ରାଉରକେଲା: ଖଣି ପରିବହନ ଗାଡି ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଯାହାକୁ ନେଇ କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ। ବୁଧବାର ରାତିରୁ ଆରମ୍ଭ କରି ଗୁରୁବାର ଯାଏ ଜାରି ରହିଥିଲା ରାସ୍ତାରୋକ । କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଥିଲେ ଗ୍ରାମବାସୀ । ସ୍ଥାନୀୟ ଖଣି କର୍ମକର୍ତ୍ତାଙ୍କ ବେପରୁଆ ପରିବହନ ପାଇଁ 2ଟି ନିରୀହ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । କୋଇଡା ଥାନା ଅନ୍ତର୍ଗତ ସେଗାସାହି ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ହେଲେ କରମଙ୍ଗ ଅଞ୍ଚଳର ଅଜିତ ମୁଣ୍ଡା ଏବଂ ଜଗଦୀଶ ଦେହୁରୀ ।
ଅଜଣା ପରିବହନ ଗାଡ଼ି ଧକ୍କା ଫଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କୋଇଡାରେ ବାହୁଡ଼ା ଯାତ୍ରା ଦେଖି ୩ ଜଣ ଯୁବକ ଗୋଟିଏ ବାଇକ ଯୋଗେ କଳମଙ୍ଗ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ସ୍ଥାନୀୟ ଖଣିରୁ ମାଲ ପରିବହନ ପାଇଁ ବ୍ୟବହାର ହେଉଥିବା ଏକ ଟ୍ରକ୍ ଧକ୍କା ଦେଇ 2 ଯୁବକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ସେ ରାଉରକେଲା ସ୍ଥିତ ସରକାରୀ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ସେପଟେ କ୍ଷତିପୂରଣ ଦାବିରେ 12 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଗାଁ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଭାରି ଯାନ ଜୋର ଜବରଦସ୍ତ ପରିବହନ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ଖଣିର ନିଜସ୍ୱ ପାର୍କିଂ ବି ନାହିଁ ଯାହାଫଳରେ ରାସ୍ତା ଉପରେ ଖଣି ପ୍ରଶାସନ ନିଜ ଖଣିର ପରିବହନ ପାଇଁ ଗାଡି ଛିଡା କରୁଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ତେବେ ବେପରୁଆ ଖଣି ପରିବହନ ଫଳରେ ଆଜି ମଧ୍ୟ ଦୁଇଟି ନୀରିହ ଜୀବନ ଯାଇଛି । ଅନ୍ୟ ଜଣେ ଯୁବକ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଜିଦରେ ଅଡି ବସିଥିବାବେଳେ ଖଣି ପ୍ରଶାସନ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ କ୍ଷତିପୂରଣ ନମିଳିବା ଯାଏଁ ମୃତଦେହ ଉଠିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଯଥା ସମ୍ଭବ କ୍ଷତିପୂରଣ ଯୋଗାଇ ଦିଆଯିବ ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି ତହସିଲଦାର।
ଇଟିଭି ଭାରତ, ରାଉରକେଲ