ରାଉରକେଲା : ଜିଲ୍ଲାର 4ଟି ବ୍ଳକରେ ମାଣ୍ଡିଆ ଉତ୍ପାଦନ ଓ ବ୍ୟବହାର ସମ୍ପର୍କରେ ଲୋକଙ୍କୁ କରାଯିବ ସଚେତନ । ସେଥିପାଇଁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ।
'ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ନୂଆକରି ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକ ସାମିଲ ହୋଇଛି । ଫଳରେ ଚାଷୀଙ୍କୁ ମାଣ୍ଡିଆ ଉତ୍ପାଦନ ଏବଂ ଏହାର ବ୍ୟବହାର ସମ୍ପର୍କରେ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେମଗିରି, ବାଲିଶଙ୍କରା, ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ା ବ୍ଲକରେ ଚାଷୀଙ୍କ ମଧ୍ୟରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଆଜିଠୁ ଏକ ସଚେତନତା ରଥ ଗଡ଼ିଛି।
ଚଳିତବର୍ଷ ୪ ହଜାର କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍)ର ସହାୟତାକ୍ରମେ ୫ ବର୍ଷ ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସଂପୃକ୍ତ ୪ଟି ବ୍ଲକର ୩ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ମାଣ୍ଡିଆ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଚାଷର ସଫଳ ରୂପାୟନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଆଗ୍ରହୀ ଚାଷୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ତାଲିମ ଦେବା ଓ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଟିଏ ସାମାଜିକ ସଂସ୍ଥାକୁ ସହଭାଗୀ ରୂପେ ବଛାଯାଇଛି। ଚଳିତ ଖରିଫ୍ ଋତୁରେ ପ୍ରତ୍ୟେକ ବ୍ଲକରେ ଅନ୍ତତଃ ୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବାକୁ ଲକ୍ଷ୍ୟ ରହିଛି।
ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ରାଜ୍ୟରେ ପୋଷଣ କାର୍ଯ୍ୟକ୍ରମ ତଥା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ସାମିଲ କରାଯାଇଛି। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତା, ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି । ‘ଓଡ଼ିଶା ମିଲେଟ ମିଶନ’ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ, ନୀତି ଆୟୋଗ ଦେଶର ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ