ଭୁବନେଶ୍ବର: ବିବାଦୀୟ ନେତାଙ୍କୁ ଟିକେଟ ମିଳିଲାନି ସତ, ହେଲେ ତାଙ୍କ ପୁଅ ଓ ପତ୍ନୀ ପାଇଲେ ଟିକେଟ । ଏମିତି ପରିସ୍ଥିତି ହୋଇଛି ବିଜୁ ଜନତା ଦଳରେ । ଚିଟଫଣ୍ଡ ଲିଙ୍କର ଅଭିଯୁକ୍ତ ପ୍ରଭାତ ବିଶ୍ବାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ଏବଂ ଅପରାଧୀକ ପୃଷ୍ଠଭୂମୀ ଥିବା ଅଭିଯୋଗରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମିଳିଲାନି ଟିକେଟ । ହେଲେ ପ୍ରଭାତ ବିଶ୍ବାଳଙ୍କ ବଦଳରେ ତାଙ୍କ ପୁଅ ଶୌଭିକ ବିଶ୍ବାଳ ଏବଂ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କୁ ମିଳିଛି ଟିକେଟ ।
ଠିକ ସେହିପରି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ କିଛି ମାସ ପୂର୍ବରୁ ଫୌଜଦାରୀ ମାମଲା ରୁଜୁ ହୋଇ ହାଇକୋର୍ଟରେ ବିଚାରଧୀନ ଅଛି। ତେଣୁ ତାଙ୍କ ବଦଳରେ ତାଙ୍କ ପତ୍ନୀ ମଂଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଇଛି ବିଜେଡି । ସେପଟେ ବୟସାଧୀକ କାରଣରୁ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତେଣୁ ତାଙ୍କ ବଦଳରେ ତାଙ୍କ ପୁଅ ବିଷ୍ଣୁ ବ୍ରତ ରାଉତରାୟଙ୍କୁ ବାସୁଦେବପୁରରୁ ପ୍ରାର୍ଥୀ କରାଯାଇଛି ।
ଟିକେଟ ପାଇଥିବା ପୁଅମାନଙ୍କ ମଧ୍ୟରୁ କିଏ ବାପାଙ୍କ ସହଯୋଗରେ ମୈଦାନକୁ ଓହ୍ଲାଇବେ ତ ବିଷ୍ଣୁବ୍ରତଙ୍କ ଭଳି ରାଜନୈତିକ ପରିବାରରୁ ଆସିଥିବା ଯୁବ ନେତାମାନେ ନିଜସ୍ବ ଦମରେ ଜିତିବେ ବୋଲି ଦାବି କରୁଛନ୍ତି ।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ନ୍ୟୁଜ