଶୀଘ୍ର ଭଲ ହୁଏ ।
୭. ଭଲ ପରିସ୍ରା ହୁଏ –ଭଲ ଓ ଅବାଧ ପରିସ୍ରା ପାଇଁ ଦୈନିକ ୨୦ ଏମଏଲ ଅଶ୍ବଗନ୍ଧା ଡିକୋସିନ ସେବନ କରିବା ଦରକାର । ଏହା ହେଲେ ମୂତ୍ର ଦମନ ( ୟୁରିନ ସପ୍ରେସନ) ଦୂର ହୁଏ । ଡିହାଇଡ୍ରେସନ, କିଡନୀ ସମସ୍ୟା ଆଦି ଥିଲେ ୟୁରିନ ସପ୍ରେସନ ସୃଷ୍ଟି ହୋଇଥାଏ ।
ଏହାଛଡା ଅଶ୍ବଗନ୍ଧା ସ୍ବଭାବରେ ଆଣ୍ଟି ବ୍ୟାକଟେରିଆଲ ହୋଇଥାଏ। ଏହା ଜର ନିୟନ୍ତ୍ରଣ କରିବା ସହ ଯନ୍ତ୍ରଣା ହ୍ରାସ କରେ । ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ବି ସହାୟକ ହୋଇଥଏ ବୋଲି ଡକ୍ଟର ରଙ୍ଗାନାକୁଲୁ କହନ୍ତି ।
ମାତ୍ରା
ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ ପିଲାମାନଙ୍କ ପାଇଁ ୫ ଶହ ମିଲିଗ୍ରାମ ଅଶ୍ବଗନ୍ଧା ପାଉଡର ଓ ବୟସ୍କମାନଙ୍କ ପାଇଁ ୧ରୁ ୩ ଗ୍ରାମ ପାଉଡର ବା ୧୦ରୁ ୨୦ ମିଲିଲିଟର ଲିକ୍ୟୁଡ୍ ଦରକାର ହୁଏ ।
କାହାକୁ ମନା
ଗର୍ଭବତୀ ମହିଳାମାନଙ୍କ ପାଇଁ ଅଶ୍ବଗନ୍ଧା ବାରଣ କରାଯାଇଛି । କାରଣ ଏହାଦ୍ବରା ସମୟ ପୂର୍ବରୁ ପ୍ରସବ ହେବା ଆଶଙ୍କା ଥାଏ । ଛୁଆକୁ ସ୍ତନ୍ୟପାନ କରାଇବା ଅବଧିରେ ବି ଅଶ୍ବଗନ୍ଧା ସେବନ ବାରଣ କରାଯାଇଛି ।
ଅନ୍ୟାନ୍ୟ ଉପକାରିତା
ଡକ୍ଟର ରଙ୍ଗାନାୟକୁଲୁଙ୍କ ମତରେ ଅଶ୍ବଗନ୍ଧାର ଅନ୍ୟ ଉପକାରିତା ମଧ୍ୟ ରହିଛି । ସେଗୁଡିକ ହେଲା –
. ଅଶ୍ବଗନ୍ଧା ଦ୍ବାରା ଶକ୍ତି ସାମର୍ଥ୍ୟ ବଢିଥାଏ ।
. ବ୍ୟଗ୍ରତା, ଅବସାଦ ଓ ମାନସିକ ଚାପ ଦୂର କରେ ।
. କୋଲେଷ୍ଟେରଲ ମାତ୍ରା ହ୍ରାସ କରେ ।
. ସୁନିଦ୍ରାରେ ସହାୟକ ହୁଏ ।
. ଦୁର୍ବଳ ଶରୀରର ଓଜନ ବଢାଏ ।
. ସ୍ମରଣ ଶକ୍ତି ବୃଦ୍ଧି କରେ ।
. ମସଲ ଟୋନ୍ ବଢାଏ ।
. କ୍ୟାନସର ରୋକିଥାଏ । ଅଶ୍ବଗନ୍ଧା କ୍ୟାନସର ଚିକିତ୍ସା ପାଇଁ ପ୍ରଫିଲାକଟିକ୍ ଥେରାପି ଭାବେ କାମ କରିଥଏ ।
ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ, ଅଶ୍ବଗନ୍ଧା ଏକ ପ୍ରଭାବଶାଳି ଆୟୁର୍ବେଦିକ ଔଷଧ । କିନ୍ତୁ ଏହା ସେବନ କରିବା ପୂର୍ବରୁ ଡାକ୍ତର ବା ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ।