ସୁନ୍ଦରଗଡ: ପ୍ରେମ କରି ଖୁଡି-ପୁତୁରା ଫେରାର୍ । ଖବର ପାଇ ପରିବାର ଲୋକେ ଘରକୁ ଆଣି ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଏପରିକି ଉଭୟଙ୍କ ମୁହଁରେ କଳା ବୋଳିଥିବା ଦେଖିବାକୁ ମିଳିଛି । ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନର୍ଗତ ଫିଲିଙ୍ଗିବାହାଲ ହରିଜନ ପଡାରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଗ୍ରାମର ଜଣେ ମହିଳା ସ୍ବାମୀ ଓ ପରିବାରକୁ ଛାଡି ପୁଅକୁ ନେଇ ଅନ୍ୟଜଣେ ପୁରୁଷ ସହ ଫେରାର୍ ହୋଇଯାଇଥିଲେ । ସେ ଗତ 3 ମାସ ହେବ ଫେରାର୍ ଥିବାବେଳେ ପରିବାର ଲୋକେ ଖୋଜାଖୋଜି କରି ଆଜି(ବୁଧବାର) ଝାରସୁଗୁଡାରୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରି ପରିବାର ଲୋକେ ଉଭୟଙ୍କୁ ଗଛରେ ବାନ୍ଧି ମାଡ ମାରିବା ସହ ମୁହଁରେ କଳା ବୋଳିଥିବା ଜଣାପଡିଛି । ତେବେ ମହିଳା ଜଣକ ଫେରାର୍ ହୋଇ ଯାଇଥିବା ପୁରୁଷ ଜଣକ ସମ୍ପର୍କରେ ତାଙ୍କ ପୁତୁରା ହେବେ ।
ଏନେଇ ଶ୍ବଶୁର ଘର ପକ୍ଷରୁ ଅପହରଣ ମାମଲା ରୁଜୁ ହୋଇ ଥିବାବେଳେ ମହିଳା ଜଣକ ଯୌତୁକ ନିର୍ଯାତନା ସହ ଦିଅରମାନଙ୍କ ଦ୍ବାରା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଖବର ପାଇ ପୋଲିସ ପହଞ୍ଚି ଉଭୟ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ