ରାଉରକେଲା: ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଅର୍ଧନିର୍ମିତ ପୋଲ । ଫଳରେ ବିପଜ୍ଜନକ ଭାବେ ନଦୀ ପାର ହେଉଛନ୍ତି ଲୋକେ । ବର୍ତ୍ତମାନ ବର୍ଷା ସମୟରେ ନଦୀ ଫୁଲୁଥିବାବେଳେ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଥିବା ଦେଖିବାକୁ ମିଳିଛି । ଏକ ବାଉଁଶ ବାଡ଼ିକୁ ସିଢି ଭାବରେ ବ୍ୟବହାର କରି ବ୍ରିଜ ଉପରକୁ ଚଢୁଛନ୍ତି ଲୋକେ । ସ୍ମାର୍ଟସିଟି ବା ବିଶ୍ୱକପ ସହର ବୋଲାଉଥିବା ରାଉରକେଲା ସହରର ଉପକଣ୍ଠରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ରାଉରକେଲା ସହର ଉପକଣ୍ଠ ଝିରପାଣି ଅଞ୍ଚଳର ବ୍ରିଜ୍ ନିର୍ମାଣ ହୋଇଥିଲେ ସୁଦ୍ଧା ଅଧଃପନ୍ତରିଆ ଅବସ୍ଥାରେ ଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଯେତେବେଳେ ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା ଲୋକେ ଭାବିଥିଲେ ଯେ ବର୍ତ୍ତମାନ ବହୁ ସୁବିଧା ସୁଯୋଗ ହେବ । ରାଉରକେଲା ସହର ସହ ସିଧାସଳଖ ସମ୍ପର୍କ ଯୋଡ଼ି ହେବ, କିନ୍ତୁ ଏହା ଆଜି ଯାଏଁ ତାହା ହୋଇପାରିଲା ନାହିଁ । ଦେଓ ନଦୀ ଉପରେ ବ୍ରିଜ ନିର୍ମାଣକୁ 6 ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହା ଅଧପନ୍ତରିଆ ହୋଇ ରହିଛି । ପିଲର୍ ଉପରେ ସ୍ଲାବ୍ ବା କଂକ୍ରିଟ ଏଯାଏଁ ନିର୍ମାଣ ହୋଇପାରିନଥିବାରୁ ବାଧ୍ୟ ହୋଇ ଲୋକେ ବାଉଁଶ ସାହାଯ୍ୟରେ ୨୦ ଫୁଟ୍ ଉପରେ ଥିବା ବ୍ରିଜ୍କୁ ଚଢ଼ି ନଦୀ ପାର୍ ହେଉଛନ୍ତି । ଏହାସହ ଛୁଆଙ୍କୁ କାନ୍ଧରେ ଧରି ବିପଜ୍ଜନକ ଭାବରେ ମହିଳାମାନେ ନଦୀ ପାର ହେଉଛନ୍ତି।
ଲହଣ୍ଡା-ମିଟ୍କୁନ୍ଦୁରୀ ସେତୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 2017-2018 ମସିହାରେ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ୭୩ ଡିସିମିଲ୍ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ । ଗୋଟିଏ ସ୍ଲାବ୍ ଓ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ମିଟ୍କୁନ୍ଦୁରୀଠାରେ 27 ଡିସିମିଲ ଓ ଖୁଣ୍ଟଗାଁଠାରେ ୪୬ ଡିସିମିଲ ଜମି ଆବଶ୍ୟକ ଥିବା ସୂଚନା ରହିଛି । କ୍ଷତିପୂରଣ ଦାବିରେ ଜମି ଅଧିଗ୍ରହଣକୁ ବିରୋଧ କରାଯାଉଥିବାବେଳେ ସମସ୍ୟାର ସମାଧାନ ହୋଇପାରୁନାହିଁ । ବିଗତ ଦିନରେ ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜମିଅଧିଗ୍ରହଣ ପ୍ରକ୍ରିୟା ପାଇଁ ପ୍ରତିଶୃତି ଦେଇଥିଲେ ବି ତାହା କେବଳ ପ୍ରତିଶୃତିରେ ରହିଯାଇଛି ।
ଏହା ବି ପଢନ୍ତୁ...ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ନୌକା ଯାତ୍ରା, ସାବେରୀ ନଦୀ ଉପରେ ବ୍ରିଜ କେବେ ?
ନୂଆଗାଁ ବ୍ଲକର ଲହଣ୍ଡା, ଅଙ୍କୁରପାଲି, ଲାଙ୍କଇ, କଦଳୀବାହାଲ, ବାଲିମୁଣ୍ଡା, ବରେଇଗଡ଼ା, ସତରା, ରଣକଟା, ବଣ୍ଡରାଏ, ମେନମେନା, ରୋକେଡ଼େଗା, ରେଙ୍ଗାଲବେଡା, ସେମେର୍ତା, ବାଲିଆପୋଷ, କନ୍ଦରକେଲା ଏବଂ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁ, ପସରା, ବିଜୁବନ୍ଧ, ହରପାଲି, କଚାରୁ, ରାମପୁର, ସିଆଲଜର, ସାନଦଲକି, ଲୋହମାଲ, ଝାରବେଡ଼ା, କର୍ମାବହାଲ, ଟାଙ୍ଗରାଣୀ, କାରିଛାପଲ, ଆଦି ଗାଁର ଲୋକେ ରାଉରକେଲାକୁ ଆସିଥାନ୍ତି । ଏସବୁ ଅଞ୍ଚଳର ଦିନ ମଜୁରିଆ, ପରିବା ବେପାରୀ, ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ ନଦୀ ପାର୍ ହୋଇ ଆସିଥାନ୍ତି । କେବଳ ଏତିକି ନୁହେଁ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ । ବର୍ଷା ଦିନେ ଏମାନଙ୍କୁ ଅନ୍ୟରାସ୍ତା ଦେଇ ଦୀର୍ଘ ୪୦ କିଲୋମିଟର ଅତିକ୍ରମ କରି ଆସିବାକୁ ପଡ଼ିଥାଏ ।
ସେପଟେ ଏନେଇ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେଇନାହାନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ । ଜମି ଅଧିଗ୍ରହଣ ବିଭାଗ ପରେ ଖୁବଶୀଘ୍ର ଏହି ବିବାଦ ଶେଷ ହୋଇଯିବ ବୋଲି ସେ କହିଛନ୍ତି । ଯଦି ଜମିର ମାଲିକ ଦିଆଯାଉଥିବା କ୍ଷତିପୂରଣ ରାଶିରେ ରାଜି ହୁଅନ୍ତି ତେବେ ୪୦ରୁ ୫୦ ଦିନ ମଧ୍ୟରେ ବ୍ରିଜ୍ କାର୍ଯ୍ୟ ଶେଷ ହୋଇଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର କିଶୋର ଚନ୍ଦ୍ର ଖଟୁଆ କହିଛନ୍ତି ।
ଇଟିଭି ଭାରତ, ରାଉରକେଲା