ରାଉରକେଲା: ସହରରେ ଆୟୋଜିତ ହକି ବିଶ୍ବକପ ଶେଷ ହୋଇଛି । ହକି ବିଶ୍ବକପ ପାଇଁ ସଜେଇ ହୋଇଥିବା ରାଉରକେଲା ସହର କଣ ତାର ସୁନ୍ଦରତା ବଜାୟ ରଖିପାରିବ । ନା କୋଟିକୋଟି ଟଙ୍କାରେ ଖର୍ଚ୍ଚ ହୋଇଥିବା ପ୍ରକଳ୍ପ ଖତ ଖାଇବ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପ୍ରକଳ୍ପର ରକ୍ଷଣାବେକ୍ଷଣ ବଡ ପ୍ରସଙ୍ଗ ହୋଇଛି । ହକି ବିଶ୍ବକପ ପରେ ଆଉ ଫିକା ପଡି ଯିବନି ତ ସହରର ସୌନ୍ଦର୍ଯ୍ୟକରଣ । ଏ ଦିଗରେ ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକ ରହିଛି ।
ବିଶ୍ବକପ ପାଇଁ ରାଉରକେଲା ସହରର ଉନ୍ନତୀମୂଳକ ପ୍ରକଳ୍ପମାନ କରାଯାଇଥିଲା । ସମ୍ପୂର୍ଣ୍ଣ ରୂପେ ନବବଧୂ ଭଳି ସଜେଇ ହୋଇଥିଲା ସହର। ସହରରେ ବିଭିନ୍ନ ସ୍ଥାନରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରାଉରକେଲା ସହର ନିଜର ସୁନ୍ଦରତାକୁ ଆହୁରି ବଢାଇଥିଲା । ତେବେ ବର୍ତ୍ତମାନ ଗୋଟିଏ ଚିନ୍ତା ଯେ କିଭଳି ହେବ ରାଉରକେଲା ସହରର ରକ୍ଷଣାବେକ୍ଷଣ। ହକି ବିଶ୍ବକପ ପରେ ରାଉରକେଲା ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗିନିଜ୍ ବୁକ ଅଫ ରେକର୍ଡରେ ନିଜର ସ୍ଥାନ ହାସଲ କରିଛି । ହେଲେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ କିଏ ନବ ଏବଂ ଏହାସହ ସହରରେ ହୋଇଥିବା କୋଟିକୋଟି ଟଙ୍କାର ଉନ୍ନତିମୂଳକ ଏବଂ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ବ କିଏ ନେବ ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସମସ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ହେବ ନା ଅବହେଳିତ ହୋଇ ପଡିରହିବ ?
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଯାହା ହକି ବିଶ୍ବକପ ପାଇଁ ରେକର୍ଡ ସମୟ ମଧ୍ୟରେ ମାତ୍ର ୧୫ ମାସରେ ନିର୍ମିତ ହୋଇଥିଲା । ଏଥିପାଇଁ ମୋଟ ମୋଟ ୧୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ସହିତ ପଞ୍ଚ ତାରକା ହକି ଭିଲେଜ ପାଇଁ ମୋଟ ୮୪ କୋଟି ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ୯କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁଇମିଂ ପୁଲ ଓ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମାଣ ହୋଇଛି । କେବଳ ସେତିକି ନୁହେଁ ହକି ଭିଲେଜର ଅଲୋକୀକରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ବାବଦରେ ପ୍ରାୟ ୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଏହାସହ ଷ୍ଟାଡିୟମ ପରିସରରେ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବର୍ତ୍ତମାନ ସଜସଜ ହକି ବିଶ୍ବକପ ସରିଛି ତେବେ ଷ୍ଟାଡିୟମ ଏବଂ ହକି ଭିଲେଜ ସହ ଆନୁଷଙ୍ଗିକ ବ୍ୟବସ୍ଥା ଆଗକୁ କିପରି ଉପଯୋଗ ହୋଇପାରିବ ଏବଂ ରକ୍ଷଣବେକ୍ଷଣ କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ବିର୍ସା ଛକରେ ନୂତନ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ୧୨୪ କୋଟି ଟଙ୍କା ବ୍ୟୟରେ ହୋଇଥିବାବେଳେ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପାନପୋଷ ହକି ଛକର ୧୦ କୋଟି ଟଙ୍କାରେ ସ୍ମାରକୀ ନିର୍ମାଣ କରାଯାଇଛି । ବାସନ୍ତୀ ଡିଏଭି ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଶ୍ୱକପକୁ ନେଇ ଏହି ସବୁ ସ୍ଥାନ ଚମକୁଥିବା ବେଳେ ପରବର୍ତ୍ତୀ ସମୟରେ କୋଟିକୋଟି ଟଙ୍କାର ପ୍ରକଳ୍ପର ସ୍ଥାୟିତ୍ୱ ନେଇ ଏବେ ଆଶଙ୍କା ଦେଖା ଦେଇଛି ।
ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ହକି ଛକ ନିର୍ମାଣ ଟେଣ୍ଡର ପାଇଥିବା ସଂସ୍ଥାକୁ ଦୁଇ ବର୍ଷ ଯାଏ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ଦେଇଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ରାଜ୍ୟ ସରକାର ଏବଂ କ୍ରୀଡା ବିଭାଗ ଏହାର ଦାୟିତ୍ୱ ନେବେ ବୋଲି ସୂଚନା ରହିଛି । ସେହିଭଳି ଷ୍ଟାଡିୟମର ନିର୍ମାଣ ଟେଣ୍ଡର ପାଇଥିବା ଘରୋଇ ସଂସ୍ଥା ଏହାର ୫ ବର୍ଷ ଯାଏଁ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ବୋଲି ସୂଚନା ରହିଛି । ରାଉରକେଲା ସାତତାଲା ନିକଟରେ ଥିବା ହକି ସ୍ମାରକୀ ଏବଂ ପାର୍କ, ରାଉରକେଲା ବିମାନ ବନ୍ଦର ନିକଟରେ ଏକ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଷ୍ଟିଲ୍ର ହକି ଖେଳାଳୀ ମୂର୍ତ୍ତି, ଅନନ୍ୟ ପ୍ରକଳ୍ପ ରିଂ ରୋଡ଼ ସହ ସହରର ପ୍ରମୁଖ ରାସ୍ତାଗୁଡିକର ଲାଇଟିଂ ସହ ସୌନ୍ଦର୍ଯ୍ୟକରଣର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହାର ରକ୍ଷଣାବେକ୍ଷଣ କିପରି ହେଉଛି ତାହା ଦେଖିବା ବାକି ରହିଲା ?
ଇଟିଭି ଭାରତ, ସୁନ୍ଦରଗଡ