ସୁନ୍ଦରଗଡ : ଓଡିଶା ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲଙ୍କ ସୁନ୍ଦରଗଡ ଗସ୍ତ । ଅଫିସ ଦାୟିତ୍ୱ ନେବା ପରେ ସୁନ୍ଦରଗଡକୁ ତାଙ୍କର ଏହା ହେଉଛି ପ୍ରଥମ ଗସ୍ତ । ଆଜି(ସୋମବାର) ସୁନ୍ଦରଗଡର ସର୍ବାଙ୍ଗୀନ ଉନ୍ନତି ନେଇ ସିଭିକ୍ ସୋସାଇଟି ସହିତ ସେ ଆଲୋଚନା କରିଛନ୍ତି ।
ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ସୁନ୍ଦରଗଡ ଗସ୍ତରେ ଆସି ସାଧାରଣ ନାଗରିକ ସମେତ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ସହ ପ୍ରତ୍ୟକ୍ଷ ଭାବେ ସୁନ୍ଦରଗଡରେ ଥିବା ସମସ୍ୟା ଓ ଜିଲ୍ଲା ପ୍ରଶାସନର ଭୂମିକା ନେଇ ଆଲୋଚନା କରିଛନ୍ତି । ସୁନ୍ଦରଗଡ ନାଗରିକଙ୍କୁ କୌଣସି ସୂଚନା ନଦେଇ ଜିଲ୍ଲାପାଳ ସହର ମଧ୍ୟରେ ଓ ସହର ବାହାରେ ଅବଶ୍ୟକ ନଥିବା ସ୍ଥଳେ କୋଟିକୋଟି ଟଙ୍କାର କାମ କରୁଥିବା କଥା ସାଧାରଣ ନାଗରିକମାନେ OHRC ଅଧ୍ୟକ୍ଷଙ୍କୁ ସୂଚିତ କରିବା ସହ ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
ଆଲୋଚନାରେ ଉପସ୍ଥିତ ଥିବା ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ ସହରର ସର୍ବାଙ୍ଗୀନ ଉନ୍ନତି, ସୁନ୍ଦରଗଡ ଜିଲ୍ଲା ବାଙ୍କିବାହାଲ-ଟପରିଆ ରାସ୍ତାରର ଉନ୍ନତିକରଣ ଓ ସହରକୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣକୁ ନେଇ ସୁନ୍ଦରଗଡ ଦରବା ଟାଙ୍ଗର ଉପରେ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ତେବେ ଲୋକଙ୍କ ସମସ୍ୟା ଓ ଜିଲ୍ଲାପ୍ରଶାସନ ମୁଖ୍ୟତଃ ଜିଲ୍ଲାପାଳଙ୍କ ଉପରେ ଲୋକଙ୍କ ଆସ୍ଥା ତୁଟୁଥିବା କଥା ଜଣିବା ପରେ ସେ ବ୍ୟକ୍ତିଗତ ଭାବେ ଏହି ସବୁ ସମସ୍ୟାର ସମାଧାନ ନେଇ ଚେଷ୍ଟା କରିବେ ବୋଲି କହିଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ