ସୁନ୍ଦରଗଡ଼: କୋରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଉରକେଲାରେ ଘରକୁ ଘର ବୁଲି ଏହି ଟିମ୍ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି । ତା ସାଙ୍ଗକୁ ଯାଞ୍ଚ ପରେ ଔଷଧ ବଣ୍ଟନ ମଧ୍ୟ କରୁଛନ୍ତି ରାପିଡ୍ ରେସପନ୍ସ ଟିମ୍ । ଶରୀରର ତାପମାତ୍ରା ଏବଂ ଅକ୍ସିଜେନ୍ ସ୍ତର ରେକର୍ଡ କରିବା ସହ ଆବଶ୍ୟକସ୍ଥଳେ ରୋଗୀଙ୍କୁ କୋଭିଡ୍ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରୁଛନ୍ତି ଏହି ଟିମ୍।
‘‘କୋଭିଡ୍ ମୁକାବିଲା କ୍ଷେତ୍ରରେ ତୃଣମୂଳ ସ୍ତରରେ ଆରଆରଟି ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରି ଉଚିତ ପଦକ୍ଷେପ ନେବାରେ ଏହି ଟିମ୍ ପ୍ରଶାସନର ସହାୟତା କରିଛି। ଫଳରେ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା ଓ ପରାମର୍ଶ ମିଳିବା ସହ କୋଭିଡ୍ ପରିଚାଳନା କ୍ଷେତ୍ରରେ ଆମକୁ ସୁବିଧା ହେଉଛି ।’’ କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।
ରାଉରକେଲାରେ ବର୍ତ୍ତମାନ ୨୫ଟି ଆରଆରଟି କାମ କରୁଛି। ପ୍ରତି ଟିମରେ ୨ରୁ ୩ ଜଣ ସଦସ୍ୟ ଅଛନ୍ତି। ପାରାମେଡିକାଲ ଷ୍ଟାଫଙ୍କ ସହିତ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ରାଉରକେଲାର ବିଭିନ୍ନ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନବାଡ଼ି କର୍ମୀ ମଧ୍ୟ ଆରଆରଟିକୁ ସହଯୋଗ କରୁଛନ୍ତି। ସେହିପରି ଅଣ-ବସ୍ତି ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର (Self Help Group) ସଦସ୍ୟମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଏହି ରିପୋର୍ଟକୁ ଆଧାର କରି ହୋମ୍ ଆଇସୋଲେସନ ବ୍ୟକ୍ତିଙ୍କ ପାଖରେ ଆରଆରଟି ପହଞ୍ଚୁଛନ୍ତି।
ରାପିଡ୍ ରେସପନ୍ସ ଟିମର ସଦସ୍ୟମାନେ ନିୟମିତ ବ୍ୟବଧାନରେ ସହରର ବିଭିନ୍ନ ୱାର୍ଡରେ ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଭେଟୁଛନ୍ତି। ଯେଉଁ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଜଟିଳତା ପରିଲକ୍ଷିତ ହେଉଛି ସେମାନେ ତୁରନ୍ତ ଆରଏମସିକୁ ଖବର ଦେଉଛନ୍ତି। ଫଳରେ ରୋଗୀଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା କୋଭିଡ୍ ହସ୍ପିଟାଲକୁ ନିଆ ଯାଇ ପାରୁଛି।
ରାଜ୍ୟ ବାହାରୁ ଯେଉଁ ଯାତ୍ରୀମାନେ ଟ୍ରେନରେ ଆସି ରାଉରକେଲା ଷ୍ଟେସନରେ ଓହ୍ଲାଉଛନ୍ତି ସେମାନଙ୍କର ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏହି ପ୍ରମାଣପତ୍ର ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଏହି ବ୍ୟକ୍ତିମାନେ ହୋମ୍ ଆଇସୋଲେସନ ନିୟମ ଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ ତାର ଅନୁଧ୍ୟାନ ଦାୟିତ୍ବ ମଧ୍ୟ ଆରଆରଟିକୁ ଦିଆଯାଇଛି।
ରାଉରକେଲା ସହରରେ ଯେଉଁମାନେ ଗୃହ ସଙ୍ଗରୋଧରେ ଅଛନ୍ତି ବା କୋଭିଡ୍ ସମ୍ପର୍କିତ କୌଣସି ସହାୟତା ଚାହୁଁଛନ୍ତି ସେମାନେ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ନମ୍ବରରେ କଲ୍ କରିପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ କିମ୍ବା ୦୧୧-୪୧୧ ୮୨୧୩୮ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ