ରାଉରକେଲା: ସୁନ୍ଦରଗଡ଼ ରାଜରାସ୍ତାରେ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୀଡିତା ମହିଳା ବଖାଣିଲେ ନିଜର ଦୃଦୟ ବିଦାରକ କାହାଣୀ । ନିଜ ଦିଅର ରାକ୍ଷସ ସାଜି ମହିଳାଙ୍କ ସହ ତାଙ୍କ 3 ଝିଅଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ଆଣିଲେ ପୀଡ଼ିତା ମହିଳା ।
ସୁନ୍ଦରଗଡ଼ ରାଜରାସ୍ତାରେ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିଧାୟିକା କୁସୁମ ଟେଟେ ମହିଳାମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ବର୍ତ୍ତମାନ ଆସ୍ଥା ଗୃହରେ ରଖିଲେ। ଧୀରେଧୀରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୀଡ଼ିତା ମହିଳା । ନିଜ ଦିଅର ରାକ୍ଷସ ସାଜି ମହିଳାଙ୍କ ସହ ତାଙ୍କ 3 ଝିଅଙ୍କୁ ଦୁଷ୍କର୍ମ କରୁଥିବା କହିଛନ୍ତି ମହିଳା ଜଣକ ।
ସୁନ୍ଦରଗଡ଼ ଆସ୍ଥା ଗୃହର ସମ୍ପାଦିକା ସ୍ନେହଲତା ପଟେଲ ଏବଂ ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ ପୋଲିସ ପକ୍ଷରୁ କାଉସିଲିଂ ଚାଲିଥିବା ବେଳେ ଏଭଳି ହୃଦୟ ବିଦାରକ କାହାଣୀ କହିଛନ୍ତି ପୀଡ଼ିତା ଜଣକ । ନିଜ ଦିଅର ମିଥୁନ ଏଭଳି କାଣ୍ଡ କରିଥିବା ସେ କହିଛନ୍ତି । ପ୍ରଥମେ ନିଜ ଭାଉଜ(ପୀଡ଼ିତ ମହିଳା)ଙ୍କ ସହ ପ୍ରେମ ସମ୍ପର୍କ ରଖି ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଝିଆରୀମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରିଥିଲା ରାକ୍ଷସ ଦିଅର ଜଣକ । ପ୍ରତିବାଦ କରିବା ସତ୍ତ୍ବେ ମଧ୍ୟ ଜୋରଜବରଦସ୍ତ ଧମକ ଚମକ ଦେଇ ଝିଆରୀ ମାନଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲା । ନିଜ ମା ସମ୍ମୁଖରେ ହେଉଥିଲା ତିନି ଝିଅର ଯୌନ ଶୋଷଣ । ତେବେ ଏହାରି ମଧ୍ୟରେ ନିଜ ବାକ୍ ବାଧିତ ଝିଅ ସହ ମହିଳା ଜଣକ ମାନସିକ ଚାପର ଶିକାର ହୋଇ ଘରୁ ବାହାରି ଆସି ତିନିଦିନ ଧରି ରାସ୍ତାରେ ଚାଲି ଚାଲି ସୁନ୍ଦରଗଡ଼ରେ ପହଞ୍ଚିଥିଲେ ।
ଏହାମଧ୍ୟ ପଢନ୍ତୁ.. ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା: ଛାତିଥରା କାହାଣୀ ବଖାଣିଲେ ପୀଡିତା, ମା’-ଝିଅ ସହ ହୋଇଛି ଦୁଷ୍କର୍ମ
ତେବେ କାଉସିଲିଂ ସମୟରେ ଦୁଇ ମହିଳା ଜଣକ ଝାଡ଼ଖଣ୍ଡ ରାଜ୍ୟର ଖଇର ବାହାଲ ଅଞ୍ଚଳର ହୋଇଥିବାବେଳ ଝିଅଟି ବାକ୍ ବାଧିତ ହୋଇଥିବା ଜଣାପଡ଼ିଛି । ତେବେ ସୁନ୍ଦରଗଡ଼ ପୋଲିସର ଏକ ଟିମ କରି ଝାଡ଼ଖଣ୍ଡ ଖଇର ବାହାଲ ଅଭିମୁଖେ ଯାଇଥିବା ଜଣା ପଡ଼ିଛି । ତେବେ ରାକ୍ଷସ ଦିଅରକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।
ଅନ୍ୟପଟେ ଉଦ୍ଧାରବେଳେ ମହିଳା ମାନଙ୍କ ଶରୀରରେ ଲାଗିଥିବା ରକ୍ତ କାହାର କିମ୍ବା ସେହି ରକ୍ତ କେଉଁଠୁ ଓ କିପରି ଆସିଲା ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୀଡିତା ବୟାନ ଆଧାରରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, 2 ଦିନ ପୂର୍ବେ ସୁନ୍ଦରଗଡ଼ ସରକାରୀ କଲେଜ ରାସ୍ତାରେ 2 ମହିଳା ନିବସ୍ତ୍ର ଅବସ୍ଥାରେ ଚାଲିଚାଲି ଯାଉଥିବା ବେଳେ ବିଧାୟିକା କୁସୁମ ଟେଟେଙ୍କ ଦୃଷ୍ଟିରେ ପଡ଼ିଥିଲା । ତେବେ ତୁରନ୍ତ ସେମାନଙ୍କୁ ବସ୍ତ୍ର ଦେଇ ଉଦ୍ଧାର କରିବା ସହ ସୁନ୍ଦରଗଡ଼ ଆସ୍ଥା ଗୃହରେ ରଖାଯାଇଥିଲା । ତେବେ ସଭ୍ୟ ସମାଜରେ ଏଭଳି ରାସ୍ତାରେ 2 ନିବସ୍ତ୍ର ମହିଳା ଚାଲି ଚାଲି ଆସୁଥିବା ବେଳେ ସମସ୍ତେ ଦେଖି କିପରି ଆଖି ବୁଜିଦେଲେ ତାକୁ ନେଇ ମଣିଷ ପଣିଆ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାନବକିତା ଦେଖାଇବା ବଦଳରେ ଓଲଟା ଲୋକେ ଫୋନରେ ଫୋଟୋ ଉତ୍ତୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସୁନ୍ଦରଗଡ଼କୁ ଲଜ୍ଜିତ କରିଛି ।
ଇଟିିଭି ଭାରତ, ରାଉରକେଲା