ରାଉରକେଲା: ଇବ ନଦୀକୁ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । ସୁନ୍ଦରଗଡ଼ ଲାଇଫ ଲାଇନ କୁହାଯାଉଥିବା ଇବ ନଦୀ ବର୍ତ୍ତମାନ ଶୁଖୁଲା ପଡିଥିବା ବେଳେ ବିକ୍ଷୋଭ କରି ନିଜର ଦାବି ଜାହିର କରିଛନ୍ତି ସାଧାରଣ ଲୋକେ । ଛତିଶଗଡ଼ରେ ମହାନଦୀ ଉପରେ ବ୍ୟରେଜ ପରେ ମହାନଦୀ ଶୁଖିବାରେ ଲାଗୁଛି । ଏହାସହ ସୁନ୍ଦରଗଡର ଇବ ନଦୀ ମଧ୍ୟ ଶୁଖିବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଇବ ନଦୀ ଶୁଖିଲା ପଡିବା ଯୋଗୁଁ ବର୍ତ୍ତମାନ ପିଇବା ଜଳ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ତେଣୁକରୀ ଶୁଖିଲା ଇବ ନଦୀ ବାଲି ଉପରେ ଚାଲିଛି ଆନ୍ଦୋଳନ ।
ତେବେ ଗୋଟିଏ ପଟେ ସତ୍ୟାଗ୍ରହ ଚାଲିଥିବା ବେଳେ ସୁନ୍ଦରଗଡ ଗସ୍ତ କରିଛି ମହାନଦୀ ଟ୍ରିବ୍ୟୁନାଲ ର ଏକ ଟିମ । ଆନ୍ତଃରାଜ୍ୟ ଜଳ ବିବାଦ କୁ ନେଇ ମହାନଦୀ ଟ୍ରିବ୍ୟୁନାଲ୍ ର ସୁନ୍ଦରଗଡ ଗସ୍ତ ରହିଥିବା ବେଳେ ଠିକ୍ ତା ପୂର୍ବ ରୁ ଶୁଖିଲା ପଡିଥିବା ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାର ଜୀବନ ରେଖା ଇବ୍ ନଦୀ କୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରିଛନ୍ତି ଜନ ସାଧାରଣ । ଟ୍ରିବ୍ୟୁନାଲ କେବଳ ସ୍ଥିତି ଯାଞ୍ଚ ନ କରି ଲୋକଙ୍କ ମତ ନେବା ପାଇଁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ । ଏନେଇ ଟାଣ ଖରା ମଧ୍ୟରେ ସୁନ୍ଦରଗଡ ସହର ମହାଦେବ ପଡା ଇବନଦୀର ବାଲିପଠାରେ ପ୍ରତିବାଦ ଜଣାଇଛନ୍ତି ଆନ୍ଦୋଳନକାରୀ।
ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ସ୍ଥିତ କଟିଙ୍ଗି ଡିହି ଭଗୋପାଲି ମହାନଦୀର ପ୍ରମୁଖ ଶାଖା ନଦୀରେ ୧୯୮୦ରୁ ପ୍ରସ୍ତାବିତ ଇବ୍ ବନ୍ଧ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଟିମ। ଏହା ସହ ଉପରମୁଣ୍ଡରେ ଛତିଶଗଡ଼ର ଏକାଧିକ ବନ୍ଧ ଯୋଗୁଁ ତଳମୁଣ୍ଡ ସୁନ୍ଦରଗଡ଼ରେ ଶୁଖିଲା ପଡିଥିବା ଇବନଦୀକୁ ମଧ୍ୟ ପରିଦର୍ଶନ କରି ଦେଖିଛନ୍ତି ମହାନଦୀ ଏହି ଟିମ। ସେମାନଙ୍କ ସହ ଦୁଇ ରାଜ୍ୟର ଜଳ ସମ୍ପଦ ଅଧିକାରୀ ଓ ଏକ୍ସପର୍ଟ ଟିମ୍ ସମେତ ୯୦ ଜଣ ରୁ ଉର୍ଦ୍ଧ୍ବ ଅଧିକାରୀ ମାନେ ପହଞ୍ଚି ଥିଲେ । ଛତିଶଗଡ଼ ଉପର ମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍, ବନ୍ଧ ବାନ୍ଧି ପାଣି ଅଟକାଇ ଦେଇଛି। ଯାହା ଫଳରେ ତଳମୁଣ୍ଡରେ ଇବ୍ ନଦୀ ଶୁଖିଲା ରହୁଥିବା ଏବଂ ଏହି କାରଣରୁ ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲା ଜଳ ସଂକଟ ଭୋଗୁଥିବା ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ ।
ତେବେ କିଭଳି ଭାବରେ ଇବ ନଦୀକୁ ବଞ୍ଚା ଯାଇ ପାରିବ ଏବଂ ଯେପରି ଭାବରେ ସୁନ୍ଦରଗଡ଼ବାସୀ ବର୍ତ୍ତମାନ ଜଳକଷ୍ଟ ଭୋଗୁଛନ୍ତି ତାହା ଆଗାମୀ ଭବିଷ୍ୟତରେ ନ ଭୋଗନ୍ତୁ ବୋଲି କହିଛନ୍ତି ବିକ୍ଷୋଭକାରୀ । ତେବେ ଏହି ବିକ୍ଷୋଭକାରୀ ମାନେ ସୁନ୍ଦରଗଡ଼ ଜିଲ୍ଲାର ଲାଇଫ ଲାଇନକୁ କିଭଳି ଉଦ୍ଧାର କରନ୍ତୁ ଏବଂ ଲୋକଙ୍କୁ ଜଳକଷ୍ଟରୁ ଦୂର କରନ୍ତୁ ତାହା ନେଇ ଦାବି କରିଛନ୍ତି ।
ଇଟିଭି ଭାରତ, ରାଉରକେଲା