ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ରେସରେ ଜୁଏଲ । ଉପବାଚସ୍ପତି ହୋଇପାରନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଜାତୀୟ ଗଣମାଧ୍ୟମରେ ଉଭୟଙ୍କ ନାଁକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ର କ୍ୟାବିନେଟରୁ ବାଦ ପଡିଥିବା ଜୁଏଲଙ୍କୁ ବାଚସ୍ପତି କରିବାକୁ ମୋଦି ଲକ୍ଷ୍ୟ ରଖିଥିବା ଆଲୋଚନା ହେଉଛି ।
ସୁନ୍ଦରଗଡ ଲୋକସଭା ଆସନରୁ 1998, 1999, 2004, 2014 ଏବଂ 2019ରେ ନିର୍ବାଚିତ ହୋଇଛନ୍ତି ଜୁଏଲ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସେ ଆଦିବାସୀ ବ୍ୟାପାର ସମ୍ଭାଳିଥିଲେ । ଆଉ 2014ରେ ଏନଡିଏ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସମାନ ବିଭାଗର ଦାୟିତ୍ବ ଦେଇଥିଲେ ମୋଦି । ଓଡିଶାରୁ ଏକମାତ୍ର ବିଜେପି ସାଂସଦ ଭାବରେ 2014 ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ଜୁଏଲ ।
2019 ରେ ସଂସଦକୁ ନିର୍ବାଚିତ ହୋଇଛନ୍ତି ସତ । ହେଲେ ଏଥର ମୋଦି ଟିମରେ ମିଳିନି ଜୁଏଲଙ୍କୁ ସ୍ଥାନ । ଓଡିଶାରୁ ଧର୍ମେନ୍ଦ୍ର ମନ୍ତ୍ରୀପଦ ବଜାଏ ରଖିଥିବା ବେଳେ ପ୍ରତାପ ଇନ ଏବଂ ଜୁଏଲଙ୍କୁ ଆଉଟ କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ସରଗରମ । ଜୁଏଲ ଏନେଇ ଖପ୍ପା ଥିବା ମଧ୍ୟ ଆଲୋଚନା ହୋଇଥିଲା । ଶପଥ ଗ୍ରହଣ ଉତ୍ସବ ପରଦିନ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଜୁଏଲଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିବା ଘଟଣା ଏଚର୍ଚ୍ଚାକୁ ଖୋରାକ ଯୋଗାଇଥିଲେ । ଆଉ ଏବେ ସେ ବାଚସ୍ପତି ରେସରେ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । 5ଥର ଲୋକସଭାକୁ ନିର୍ବାଚତ ହୋଇଥିବାରୁ ଜୁଏଲଙ୍କ ପାଖରେ ଗୃହ ଚଳାଇବାର ଅଭିଜ୍ଞତା ମଧ୍ୟ ରହିଛି ।
ସେପଟେ ଏଥର ଉପବାଚସ୍ପତି ପଦ ବିଜେଡି ଖାତାକୁ ଯାଇପାରେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏଥର ଲୋକସଭାର ଉପବାଚସ୍ପତି କରାଯିବା ନେଇ ଚର୍ଚ୍ଚା ହେଉଛି । କଟକରୁ ଲଗାତାର 6ଥର ହେଲା ସାଂସଦ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରି । ଯଦି ଏପରି ହୁଏ, ଏଥର ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦ ଓଡିଶାକୁ ହିଁ ମିଳିବ । ଅର୍ଥାତ ଲୋକସଭା ଚଳାଇବ ଓଡିଶା ।