ସୁନ୍ଦରଗଡ଼: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଭବନ ଠାରେ ଆୟୋଜିତ ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ କିପରି ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଡିଏମଏଫ ଟ୍ରଷ୍ଟର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ନିଖିଲ ପବନ କଲ୍ୟାଣ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଡିଏମଏଫ ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ତଥା ନୂଆକରି ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହି ପାଣ୍ଠି କେବଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ବିଶେଷକରି ଡିଏମଏଫର କାର୍ଯ୍ୟ ଖସଡ଼ାରେ ଅଗ୍ରାଧିକାର ଦିଆଯାଉଥିବା ବିଷୟ ତଥା ଜିଲ୍ଲାର ଦୀର୍ଘକାଳୀନ ବିକାଶ ଲାଗି ଆବଶ୍ୟକ ବିଭିନ୍ନ ଅଭିନବ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସହ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜିନ୍ ଏକ୍କା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
ଖଣି ପ୍ରଭାବିତ କୋଇଡ଼ା, ଲହୁଣୀପଡ଼ା ଏବଂ ହେମଗିରି ଦେଇ ଯାଇଥିବା ୨୧୫ ଏବଂ ୨୨୦ ନମ୍ବର ରାଜପଥ, ଲହୁଣୀପଡ଼ା ବ୍ଲକରେ ରାଜାମୁଣ୍ଡା-କଲେଇପୋଷ ରାସ୍ତା ଏବଂ ହେମଗିର ବ୍ଲକରେ ବାଙ୍କୀବାହାଲ-ଟପରିଆ ରାସ୍ତା ମରାମତି କରିବାକୁ ପ୍ରସ୍ତାବ ଦେଇଥିଲେ ସାଂସଦ ଜୁଏଲ ଓରାମ । ସେହିପରି ଜିଲ୍ଲାର ଟିଙ୍କୋ ଘାଟି, ହେମଗିର ଏବଂ ରାଉରକେଲା ଠାରେ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।
ସୁନ୍ଦରଗଡ଼ ସହର ଚାରିପଟେ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ବିଧାୟିକା କୁସୁମ ଟେଟେ । ସେହିପରି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଜିଲ୍ଲାର ପ୍ରତି ପଞ୍ଚାୟତରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି କମ୍ ବୟସରୁ ପିଲାମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବାକୁ ମତ ଦେଇଥିଲେ । ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜନ ଏକ୍କା ହାତୀ ଉପଦ୍ରବ କାରଣରୁ ବାସଶୂନ୍ୟ ହେଉଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ ।
ଅନ୍ୟପଟେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ରାସ୍ତାର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନ୍ୟ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ସେହିପରି ହକି ସହିତ ଫୁଟବଲ୍ ତଥା ଅନ୍ୟ କ୍ରୀଡ଼ାର ବିକାଶ ଲାଗି ବ୍ଲକସ୍ତରରେ ବହୁମୁଖୀ ସୁବିଧା ଥିବା ଭିତ୍ତିଭୂମି ନିର୍ମାଣ କରିବା ଏବଂ ଗ୍ରାମାଞ୍ଚଳର ଜଳାଶୟଗୁଡ଼ିକର ଉନ୍ନତୀକରଣ ଲାଗି ମଧ୍ୟ ଜୋର୍ ଦେବାକୁ ସଦସ୍ୟମାନେ ମତ ଦେଇଥିଲେ ।
ଡିଏମଏଫ ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ ଓ ପୋଷଣ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଜୀବିକା, ଶିକ୍ଷା, ପାନୀୟ ଜଳ ଓ ପରିମଳ, ଭିନ୍ନକ୍ଷମ କଲ୍ୟାଣ, ଭିତ୍ତିଭୂମି ଓ ଯୋଗାଯୋଗ, ଶକ୍ତି, ପରିବେଶ ସୁରକ୍ଷା ଏବଂ କୃଷି ଆଦି ବିଭିନ୍ନ କ୍ଷେତ୍ରର ବିକାଶକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦା ତଥା ଆଦିବାସୀଙ୍କ କଲ୍ୟାଣ ଲାଗି ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକଳ୍ପ ହାତକୁ ନେଇ ଆସୁଛି । ଏହିସବୁ ପ୍ରକଳ୍ପ ସାକାର କରିବା ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ