ସୁନ୍ଦରଗଡ: ସ୍ବଚ୍ଛ-ସୁନ୍ଦର ହେବ ଷ୍ଟିଲସିଟି । ପ୍ରତିଦିନ ପ୍ରତ୍ୟେକ ଘରୁ ଡିଜିଟାଲ ଉପାୟରେ ସଂଗ୍ରହ ହେବ ଆବର୍ଜନା । ଏଥିପାଇଁ ଏକ ଅଭିନବ ପଦକ୍ଷେପ ନେଇଛି ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (RMC) ।
ରାଉକେଲାବାସୀଙ୍କ ଘରେ ଘରେ ଲଗାଯାଉଛି କ୍ୟୁ.ଆର୍ (QR) କୋଡ୍ ଟ୍ୟାଗ । ଏପଟେ ସମସ୍ତ ଆବର୍ଜନା ସଂଗ୍ରହ ଗାଡିରେ ଲଗାଇଛି ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା । ଏହା ଜରିଆରେ ସହଜରେ ଜଣାପଡିବ-କେଉଁ ଘରୁ ଆବର୍ଜନା ସଂଗ୍ରହ ହୋଇନାହିଁ । ଏହା ଅନୁସାରେ ମହାନଗର ନିଗମ କର୍ତ୍ତୃପକ୍ଷ ଯଥା ସମ୍ଭବ ନେଇପାରିବେ ପଦକ୍ଷେପ । ତେବେ ଏହି ଟ୍ୟାଗ୍ କେବଳ ଘରେ ନୁହେଁ , ସର୍ବସାଧାରଣ ଶୌଚାଳୟମାନଙ୍କରେ ବି ଲଗାଯିବ ।
![ରାଉରକେଲାରେ ହେବ ଡିଜିଟାଲ ସଫେଇ , ଘରେ ଘରେ ଲାଗୁଛି QR କୋଡ ଟ୍ୟାଗ](https://etvbharatimages.akamaized.net/etvbharat/prod-images/od-sng-qrcode-rmc-rkl-avo-photo-sng-od10033_15032021161200_1503f_1615804920_677.jpg)
ବହୁତ ସମୟରେ ଆବର୍ଜନା ସଂଗ୍ରହକାରୀ ଗାଡ଼ି ଠିକ ସମୟରେ ଆସୁନାହିଁ ବୋଲି ବହୁ ପରିବାର ଓ ବ୍ୟବସାୟୀ ଅଭିଯୋଗ କରିଥାନ୍ତି । ଏଣୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଘର ମାନଙ୍କରେ କ୍ୟୁ.ଆର୍. କୋଡ ଟ୍ୟାଗ୍ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।
ଏହି ବ୍ୟବସ୍ଥା ଦ୍ବାରା ପ୍ରତିଦିନ ଆବର୍ଜନା ସଂଗ୍ରହ ପାଇଁ ଯାଉଥିବା ଗାଡ଼ିରେ ନିୟୋଜିତ ସଫେଇ କର୍ମଚାରୀ ଘରୁ ଆବର୍ଜନା ସଂଗ୍ରହ ସମୟରେ ଉକ୍ତ କ୍ୟୁ.ଆର୍. କୋଡ୍ କୁ ସ୍କାନ୍ କରିବେ । ଫଳରେ ଘରୁ ଆବର୍ଜନା ସଂଗ୍ରହ ହୋଇଛି କି ନାହିଁ, ତାହା ଜଣା ପଡିପାରିବ । ଯଦି କେହି କୌଣସି ଘରୁ ଆବର୍ଜନା ସଂଗ୍ରହ କରିବାକୁ ଭୁଲିଯାଇଥିବେ ,ତେବେ ଏହି ବ୍ୟବସ୍ଥା ମାଧ୍ୟମରେ ତାହା ଜଣାପଡ଼ିବ । ମହାନଗର ନିଗମରେ ଥିବା କଣ୍ଟ୍ରୋଲ ରୁମ ଜରିଆରେ ସେହି ସଫେଇ କର୍ମଚାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ପହଞ୍ଚିଯିବ । ଯାହା ଆଧାରରେ ସଫେଇ କର୍ମଚାରୀ ଯଥାସମ୍ଭବ ପଦକ୍ଷେପ ନେଇପାରିବେ ।
ପ୍ରଥମ ପର୍ଯ୍ୟାୟରେ ସହରର ଦଶ ହଜାର ଘରରେ ଏହି କ୍ୟୁ.ଆର. କୋଡ ଲଗାଯିବାକୁ ଯୋଜନା ଅଛି । ସେହିଭଳି ବ୍ୟକ୍ତିଗତ ମାଲିକାନାରେ ଥିବା ଘର ମାନଙ୍କରେ ଗୋଟିଏ କ୍ୟୁ.ଆର୍. କୋଡ୍ ଲଗାଯାଉଥିବା ବେଳେ ଆପାର୍ଟମେଣ୍ଟରେ ଥିବା ସମସ୍ତ ଘରକୁ ଗୋଟିଏ ୟୁନିଟ ଭାବେ ପରିଗଣିତ କରାଯାଉଛି । ଏଣୁ ସେଠାରେ ଗୋଟିଏ ହିଁ କ୍ୟୁ.ଆର୍. କୋଡ୍ ଟାଗ୍ ଲାଗିବ । ବର୍ତ୍ତମାନ ସହରର ଛେଣ୍ଡ୍, ବାସନ୍ତି କଲୋନୀ ଓ ସିଭିଲ ଟାଉନସିପ ଅଞ୍ଚଳରେ ଥିବା ଘର ମାନଙ୍କରେ କ୍ୟୁ.ଆର୍ କୋଡ୍ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି ।
ତେବେ ପ୍ରଥମ ପର୍ଯ୍ୟାୟର ସଫଳତାକୁ ଦେଖି ସହରର ସମସ୍ତ ଘରେ ଏହି କ୍ୟୁ. ଆର୍. କୋଡ୍ ଲଗାଇବା ଲାଗି ବ୍ୟବସ୍ଥା କରାଯିବ ବୋଲି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି । କେବଳ ସେତିକି ନୁହେଁ ସହରରେ ମହାନଗର ନିଗମ ପକ୍ଷରୁ ସ୍ଥାପନ କରାଯାଇଥିବା ସମସ୍ତ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟରେ ମଧ୍ୟ ଏଭଳି କ୍ୟୁ.ଆର୍. କୋଡ୍ ଲଗାଯାଉଛି । ଏହି ସ୍ବତନ୍ତ୍ର କ୍ୟୁ.ଆର୍. କୋଡ୍ ମାଧ୍ୟମରେ ଶୌଚାଳୟ ବ୍ୟବହାରକାରୀ ପରିଛନ୍ନତା ଏବଂ ଏହାର ପରିଚାଳନା ଆଦି ନେଇ ନିଜର ମତାମତ ମଧ୍ୟ ଦେଇପାରିବେ । ଫଳରେ ଶୌଚାଳୟ ଗୁଡ଼ିକର ପରିଚାଳନା ଏବଂ ସଫେଇ ଇତ୍ୟାଦି ସୁନିଶ୍ଚିତ କରାଯାଇପାରିବ ।
ସେହିଭଳି ମହାନଗର ନିଗମ ଅଧିନରେ ସଫେଇ ଆଦି କାର୍ଯ୍ୟରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଟ୍ରାକିଂ ଯନ୍ତ୍ର ଖଞ୍ଜାଯାଇଛି । ଫଳରେ କେଉଁ ଗାଡି କୁଆଡେ ଯାଉଛି, ପ୍ରତିଟି ଗାଡ଼ି ଠିକ ସମୟରେ ଆବର୍ଜନା ସଂଗ୍ରହ କାର୍ଯ୍ୟରେ ଲାଗିଛି କି ନାହିଁ, ସେ ବିଷୟରେ ଜଣାପଡ଼ିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ