ସୁନ୍ଦରଗଡ: ପୁଣି ଲଜ୍ଜା, ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ । ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କ ସଂପର୍କୀୟ କାକା ଦୁଷ୍କର୍ମ କରିଥିବା ଅଭିଯୋଗ । ସେପଟେ ଦିବ୍ୟାଙ୍ଗ ମହିଳା 7 ମାସର ଗର୍ଭବତୀ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଧରୁଆଡିହି ଥାନା ବାଉରୀଡିହିରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସେହି ଗ୍ରାମର ଜଣେ 60 ବର୍ଷ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ କଥା କହି ପାରୁ ନଥିବା ସାଙ୍ଗକୁ ସେ ଏକୁଟିଆ ଘରେ ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଛନ୍ତି । ପୀଡିତ ଯୁବତୀଙ୍କ ବଡ ଭଉଣୀ ଓ ମା ଦିନ ମୁଜୁରିଆ ଭାବେ କାମ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ପୀଡିତା ଯୁବତୀଙ୍କ ବଡ ଭଉଣୀ ଅଭିଯୋଗ କରିଛନ୍ତି । ତେବେ ଘଟଣା ଜଣାପଡିବାପରେ ଗାଁ ନିୟମ ଅନୁସାରେ ଗାଁରେ ଏହାର ସମାଧାନ କରିବାକୁ ପଞ୍ଚ ବୈଠକ ମଧ୍ୟ ବସିଥିଲା । ସେହିଠାରେ ଅଭିଯୁକ୍ତ ଉପସ୍ଥିତ ରହି ତାଙ୍କ ଦୋଷ ସ୍ବୀକାର କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଫେରାର ହୋଇଯାଇଛନ୍ତି ।
ତେବେ ଏହି ଘଟଣାର ସମାଧାନ ନ ହେବାରୁ ନ୍ୟାୟ ପାଇଁ ପରିବାର ଲୋକେ ଧରୁଆଡିହି ଥାନାର ଆଶ୍ରୟ ନେଇଛନ୍ତି । ଧରୁଆଡିହି ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ