ରାଉରକେଲା: ହକି ମହାକୁମ୍ଭ ହେଇ ସବୁଠି ହକି କ୍ରେଜ । ଏଫଆଇଏଚ ପୁରୁଷ ହକି ବିଶ୍ବକପରୁ ଦିନ ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ଆଉ ମାତ୍ର ହାତ ଗଣତି ଦିନ ପରେ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ । ରାଉରକେଲାର ଜଣେ ଶିଳ୍ପୀ ହକି ବିଶ୍ବକପ ଟ୍ରଫିର ଏକ କେକ କରିଛନ୍ତି । ଦୁଇ ଦିନ ଧରି କଠିନ ପରିଶ୍ରମରେ ହକି ବିଶ୍ୱକପ ଟ୍ରଫି କେକ ତିଆରି କରିଛନ୍ତି ସୋନାଲି ବିଳାସିନୀ ।
ହକି ବିଶ୍ୱକପକୁ ଆଉ ମାତ୍ର ୫ ଦିନ । ହକି ବିଶ୍ୱକପ ଯେତିକି ପାଖେଇ ଆସୁଛି ସେତିକି ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ହକି ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ । ସଭିଏଁ ନିଜ ନିଜ ଢଙ୍ଗରେ ହକି ବିଶ୍ୱକପକୁ ନେଇ ନିଜର ଉତ୍କଣ୍ଠା ପ୍ରକାଶ କରୁଛନ୍ତି । ତେବେ ଏହାରି ମଧ୍ୟରେ କିଏ ହକି ବିଶ୍ୱକପ ପାଇଁ ରଙ୍ଗୋଲିରେ ଟ୍ରଫି ତିଆରି କରୁଛି ତ କିଏ ଚିତ୍ରରେ ତ ଆଉ କିଏ ୱାଲ ପେଣ୍ଟିଂରେ ଏଭଳି ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଜିନିଷ ଦେଇ ହକି ବିଶ୍ୱକପକୁ ଉତ୍ସାହ ସହ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଜଣେ ଶିଳ୍ପୀ ନିଆରା ଢଙ୍ଗରେ ତିଆରି କରିଛନ୍ତି ହକିର କେକ । ନିଜ ହାତରେ ହକି ବିଶ୍ୱକପ ଟ୍ରଫିର କେକ ତିଆରି କରିଛନ୍ତି ସୋନାଲି ବିଳାସିନୀ । ପ୍ରାୟ ୨ ଫୁଟ ବଡ଼ ଏବଂ ପାଖାପାଖି ୧୦ କେଜି ଓଜନର ଏକ କେକ ତିଆରି କରିଛନ୍ତି ସୋନାଲି । ପ୍ରାୟ ଦୁଇ ଦିନର ପରିଶ୍ରମ ପରେ ଏଭଳି ଏକ ଆକର୍ଷଣୀୟ ହକି ବିଶ୍ୱକପ ଟ୍ରଫି କେକ ତିଆରି ହୋଇଛି ।
ଏହା ବି ପଢନ୍ତୁ...ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତୀ, ଶାଢୀରେ ଆଙ୍କିଲେ ହକି ବିଶ୍ବକପ ଟ୍ରଫି
ସୋନାଲିଙ୍କ ଏହି କାରିଗରୀ ଦେଖିଲେ ଯେ କେହି ବି ତାରିଫ କରିବ । ଏହା କୌଣସି କେକ ନୁହଁ ବରଂ ଏକ ହକି ବିଶ୍ୱକପ ଟ୍ରଫିର ମଡେଲ ପରି ଲାଗୁଛି । ରାଉରକେଲା ଫର୍ଟିଲାଇଜର କଲୋନୀର ଝିଅ ସୋନାଲି ବିଳାସିନୀ ଏହି କେକକୁ ତିଆରି କରିଛନ୍ତି । ଛୋଟ ବେଳରୁ ତାଙ୍କ ରୁଚି କେକ ତିଆରି କରିବା । ବର୍ତ୍ତମାନ ସୋନାଲି ରାଉରକେଲା ସହରର ଫର୍ଟିଲାଇଜର କଲୋନୀରେ ନିଜ ପରିବାର ସହ ରହୁଛନ୍ତି । ଗ୍ରାଜୁଏସନ ଶେଷ କରିବା ପରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ନିଜେ ନିଜେ ହାତରେ କେକ ତିଆରି କରୁଛନ୍ତି । ସେ ନିଜ ହାତରେ ଘରେ ବସି କେକ ତିଆରି କରନ୍ତି । ବର୍ତ୍ତମାନ ରାଉରକେଲା ସହର କ୍ରୀଡା ଇତିହାସରେ ନିଜର ସ୍ବର୍ଣ୍ଣିମ କାହାଣୀ ରଚିବାକୁ ଯାଉଛି । ଆୟୋଜନ ହେବାକୁ ଯାଉଛି ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱକପ । ଯାହାକୁ ନେଇ ଏହି ସୁନ୍ଦର କେକ ତିଆରି କରିଛନ୍ତି ସୋନାଲି ।
ନିଆରା ରୂପରେ ହକି ବିଶ୍ୱକପର ଟ୍ରଫି ହକି ପ୍ରେମୀଙ୍କ ମନରେ ଆକର୍ଷଣ ସୃଷ୍ଟି କରିଛି । ସୋନାଲିଙ୍କ ଏହି ନିଆରା ଷ୍ଟାଇଲରେ ହକି ବିଶ୍ୱକପ ପାଇଁ ସମର୍ଥନ ଏବଂ ଉତ୍ସାହକୁ ରାଉରକେଲା ସହରବାସୀ ପ୍ରଶଂସା କରୁଛନ୍ତି । ଏହି ବିଶ୍ୱକପ ଟ୍ରଫି ସେ ଟିମ ଇଣ୍ଡିଆକୁ ଉତ୍ସର୍ଗ କରିଛନ୍ତି । ଆସନ୍ତା 13 ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ ଆରମ୍ଭ ହେବ । ପ୍ରଥମ ଦିନରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।
ଇଟିଭି ଭାରତ, ସୁନ୍ଦରଗଡ