ରାଉରକେଲା: ସୁନ୍ଦରଗଡ଼ ହେମଗିର ଜାମକନି କୋଇଲା ଖଣିକୁ ନେଇ ଥମିବାର ନା ନେଉନି ବିରୋଧ । ସ୍ଥାନୀୟ ବିସ୍ଥାପିତଙ୍କ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲା ଅଖିଳ ଭାରତ ଯୁବକ ସଂଘ । ସେମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ଥଇଥାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଖୁବଶୀଘ୍ର ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସୁନ୍ଦରଗଡ ଜିଲ୍ଲା ହେମଗିର ଜାମକାନି କୋଇଲା ଖଣିକୁ ନେଇ ବିରୋଧ ଥମିବାର ନାଁ ନେଉନି । ଏହି ଅଞ୍ଚଳର ବିସ୍ଥାପିତ ମାନଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି ।ଦୀର୍ଘ ଦିନ ଧରି ବିଭିନ୍ନ ସମସ୍ୟାରେ ଯୁଝି ହେଉଥିବା ବିସ୍ଥାପିତମାନଙ୍କ ଦାବି ନେଇ କ୍ଷୋଭ ପ୍ରଦର୍ଶନ କଲା ଅଖିଳ ଭାରତ ଯୁବକ ସଂଘ । ସେମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ଥଇଥାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଏହାମଧ୍ୟ ପଢନ୍ତୁ..ଦଶନ୍ଧିର ଦୁଃଖ, ଘରଡିହ ପାଇଁ ଆଜି ବି ସଂଘର୍ଷରତ ହୀରାକୁଦ ବିସ୍ଥାପିତ
ମଙ୍ଗଳବାର ଦିନ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅଖିଳ ଭାରତ ଯୁବ ସଂଘ । ଖଣି ବିସ୍ଥାପିତ ଓ ପ୍ରଭାବିତ ପରିବାରର ସମସ୍ତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ସ୍ଥାନୀୟ ଯୁବକ ଯୁବତୀଙ୍କୁ ରୋଜଗାର ଭିତ୍ତିକ ତାଲିମ ବ୍ୟବସ୍ଥା ପ୍ରଦାନ, ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ସ୍ଥାନୀୟ ସ୍କୁଲରେ ଶିକ୍ଷା ସହଯୋଗୀ ନିଯୁକ୍ତି ଓ ପ୍ରଭାବିତ ଲୋକଙ୍କ ଜୀବନଜୀବିକାର ବିକାଶ, କୋଇଲା ପରିବହନଜନିତ ଟ୍ରାଫିକ ଭିଡ଼ ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ବସସେବା, ୧୮ ବର୍ଷରୁ ଉର୍ଦ୍ଧ୍ଵ ପୁଅ, ଝିଅଙ୍କୁ କମ୍ପାନିରେ ସ୍ଥାୟୀ ନିଯୁକ୍ତି ନହେଲେ ଏକକାଳୀନ ୧୭ ଲକ୍ଷ ପ୍ରଦାନ, ପ୍ରଦୂଷଣ ନିୟନ୍ତ୍ରଣକୁ କଡ଼ାକଡ଼ି କରିବା ଦାବିରେ ଅଖିଳ ଭାରତ ଯୁବ ସଂଘ ଜାମକାନି କୋଇଲା ଖଣି ପ୍ରକଳ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ଖଣି କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ବିକ୍ଷୋଭରେ ଶତାଧିକ ଆନ୍ଦୋଳନକାରୀ ଏକ ଶୋଭାଯାତ୍ରାରେ ଆସି ଖଣି ଫାଟକ ଆଗରେ ପ୍ରତିବାଦ ସଭା କରିଥିଲେ । ଅଖିଳ ଭାରତ ଯୁବ ସଂଘର କର୍ମୀ ଏବଂ ବିସ୍ଥାପିତ ପରିବାର ଲୋକେ ମିଶି ଏକ ବିଶାଳ ରାଲି କରିଥିଲେ ।
ତେବେ ଜାମକାନି ଖଣି ଦ୍ଵାରା ୪ଟି ଗାଁର ହଜାର ହଜାର ଲୋକେ ବିସ୍ଥାପିତ ହେଉଥିବା ବେଳେ ଅନେକ ଗାଁ ପ୍ରଭାବିତ ହୋଇଛନ୍ତି । ତେବେ ନିଜ ଭିଟାମାଟି, ଜମି ସହ ରୋଜଗାର ହରାଉଥିବା ପରିବାରର ସଦସ୍ୟଙ୍କୁ ଉପେକ୍ଷା କରି କମ୍ପାନି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ । ତେଣୁ ୧ ମାସ ମଧ୍ୟରେ ଦାବି ଉପରେ କମ୍ପାନି, ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ଚେତବାନୀ ଦେଇଛି ।
ଇଟିଭି ଭାରତ,ରାଉରକେଲା