ରାଉରକେଲା: ଘରୁ ଟାଣିଆଣି ଦଳିଦେଲା ହାତୀ । ବୁଦା ମୂଳରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ବଣାଇ ଉପଖଣ୍ଡ କୁଳିପୋଷ ରେଞ୍ଜର ବେଲକୁଦସ୍ଥିତ ତାଲଢ଼ିପା ଗ୍ରାମରେ । ଏହି ଘଟଣାପରେ ସ୍ଥାନୀୟ ବଣାଇ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି । ତେବେ ମୃତ ବ୍ୟକ୍ତି ଜଣକ ହେଲେ ତାଳଢିପା ଗ୍ରାମର ରବି ଧୀବର ।
ସୂଚନାନୁସାରେ ଆଜି ସକାଳ ପ୍ରାୟ ୬ ଘଟିକା ସମୟରେ ସକାଳୁ ହଠାତ ଘର ବାହାରକୁ ଯାଇଥିଲେ । ବାହାରେ କୁହୁଡ଼ି ପଡ଼ିଥିବାରୁ ଘର ପାଖରେ ହାତୀ ଛିଡ଼ା ହୋଇଥିବା ଦେଖି ପାରିନଥିଲେ । ଯେତେବେଳେ ହାତୀଟି ପାଖକୁ ଆସିଥିଲା ତାକୁ ଦେଖି ଦୌଡ଼ିଥିଲେ ରବି । କିନ୍ତୁ ହାତୀ ବୃଦ୍ଧଙ୍କୁ ଟାଣି ଘୋଷାଡ଼ି ନେଇଥିଲା । ପରେ ଏକ ବୁଦା ମୂଳରେ ଚକଟି ମାରିଦେଇଥିଲା ହାତୀ ।
ତେବେ ଘର ଲୋକ ଖୋଜିଲା ପରେ ପାଇଥିଲେ ମୃତଦେହ । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସକାଳୁସକାଳୁ ଆମେ ଘର ବାହାରେ କାମ କରୁଥିବା ବେଳେ ହାତୀକୁ ଗ୍ରାମରେ ଦେଖିଥିଲେ । ହାତୀକୁ ଦୂରରୁ ଦେଖି ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଆସିଥିଲୁ । ଏପରିକି ରବି ଧୀବରଙ୍କ ଘର ଆଡ଼କୁ ହାତୀ ଯାଉଥିବାର ଦେଖିଥିଲେ ଲୋକେ । ତେଣୁ ବୃଦ୍ଧ ଜଣକ ହାତୀ ହାବୁଡ଼ରେ ପଡ଼ିଯିବାରୁ ହାତୀ ରବି ଧୀବରଙ୍କୁ ଜୀବନରୁ ମାରି ଦେଇଛି ।
ଏହି ବଣାଇ ବନାଞ୍ଚଳରେ ଦୀର୍ଘ ମାସ ହେଲା ଜଙ୍ଗଲୀ ହାତୀଙ୍କ ଉତ୍ପାତ ବଢ଼ିଚାଲିଛି । ଏନେଇ ଅତିଷ୍ଠ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ବାରମ୍ବାର ବଣାଇ ଅଞ୍ଚଳରେ ହାତୀ ଆକ୍ରମଣ ବଢୁଥିବାରୁ ବହୁ କଷ୍ଟରେ ଦେବଗଡ଼ ଜିଲ୍ଲା ଅଞ୍ଚଳକୁ ହାତୀକୁ ଘଉଡାଇଥିଲା ବନବିଭାଗ । ହେଲେ ଆଜି ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯିବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରେ ବୁଲୁଛି ହାତୀପଲ । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।
ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ବୁଲୁଛି ହାତୀ । ହାତୀର ଗାଁ ଭିତରୁ ପ୍ରବେଶ ନେଇ ବନବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥିପ୍ରତି ସଜାଗ ରହିଛି ବନବିଭାଗ ।
ବାରମ୍ବାର ଡାକବାଜି ଯନ୍ତ୍ରରେ ଗ୍ରାମବାସୀଙ୍କୁ ସତର୍କ କରାଉଛି । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛନ୍ତି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି ।
ଇଟିଭି ଭାରତ, ରାଉରକେଲା