ରାଉରକେଲା: ଗୋଟିଏ ହାତରେ ବ୍ୟାଗ୍ ଓ ଅନ୍ୟ ହାତରେ ଗଛ ଡ଼ାଳ । ଏପରି ଅବସ୍ଥାରେ ଟାଣ ଖରାରେ ରାସ୍ତାକଡ଼ରେ ଠିଆ ହୋଇଛି ବାଟୋଇ। ଛାଇ ଟିକେ ପାଇଁ ସାଥୀରେ ଗଛ ଡାଳକୁ ଆଣିଛି। ଏଭଳି ଦୃଶ୍ୟ ଭୟାବହ ଭବିଷ୍ୟତର ଝଲକ ମାତ୍ର। ଜଙ୍ଗଲ କ୍ଷୟ ସାଙ୍ଗକୁ ତାତି ବଢିବାରେ ଲାଗିଛି। ସେପଟେ ବିକାଶ ନାଁରେ ରାସ୍ତାକଡ଼ରୁ କଟାଯାଉଛି ବିରାଟ ବୃକ୍ଷ। ଆଉ ଯେତେବେଳେ ବାଟୋଇଟିଏ ଟାଣ ଖରାରେ ଛାଇ ଖୋଜୁଛି, ଦୂର ଦୂର ପର୍ଯ୍ୟନ୍ତ ଗୋଟିଏ ବି ଗଛ ଦୃଶ୍ୟମାନ ହେଉନି। ଏପରି ସ୍ଥିତିରେ ନିଜ କଥା ନିଜ ବୁଝି ସାଙ୍ଗରେ ବାଟୋଇ ନେଇଆସିଛି ଭଙ୍ଗା ଡାଳ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଲମସି ଗ୍ରାମରେ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।
![ଖରାରୁ ରକ୍ଷା ପାଇଁ ଗଛ ଡାଳ ଧରିଛି ବାଟୋଇ](https://etvbharatimages.akamaized.net/etvbharat/prod-images/16-06-2023/slugod-rkl-03-peopleneedshadow-dry-od10047_16062023131534_1606f_1686901534_647.jpg)
ଟାଣ ଖରା ସମୟରେ ହିଁ ଛାଇର ମହତ୍ତ୍ବ ଜଣାପଡ଼େ। ତେବେ ବର୍ତ୍ତମାନ ଲୋକେ ଛାଇ ଟିକେ ପାଇଁ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ମଣିଷ ନିଜର ବାସ ସ୍ଥାନ ସହ କଳ କାରଖାନା ଏବଂ ଖଣି ଆଦି ସ୍ଥାପନ ପାଇଁ ଜଙ୍ଗଲ କାଟି ନଷ୍ଟ କରିବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ସମ୍ପୂର୍ଣ୍ଣ ଜୀବ ଜଗତରେ ଉପରେ ପଡିଛି। ଖରା ପ୍ରବଳ ହେଉଥିବା ବେଳେ ବର୍ଷା ଓ ଶୀତର ମାତ୍ରା ଢେର କମ । ତେବେ ଖରା ଦିନରେ ଗଛ ତଳର ଛାଇ ପାଇଁ ବର୍ତ୍ତମାନ ମଣିଷ ହନ୍ତସନ୍ତ । ଶେଷରେ ହାତରେ ଗଛର ଡାଳ ଧରି ଛିଡା ହେଉଛନ୍ତି ଲୋକେ।
ଏହା ବି ପଢନ୍ତୁ- ନାଳ ଗର୍ଭରେ ଲୀନ ହେଉଛି ଚାଷଜମି, ଚିନ୍ତାରେ ଚାଷୀକୂଳ
![ରାସ୍କାକଡରେ ନାହିଁ ଗଛ, ଗଛ ଡାଳ ଧରି ବାଟୋଇ କରୁଛି ଯାତ୍ରା](https://etvbharatimages.akamaized.net/etvbharat/prod-images/16-06-2023/slugod-rkl-03-peopleneedshadow-dry-od10047_16062023131534_1606f_1686901534_853.jpg)
ପ୍ରଚଣ୍ଡ ଖରାରେ ବସ ପାଇଁ ଅପେକ୍ଷା କରୁଥିବା ବେଳେ ଛାଇ ନପାଇ ଗଛ ଡାଳକୁ ଛାଇ ଭାବରେ ବ୍ୟବହାର କରାଯାଉଛି । ଅସହ୍ୟ ତାତିରୁ ଆଶ୍ବସ୍ତି ପାଇବା ପାଇଁ ସ୍ଥାନୀୟ ଲୋକେ ଗଛ ଡାଳର ଆଶ୍ରୟ ନେଇଛନ୍ତି । ଲମସି ଗାଁ ବସଷ୍ଟାଣ୍ଡରେ କଏଦ ହୋଇଥିବା ଏହି ଫଟୋ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଯନ୍ତ୍ରଣାକୁ ଦର୍ଶାଉଛି। ପ୍ରବଳ ଖରାର ସମ୍ମୁଖୀନ ହୋଇ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏଣୁ ଛାଇ ଟିକେ ପାଇଁ ଫଟୋରେ ଥିବା ପୁରୁଷ ଓ ମହିଳା ଜଣକ ସାଥୀରେ ଗଛର ଡାଳ ଭାଙ୍ଗି ଏହାକୁ ମୁଣ୍ଡ ଉପରେ ଛତା ପରି ରଖିଛନ୍ତି।
ଗରମ ଓ ଶୁଷ୍କ ଜଳବାୟୁ ପାଇଁ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ତାପମାତ୍ରା 44 ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ବରେ ଥିବାରୁ ଏହି ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବି ଅନୁଭୂତ ହେଉଛି । ଏଭଳି ଉତ୍କଟ ପାଣିପାଗ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସୀମିତ ସମ୍ବଳ ଓ ଭିତ୍ତିଭୂମି ଥାଇ ଲମସି ଗାଁର ଲୋକେ ଗଛ ଡାଳର ଛାଇ ଖୋଜିଛନ୍ତି । ଛାଇ ଟିକିଏ ପାଇଁ କଲବଲ ହେଉଛନ୍ତି ଲୋକେ। ସାମନାକୁ ଆସିଥିବା ଏହି ମର୍ମସ୍ପର୍ଶୀ ଫଟୋରେ ରୌଦ୍ର ତାପ ନେଇ ଦେଖଣାହାରୀଟିଏ ହୃଦୟଙ୍ଗମ କରୁଛି ।
ଏହି ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ସଂଗ୍ରାମ କରୁଥିବା ମଣିଷ ସମ୍ପ୍ରଦାୟର ବିକଳ ଚିତ୍ରକୁ ଦର୍ଶାଇଛି। ଜଙ୍ଗଲ କାଟି ନଷ୍ଟ କରୁଥିବା ଦ୍ବାରା ପରିବେଶର ମଧ୍ୟ ହାନି ହେଉଥିବା ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି । ଗଛ ଡାଳର ଛାଇ ସହାୟତାରେ ପ୍ରଚଣ୍ଡ ଖରାକୁ ସହ୍ୟ କରୁଥିବା ଲମସି ଗାଁର ଲୋକେ କିଭଳି ଛାଇ ପାଇଁ ଏବଂ ମଣିଷ ବର୍ତ୍ତମାନ କିଭଳି ଛାଇ ପାଇଁ ସଂଘର୍ଷ କରୁଛି ତାହା ଦର୍ଶାଇଛି। ଏହି ଦୃଶ୍ୟ ପରିବେଶ ସୁରକ୍ଷା ନେଇ ସରକାର ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଆହ୍ବାନ ସଦୃଶ । ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ସମସ୍ତେ ବୃକ୍ଷରୋପଣ ନେଇ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ଇଟିଭି ଭାରତ, ରାଉରକେଲା