ରାଉରକେଲା: ହଷ୍ଟେଲରେ ଅଘଟଣ । ଗରମ ଡାଲିରେ ପଡି ଯିବାକୁ ଜଣେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ରୋଷେୟା ସହ ଚୁଲିରୁ ଡାଲି ଓହ୍ଲାଇବା ବେଳେ ଗରମ ଡାଲି ପଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ପ୍ରଶ୍ନ ଘେରରେ ରହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଏବଂ ଶିକ୍ଷା ଅଧିକାରୀ । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଏପରି ଦୁଃଖଦ ଘଟଣା ଘଟିଛି । ଘଟଣାର 7 ଦିନ ପରେ ଜୀବନ ସହ ସଂଗ୍ରାମ କରି ଆଖି ବୁଜିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ । ପୁଅ ପାଠ ପଢିବା ବଡ ମଣିଷ ହେବା ସ୍ବପ୍ନ ନେଇ ହଷ୍ଟେଲରେ ଛାଡିଥିଲେ ପରିବାର । ହେଲେ ଏହି ଅଘଟଣ ସବୁ ସ୍ବପ୍ନ ଚୁରମାର କରି ଦେଇଛି । ପୁଅକୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ବାପା ।
ସୂଚନାଅନୁସାରେ, ଗତ 6 ତାରିଖ ଦିନ ଛାତ୍ର ଜଣଙ୍କ ରୋଷେୟାଙ୍କୁ ସାହାଯ୍ୟ କରିଥିଲେ । ସ୍କୁଲ୍ ହଷ୍ଟେଲରେ ଖାଦ୍ୟ ରନ୍ଧା ବେଳେ ଚୁଲିରୁ ଡାଲି ହଣ୍ଡା ଉଠାଇଥିଲେ । ଏହିସମୟରେ ହଣ୍ଡାଟି ଛାତ୍ରଙ୍କ ହାତରୁ ଖସି ଯାଇଥିଲା ଓ ଗରମ ଡାଲି ତାଙ୍କ ଉପରେ ପଡି ଯାଇଥିଲା । ପ୍ରଥମେ ଛାତ୍ରଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ସ୍ଥାନନ୍ତର କରଯାଇଥିଲା। ରବିବାର ରାତିରେ ଉକ୍ତ ଛାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚରେ ମୃତ୍ୟୁ ହୋଇଛି । ଘଟଣାର 7 ଦିନ ପରେ ହାରି ଯାଇଛନ୍ତି ଛାତ୍ର ଜଣକ ।
ଘଟଣା ନେଇ ସ୍କୁଲ ଶିକ୍ଷକ କହିଛନ୍ତି, ''ଛାତ୍ର ଜଣକ ଫୋନ କରିବାକୁ ରୋଷେଇ ଘରକୁ ଯାଇଥିଲା । ଏହି ସମରେ ରୋଷେୟା ଚୁଲିରୁ ଡାରି ଓହ୍ଲାଇଥିଲେ । ଚପଲରେ ପିଲାର ଗୋଡ ଫସି ଯିବାରୁ ସେ ଗରମ ଡାଲିରେ ପଡି ଯାଇଥିଲେ ।'' ସେପଟେ ଘଟଣାକୁ ଚପାଇ ରଖିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମୃତ୍ୟୁ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପିଲାମାନେ ସ୍କୁଲ ଯାଆନ୍ତି ପାଠ ପଢିବାକୁ କିନ୍ତୁ ସେମାନଙ୍କୁ କାମ ଲଗାଉଥିବା ଅଭିଯୋଗ ହୋଇ ଆସୁଛି । ମୃତ ବାଳକ ଜଣକ ଅଷ୍ଟମ ଶ୍ରେଣୀ ଛାତ୍ର ଗେଲେଟ । ଗେଲେଟ ହାନନଗାଙ୍କ ଘର ଝାଡଖଣ୍ଡ ମନୋହରପୁରରେ । ତାଙ୍କ ପରିବାର ଲୋକେ କୋଇଡା ଆସି ଶ୍ରମିକ ଭାବେ କାମ କରୁଥିଲେ । ଗେଲେଟ ଘରର ଏକମାତ୍ର ପୁଅ ଥିଲେ । ପୁଅକୁ ହରାଇ ପରିବାରର ପାଦ ତଳୁ ମାଟି ଖସି ଯାଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ହଷ୍ଟେଲରେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଯେହେତୁ ରନ୍ଧା ହେଉଥିବ ସେହିପରି ବ୍ୟବସ୍ଥା ରହିବା ଦରକାର । ମାତ୍ର ଅବ୍ୟବସ୍ଥା ପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ସୁନ୍ଦରଗଡ