ସୁନ୍ଦରଗଡ: ସଦର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଘଟଣା ।ଯୁବତୀକୁ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର କର୍ଭାଖେଡାରୁ ଉଦ୍ଧାର କରିବା ସହ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏ ନେଇ ଗତକାଲି(ଶନିବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।
ସୂଚନାଅନୁସାରେ, ଗତ ଏପ୍ରିଲ ୧୩ ତାରିଖରେ ସଂପୃକ୍ତ ଯୁବତୀଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ଅଗ୍ରିମ 60 ହଜାର ଟଙ୍କା ଦେଇଥିଲା ଅଭିଯୁକ୍ତ ମାନେ । ଏହାପରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବା ସହ ଏକ କୋଠରୀରେ ବନ୍ଦକରି ରଖିଥିଲେ । ଘଟଣା ସମ୍ପର୍କରେ ପୀଡିତା ଜଣଙ୍କ ବାପାଙ୍କୁ କହିବା ପରେ ଗତ ଏପ୍ରିଲ ୨୮ ତାରିଖରେ ଥାନାର ଦ୍ବାରସ୍ଥ ହୋଇଥିଲେ ଯୁବତୀଙ୍କ ବାପା ।
ଘଟଣା ଏସପିଙ୍କ ନଜରକୁ ଅସିବା ମାତ୍ରେ ସଂପୃକ୍ତ ଝିଅଙ୍କୁ ଉଦ୍ଧାର କରିବା ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଫୋନ ଲୋକେସନ ଟ୍ରାକିଂ କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଧ୍ୟପ୍ରଦେଶ ପୋଲିସ ସହାୟତାରେ ମେ 8 ତାରିଖ ଦିନ ଯୁବତୀଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କ ସୂଚନା କ୍ରମେ ଜଣେ ମହିଳା ଓ 2 ଜଣ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ଗତକାଲି(ଶନିବାର)ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସଂପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ତେବେ ଗିରଫ ଦଲାଲଙ୍କ ପରି ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବାରୁ କାହାରି ନାମ ପ୍ରକାଶ କରି ନାହାଁନ୍ତି । ତେବେ ସେମାନଙ୍କୁ ଧରିବା ନେଇ ପୋଲିସ ପଦକ୍ଷେପ ଆରମ୍ଭ କରିଥିବା କଥାକହିଛନ୍ତି ଏସପି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ