ରାଉରକେଲା: ପ୍ରତିବାଦ ଦିବସ ଡାକରାକୁ ରାଉରକେଲା ମଟର ଚାଳକ ସଙ୍ଘ ପକ୍ଷରୁ ସମର୍ଥନ । ସର୍ବ ଭାରତୀୟ ପରିବହନ କର୍ମଚାରୀ ମହାସଂଘ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ରୁ ୧୭ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଦିଆଯାଇଥିବା ବନ୍ଦ ଡାକରାକୁ ରାଉରକେଲା ମଟର ଚାଳକ ସଙ୍ଘ ମଧ୍ୟ ପାଳନ କରିବା । ଏହି ପରିପ୍ରେକ୍ଷୀରେ ସମସ୍ତ ମୋଟର ଚାଳକ କର୍ମଚାରୀ ମାନେ ପ୍ରତିବାଦ ଦିବସ ପାଳନ କରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛି ମୋଟର କର୍ମଚାରୀ ସଙ୍ଘ।
ରାଉରକେଲା ସହରର ବସ ଷ୍ଟାଣ୍ଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିବାଦ ଦିବସ ଉପଲକ୍ଷେ ସୂଚନା ଦେଇଛି । ସମସ୍ତ ସଡକ ପରିବହନ ଶ୍ରମିକମାନେ ଏଥିରେ ଯୋଗ ଦେବେ । ତେବେ ମୋଟର ଚାଳକ ବା ପରିବହନ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ମୋଟର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଏଥିରେ ସମସ୍ତ ପରିବହନ ଶ୍ରମିକ ମାନେ ଯୋଗ ଦେବେ । ଏହି ପ୍ରତିବାଦ ଦିବସ ପାଳନ କରିବାର ମୂଳ କାରଣ ହେଉଛି ଯେ, ପରିବହନ ସେବା ଯୋଗାଉଥିବା କର୍ମଚାରୀମାନେ ସବୁବେଳେ ଅବହେଳିତ ହେଉଛନ୍ତି । କୌଣସି ସ୍ଥାନରେ ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା କରି ନାହାନ୍ତି ସରକାର ।
ଆଜି ମଧ୍ୟ ବହୁ ଅସୁବିଧାରେ ପରିବହନ ଶ୍ରମିକଙ୍କ ପରିବାର ଚଳୁଛନ୍ତି । ୨୪ ଘଣ୍ଟା ପରିବହନ ଯୋଗାଇ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ଯାତ୍ରା ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ସୁବିଧା କରୁଥିବା ବେଳେ ଆଜି ସେମାନେ ଅବହେଳିତ ବୋଲି ପରିବହନ କର୍ମଚାରୀ ମହାସଂଘ ଅଭିଯୋଗ କରିଛି । ତେବେ ପେଟ୍ରୋଲ, ଡିଜେଲର ଅହେତୁକ ଦର ବୃଦ୍ଧି, ଟୋଲ ଗେଟ୍ ଚାର୍ଜର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ନିୟମିତ ଦ୍ରବ୍ୟର ମୂଲ୍ୟ ଦ୍ବିଗୁଣିତ ହୋଇଛି । ବୀମା ପ୍ରିମିୟମ ବୃଦ୍ଧି ଭଳି ବିଭିନ୍ନ ଜିନିଷରେ ପରିବହନ କର୍ମଚାରୀମାନଙ୍କ ରକ୍ତ ଶୋଷୁଛନ୍ତି ସରକାର ବୋଲି ଅଭିଯୋଗ କରିଛି ସର୍ବ ଭାରତୀୟ ପରିବହନ କର୍ମଚାରୀ ମହାସଂଘ ।
ଏନେଇ ମୋଟର ଚାଳକ ସଙ୍ଘର ସାଧାରଣ ସମ୍ପାଦକ କହିଛନ୍ତି, "କେବଳ ଡିଜେଲ, ପେଟ୍ରୋଲ, ଗ୍ୟାସ ଉପରେ ଡ୍ୟୁଟି ଏବଂ ଟ୍ୟାକ୍ସ ଭାବରେ ସରକାର ଲକ୍ଷଲକ୍ଷ କୋଟି ଟଙ୍କାର ରୋଜଗାର କରୁଛନ୍ତି । ଅନ୍ୟ ଶ୍ରମିକମାନଙ୍କ ପରି ପରିବହନ ଶ୍ରମିକ ମାନଙ୍କ ସମାଜିକ ସୁରକ୍ଷା ଆଇନ ଅଛି । କିନ୍ତୁ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଏହାସହ ବହୁ ସମୟରେ ବେଆଇନ ପାର୍କିଂ ନାମରେ ଭାରି ମାତ୍ରାରେ ଫାଇନ ଆଦାୟ ଆଦି ଘଟଣା ଘଟୁଛି । ତେଣୁକରି ସରକାରଙ୍କ ବିରୋଧରେ ସର୍ବ ଭାରତୀୟ ମୋଟର କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୫ରେ ବନ୍ଦ ଡାକରା ଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକ ଅଖ ବନ୍ଦର ଡାକରା ଦିଆଯାଇଛି ।"
ଏହାକୁ ସମର୍ଥନ କରି ରାଉରକେଲା ମୋଟର କର୍ମଚାରୀ ସଂଘ ଏବଂ ଅଲ ଓଡିଶା ଟ୍ରାନ୍ସପୋର୍ଟ ଫେଡରେସନ ପକ୍ଷରୁ ବନ୍ଦ ପାଳନ ବଦଳରେ କେବଳ ପ୍ରତିବାଦ ଭାବରେ ଆନ୍ଦୋଳନ ବସିବେ । ଏଥିରେ ସମସ୍ତ କର୍ମଚାରୀ ଏବଂ ଶ୍ରମିକମାନେ ଯୋଗଦେବେ । ଅନ୍ୟପଟେ ରାଉରକେଲା ମୋଟର କର୍ମଚାରୀ ସଂଘ ସରକାରଙ୍କୁ ଦାବି କରିଛି ଯେ, ବସ ପରିବହନ କର୍ମଚାରୀ ମାନଙ୍କୁ ୨୬ ହଜାର ସର୍ବନିମ୍ନ ମଜୁରୀ, ୧୦ ହଜାର ପେନସନ ପ୍ରଦାନ, ଗ୍ରାଚ୍ୟୁଟି ପ୍ରଦାନ ସହ ସାପ୍ତାହିକ ଛୁଟି ଏବଂ ରାଜ୍ୟର ସମସ୍ତ ବସ ଷ୍ଟାଣ୍ଡର ଉନ୍ନତିକରଣ, ବସ ଷ୍ଟାଣ୍ଡରେ ବସ କର୍ମଚାରୀମାନଙ୍କ ପାଇଁ ରେଷ୍ଟ ରୁମ, ସହ ସମସ୍ତ ସାମାଜିକ ସୁରକ୍ଷାରେ ପରିବହନ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରାଯାଇଛି । ତେବେ ସରକାର ଯଥାଶୀଘ୍ର ଏହି ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।
ଇଟିଭି ଭାରତ, ରାଉରକେଲା