ରାଉରକେଲା: ହକି ବିଶ୍ବକପ ୨୦୨୩ ଆୟୋଜନ ନେଇ ସଜେଇ ହେଉଛି ରାଉରକେଲା ସହର । ସହରର ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉନ୍ନତିମୂଳକ କାର୍ଯ୍ୟ । କିନ୍ତୁ ଏଥିରୁ ଦକ୍ଷିଣ ରାଉରକେଲା ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ରାଉରକେଲା ସହର ସଜେଇ ହେଉଥିବା ବେଳେ ଦକ୍ଷିଣ ରାଉରକେଲାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ରଘୁନାଥପଲ୍ଲୀ କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଆସନ୍ତା ମାସରେ ରାଉରକେଲା ସହରରେ ଆୟୋଜନ ହେବ ହକି ବିଶ୍ବକପ । ଯାହାକୁ ନେଇ ନବବଧୁ ଭଳି ସଜେଇ ହେଉଛି ରାଉରକେଲା ସହର । ରାସ୍ତାଘାଟ ଠାରୁ ଆରମ୍ଭ କରି ଛକ ଏବଂ କାନ୍ଥବାଡ଼ ସହ ପାର୍କ, ସବୁ ସୁନ୍ଦର ଭାବରେ ନୂତନ ରଙ୍ଗରୂପ ଦେଇ ନିର୍ମାଣ ହେଉଛି । କିନ୍ତୁ ଏଥିରୁ ବଞ୍ଚିତ ହେଉଛି ଦକ୍ଷିଣ ରାଉରକେଲା । ରାଉରକେଲାର ଦକ୍ଷିଣ ଦିଗରେ ଥିବା ଫର୍ଟିଲାଇଜର ଟାଉନସିପ, ସେକ୍ଟର-୨୨, ଜଲଦା, IDL, ଦେଓଗାଁ ଏବଂ ଲାଠିକଟା ଏହି ସୌନ୍ଦର୍ଯ୍ୟକରଣରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛି ।
ରାଉରକେଲା ସହରକୁ ସାଜସଜ୍ଜା କରାଯାଉଥିବାବେଳେ ରାଉରକେଲା ଅନ୍ତର୍ଭୁକ୍ତ ଥିବା ଏହି ଦକ୍ଷିଣ ରାଉରକେଲା ଅଞ୍ଚଳରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ । ଯେଉଁଥିପାଇଁ ରାଉରକେଲା ସହର ଭଳି ଦକ୍ଷିଣ ରାଉରକେଲା ଅଞ୍ଚଳରେ ମଧ୍ୟ ଉନ୍ନତି କରଣ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ ରଘୁନାଥପଲ୍ଲୀ କଂଗ୍ରେସ ପକ୍ଷରୁ ରାଉରକେଲା ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଦକ୍ଷିଣ ରାଉରକେଲାର ସମସ୍ତ ଅଞ୍ଚଳ ଯେପରି ରାଉରକେଲା ସହରର ଉନ୍ନତିକରଣ କରାଯାଇଛି ସେଭଳି କରିବାକୁ ଦାବି କରିଛନ୍ତି ।
ଗୋଟିଏ ପଟେ ରାଉରକେଲା ସହର ସଜେଇ ହେଉଛି କିନ୍ତୁ ଅନ୍ୟ ପଟେ ଦକ୍ଷିଣ ରାଉରକେଲା ସହରଠୁ ବିଚ୍ଛିନ୍ନ ହୋଇପଡିଲା ଭଳି ଲାଗୁଛି । ତେଣୁ ଏହାକୁ ଧ୍ୟାନ ଦେଇ ଏହି ଅଞ୍ଚଳରେ ମଧ୍ୟ ହକି ବିଶ୍ବକପକୁ ଦୃଷ୍ଟିରେ ରଖି ଉନ୍ନତି ମୂଳକ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି । ରଘୁନାଥପଲ୍ଲୀ କଂଗ୍ରେସ ପକ୍ଷରୁ କମିଶନରଙ୍କୁ ଭେଟିବା ପରେ କମିଶନର ଏହି ସବୁକୁ ଧ୍ୟାନକୁ ନେଇ ଯାହା ଉନ୍ନତିମୂଳକ କାର୍ଯ୍ୟ କରାଯିବା କଥା ତାହା କରାଯିବ ବୋଲି କହିଛନ୍ତି ।
ଇଟିଭି ଭାରତ, ରାଉରକେଲା