ରାଉରକେଲା: ସୁନ୍ଦରଗଡରେ 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପେର ଜିଲ୍ଲାରେ ଆତଙ୍କ ଖେଳି ଯାଇଛି । ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଭାବରେ ଦୁଇ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏହା ପ୍ରଥମ କୋରୋନା ଘଟଣା ହୋଇଥିବାବେଳେ ଲୋକଙ୍କ ମଧ୍ୟ କୋକୁଆ ଭୟ ଖେଳି ଯାଇଛି । ଚିହ୍ନଟ ଦୁଇ ଜଣ ବିଶ୍ରା ବ୍ଲକର ସଦର ମାର୍କେଟ ଅଞ୍ଚଳ ତଥା ଆସିଆନ କୋଲୋନୀର ବାସିନ୍ଦା 77 ବର୍ଷିୟ ବୃଦ୍ଧ ଓ ଅନ୍ୟ ଜଣେ 18 ବର୍ଷିୟ ଯୁବକ ।
ବିଶ୍ରା ମାର୍କେଟ ଅଞ୍ଚଳର ବୃଦ୍ଧ ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ସଭାକୁ ଯାଇ ଫେରିଥିବା ବେଳେ ଯୁବକ ଜଣକ ଯାଜପୁରର ଗସ୍ତ କରି ଫେରିଛନ୍ତି । ଚିହ୍ନଟ ହେବାପରେ ସେମାନଙ୍କୁ ରାଉରକେଲା ସ୍ଥିତ କୋଭିଡ19 ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରଶାସନ ତରଫରୁ ଉଭୟଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଛନ୍ତି ଏବଂ ତାଙ୍କର ଗତିବିଧି କଣ ଓ କେଉଁଠି ରହିଥିଲା ସେ ସବୁର ତଥ୍ୟର ଅନୁସନ୍ଧାନ ଜାରି ରହିଛି । ଏହି ଘଟଣା ଜଣାପଡିବା ପରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନର୍ଦ୍ଦେଶ କ୍ରମେ ବିଶ୍ରା ସହର ସଂଲଗ୍ନ 3 କିଲୋମିଟର ପରିଧି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇ ବାହ୍ୟଜଗତକୁ ସମ୍ପୂର୍ଣ୍ଣ ଛନ୍ନ କରାଯାଇଛି ।
ଏହି ପରିପ୍ରେକ୍ଷିରେ ବିଶ୍ରା ବ୍ଲକର ଜେଇକେଲା ବସଷ୍ଟପ ଠାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଆଜି ପୂର୍ବହ୍ନ 10ଟାରୁ ନେଇ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଡାକ୍ଟରୀ ଦଳ ଦ୍ବାରା ସମ୍ଫୃକ୍ତ ଅଞ୍ଚଳର ଘର ଘର ବୁଲି ଜନସାଧାରଣଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି । ଏହି ଅଞ୍ଚଳର ଲୋକଙ୍କୁ ଦୈନନ୍ଦିନ ଜୀବନ ଜୀବୀକା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ପହଞ୍ଚାଇବା ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ