ରାଉରକେଲା: ଖଣି ଅଞ୍ଚଳର ଦିନ ମଜୁରିଆ ଏବଂ ସାଧାରଣ ଜନତାଙ୍କ ପାଇଁ ହୋଇଥିବା ଖଣିଜ ପାଣ୍ଠିର ଅପବ୍ୟୟ । ଖଣି ଅଞ୍ଚଳକୁ ଅଣଦେଖା କରି ସହରରେ ହେଉଛି ଖର୍ଚ୍ଚ । ପୁଣି ଖର୍ଚ୍ଚ କରି ବ୍ୟବହାର ବଦଳରେ ଅପବ୍ୟବହାର କରି କାର୍ଯ୍ୟକ୍ରମକୁ ଖତ ଖାଇବାକୁ ଛାଡି ଦିଆଯାଇଛି । ଖଣି ଅଞ୍ଚଳରେ ଭରି ରହିଥିବା ଅସଂଖ୍ୟ ସମସ୍ୟାକୁ ଅଣଦେଖା କରି ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିକୁ କିପରି ଅପବ୍ୟୟ କରାଯାଉଛି ତାର ମାଳ ମାଳ ଅଭିଯୋଗ ରହିଛି । ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିଛି । ଏହାର ତାଜା ଉଦାହରଣ ହେଉଛି ଶୀତତାପ ନିୟନ୍ତ୍ରିତ ଭଲ୍ଭୋ ବସ୍ କିଣା । ୨ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରି କିଣା ଯାଇଥିବା ଏହି ଦୁଇଟି ବସ ଏବେ ସେକ୍ଟର- ୨ ଠାରେ ଥିବା ଓଏସ୍ଆର୍ଟିସି ଗ୍ୟାରେଜ୍ରେ ପଡି ନଷ୍ଟ ହେବାକୁ ବସିଲାଣି ।
ହକି ବିଶ୍ବକପ୍ର ୪ ମାସ ପୂର୍ବରୁ ଠିକ ସେପ୍ଟେମ୍ବର ୨୦୨୨ ମସିହାରେ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦରକୁ ପ୍ରତ୍ୟେକ ଦିନ ଚାଲିବ ଏବଂ ଲୋକେ ଏହାର ସୁଫଳ ପାଇବେ ବୋଲି କହି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଅତ୍ୟାଧୁନିକ ଏସି (ଶୀତତାପ ନିୟନ୍ତ୍ରିତ) ଭଲ୍ଭୋ ବସ୍ କିଣା ହୋଇଥିଲା । ସୂଚନା ଯୋଗ୍ୟ ଯେ ବାଙ୍ଗାଲୋରରୁ ଆସିଥିବା ଏହି ଦୁଇଟି ବସ୍ ବାବଦରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ପ୍ରାୟ ଦୁଇ କୋଟି ଅଠାବନ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ବସ ଆସି ରାଉରକେଲା ପହଞ୍ଚିବା ପରେ ପ୍ରଥମ ୪ ମାସ ମଧ୍ୟରେ ହକି ବିଶ୍ବକପ ପୂର୍ବରୁ ରାଉରକେଲାରୁ ଝାରସୁଗୁଡା ବିମାନ ବନ୍ଦରକୁ ସ୍ଥାନୀୟ ଯାତ୍ରୀଙ୍କୁ ନେଇ ଗାଡ଼ି ଥରଟିଏ ବି ଗଡ଼ି ନଥିଲା । ବସ୍ ଦୁଇଟି ବେଦବ୍ୟାସ ଆର୍ଡିଏ ସେଡ୍ରେ ପଡି ରହିଥିଲା । ପରେ ଗତ ହକି ବିଶ୍ବକପ୍ ସମୟରେ ଝାରସୁଗୁଡା ବିମାନବନ୍ଦରରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳୀମାନଙ୍କୁ ନେବା ଆଣିବାରେ ସେ ଦୁଇଟି ଶୀତତାପ ନିୟନ୍ତ୍ରିତ ବସକୁ ବ୍ୟବହାର କରାଗଲା । ତାହା ପୁଣି ହାତ ଗଣତି ମାତ୍ର କିଛି ପ୍ରାୟ ୧୦ରୁ ୨୦ ଦିନ ପାଇଁ । ତେବେ ସବୁଠାରୁ ଅଭାବନୀୟ କଥା ହେଉଛି, ହକି ବିଶ୍ବକପ ସରିବା ପରେ ବସ୍ ଦୁଇଟି ଆଉ କିଛି କାମରେ ଆସିଲା ନାହିଁ ।
ତେବେ କିଛି ଉପାୟ ନପାଇ ଜିଲ୍ଲା ପ୍ରଶାସନ ବସ୍ ଦୁଇଟିକୁ ଓଏସ୍ଆର୍ଟିସିକୁ ହସ୍ତାନ୍ତର କରିଦେଲେ । ଓଏସ୍ଆର୍ଟିସି ଦ୍ବାରା ବସ୍ ଦୁଇଟି ରାଉରକେଲାରୁ ଝାରସୁଗୁଡା ବିମାନ ବନ୍ଦର ବଦଳରେ ରାଉରକେଲାରୁ ସମ୍ବଲପୁରର ବୁର୍ଲା ପର୍ଯ୍ୟନ୍ତ ଚାଲିଲା । ତେବେ ଏତେ ଅତ୍ୟାଧୁନିକ ବସ୍ର ଅତ୍ୟଧିକ ଯାତ୍ରୀ ଭଡ଼ା ଯୋଗୁଁ ତାହା ମାତ୍ର ସେଭଳି ହାତ ଗଣତି କିଛିଦିନ ଚାଲିବା ପରେ ଭଡ଼ା ଅଧିକ ହେବାରୁ ଯାତ୍ରୀ ହେଲେ ନାହିଁ । ଫଳରେ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଗଲା । ବର୍ତ୍ତମାନ ବସ୍ ଦୁଇଟି ସେକ୍ଟର- ୨ ଠାରେ ଥିବା ଓଏସ୍ଆର୍ଟିସି ଗ୍ୟାରେଜ୍ରେ ପଡିଛି । ଖରା ବର୍ଷାରେ ପଡି ପଡି ଆଗକୁ ବସ୍ ଦୁଇଟି ନଷ୍ଟ ହେବାକୁ ବସିଛି । ତେବେ ଏହି ବସ ବର୍ତ୍ତମାନ ପୁଣି ଚାଲିବ କି ନାହିଁ, ଓଏସ୍ଆର୍ଟିସି ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ । ଅଧିକାରୀଙ୍କ କହିବା କଥା, ରାଜ୍ୟ ପରିବହନ ନିଗମ ଯାହା କହିବ ଆମେ ତାହା କରିବୁ । କେବେ ଚାଲିବ କେଉଁଠି ଚାଲିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେଣୁ ଝାରସୁଗୁଡା ବିମାନ ବନ୍ଦରକୁ ତାହା ଚାଲିବାର ମଧ୍ୟ ଆଶା ଦେଖା ଯାଉନାହିଁ । ସେପଟେ ଏହି ବସ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ଜିଲ୍ଲା ଓଏସ୍ଆର୍ଟିସି ଅଧିକାରୀ ସିଧାସଳଖ ମନା କରିଦେଇଛନ୍ତି । ତେଣୁ ବର୍ତ୍ତମାନ ପ୍ରଶ୍ନ ହେଉଛି, ଆବଶ୍ୟକତା ନଥାଇ ଭଲ୍ଭୋ ବସ୍ ବାବଦରେ ଡିଏମ୍ଏଫ୍ ପାଣ୍ଠିରୁ ୨ କୋଟି ୫୮ ଲକ୍ଷ ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହୋଇଛି ? ଏନେଇ କେବଳ ଠିକାଦାର ଓ ସରକାରୀ ଦଳର ସମର୍ଥକଙ୍କ ପକେଟ ଗରମ କରିବା କିମ୍ବା ପିସି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ରାଉରକେଲା