ରାଉରକେଲା : ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଆମ ପରମ୍ପରା ଓ ସସ୍କୃତି ପଖାଳ ସହ ଜଡିତ । ପଖାଳ କହିଲା ମାତ୍ରେ ଓଡ଼ିଆଙ୍କ ମନରେ ଏହାକୁ ନେଇ ଦେଖାଦିଏ ଆତୁରତା । ଓଡ଼ିଆଙ୍କ ମନରେ ପଖାଳ ପାଇଁ ରହିଛି ଏକ ନିଆରା ସ୍ଥାନ । ପଖାଳ କହିଲେ ମନରେ ଆସିଯାଏ ଲୋଭ । ପଖାଳ କଂସାଏ ଓଡିଆଙ୍କ ପାଇଁ ଅମୃତ ପରି । ଆଜି ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ପଖାଳ । ତେବେ ବର୍ତ୍ତମାନ ପଖାଳ ସାରା ଦେଶରେ ନୁହେଁ ବିଶ୍ବରେ ନିଜର ନିଆରା ପରିଚୟ ସୃଷ୍ଟି କରିଛି ।
ତେବେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରାଯାଇ ଆସୁଛି । ଆଜି ରାଉରକେଲା ସହରରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ପଖାଳ ଦିବସ। ବିଶ୍ବ ପଖାଳ ଦିବସ ପାଳନ ହୋଇଛି । ଏହାକୁ ନେଇ ଗାଁଠୁ ସହର, ରାସ୍ତାକଡ଼ ହୋଟେଲଠୁ ପଞ୍ଚତାରକା ହୋଟେଲ ସବୁଠି ପଡିଛି ପଖାଳର ଆସର । ପଖାଳ ଖାଇବାକୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । କେବଳ ଆମ ରାଜ୍ୟରେ ନୁହେଁ, ବରଂ ଦେଶ ବିଦେଶରେ ବି ପଖାଳ ଦିବସ ପାଳିତ ହେଉଥିବାର ସୂଚନା ରହିଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । କେବଳ ହୋଟେଲ, ରେଷ୍ଟୁରାଣ୍ଟ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେଉଛି । ଏହାକୁ ନେଇ ସବୁଠି ଲୋକଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହେଉଛି ।
ରାଉରକେଲା ଠାରେ ଭଞ୍ଜ ଭବନରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ପଖାଳ ଦିବସ ପାଳନ କରାଯାଇଛି । ଓଡିଆଙ୍କ ଠାରୁ ଆରମ୍ଭ କରି ଅଣ ଓଡିଆ ପଖାଳର ମଜା ନେଉଛନ୍ତି । ପଖାଳ ସହିତ ବିଭିନ୍ନ ପ୍ରକାରର ଭଜା, ଆଳୁ ଭର୍ତ୍ତା, ବଡ଼ିଚୁରା, ଶାଗ ଭଜା, ପୋଦିନାପତ୍ର ଚଟଣି, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ବାଇଗଣ ଭଜା, ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦିର ବ୍ୟବସ୍ଥା ହୋଇଛି । ଯାହାକୁ ଖୁବ ଆନନ୍ଦ ର ସହ ଖାଉଛନ୍ତି ଲୋକେ ।
ଓଡ଼ିଆ ରିତିନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ଲାଗିଥାଏ । ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ । ବାସୁମତୀ ଚାଉଳରୁ ପ୍ରସ୍ତୁତ ଅବଢ଼ା ପାଣିରେ ପକାଇ ଛାଣିବା ପରେ ଏହାକୁ ପ୍ରସ୍ତୁତ କରାଯାଏ । ପଖାଳ ଓଳିରେ ଏହା ମହାପ୍ରଭୁଙ୍କୁ ପରସା ଯାଇଥାଏ । ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାଆନ୍ତି ।
ଇଟିଭି ଭାରତ, ରାଉରକେଲା