ରାଉରକେଲା: ଏସିଆର ସର୍ବବୃହତ ଚୂନ ପଥର ତଥା ଡୋଲାମାଇଟର ଖଣି ବିଏସଏଲ କମ୍ପାନୀକୁ ନେଇ ଦେଖାଦେଇଛି ଅନିଶ୍ଚିତତା । କମ୍ପାନୀର ମାନ୍ଦାବସ୍ଥା କାରଣରୁ ଏହା ଉପରେ ନିର୍ଭରଶୀଳ ଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ସ୍ଥାନୀୟଲୋକେ ଏବେ ଚିନ୍ତାରେ ।
ଦିନ ଥିଲା ଏହି କମ୍ପାନୀରେ ବହୁସଂଖ୍ୟାରେ ଶ୍ରମିକ ଥିଲେ । ମାତ୍ର କମ୍ପାନୀ କ୍ଷତି ସହିବା ପରେ ଶ୍ରମିକ ସଂଖ୍ୟା ମଧ୍ୟ କମ ରହିଛି । ବହୁପରିମାଣର ଏସଏମଏସ ଗ୍ରେଡ ଡୋଲାମାଇଟ ମହଜୁତ ଥିବା ସତ୍ତ୍ବେ ବିକ୍ରି ହୋଇ ନପାରିବା କାରଣରୁ କମ୍ପାନୀକୁ ଏଭଳି କ୍ଷତି ସହିବାକୁ ପଡୁଛି ।
ତେବେ ମାସ ମାସ ହେଲା ଦରମା ନପାଇ ଶ୍ରମିକମାନେ କାମ କରି ଆସୁଛନ୍ତି। କମ୍ପାନୀର ଏଭଳି ପରିସ୍ଥିତି ଦେଖି ପୁନଃଉଦ୍ଧାର ପାଇଁ ବୈଠକ ହୋଇଥିଲେ ମଧ୍ୟ ସଫଳ ହୋଇପାରିନି । ତେବେ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତମନ୍ତ୍ରୀ ହେବା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଯେଉଁଥିରେ କମ୍ପାନୀର ପରିସ୍ଥିତିରେ ସୁଧାର ପାଇଁ ସରକାରୀ ଉଦ୍ୟମ ଆରମ୍ଭ ହୋଇଛି।
ସ୍ଥାନୀୟ ସାଂସଦ ଜୁଏଲ ଓରାମ ଓ ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ବୈଠକରେ ଉପସ୍ଥିତ ଥିଲେ। ଶ୍ରୀ ଓରାମ ଆଶାବ୍ୟକ୍ତ କରିଛନ୍ତି, ସେଲର ପ୍ଲାଣ୍ଟ ଡୋଲାମାଇଟ ତଥା ଚୂନ ପଥର କିଣିବା ପାଇଁ ରାଜି ହୋଇଛନ୍ତି । ଅର୍ଡର ମିଳିଲେ ବିଏସଏଲ କମ୍ପାନୀରେ ଭଲ ଦିନ ଫେରିବାର ସମ୍ଭାବନା ରହିଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ