ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇଛି ସୁନ୍ଦରଗଡ ଜିଲ୍ଲା । ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା କୌଣସି ବି ନେତା ନବଗଠିତ କେନ୍ଦ୍ର କିମ୍ବା ରାଜ୍ୟର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ନାହାଁନ୍ତି ।
ଜିଲ୍ଲାର ରଘୁନାଥପଲ୍ଲୀ ବିଧାନସଭା ଆସନରୁ ବିଜେଡିର ସୁବ୍ରତ ତରାଇ ଓ ରାଉରକେଲାରୁ ସାରଦା ପ୍ରସାଦ ନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ହେଲେ ଉଭୟଙ୍କ ମଧ୍ୟରୁ କାହାରିକୁ ମନ୍ତ୍ରୀପଦ ମିଳିପାରି ନାହିଁ। ସେହିପରି ସୁନ୍ଦରଗଡ ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଜୁଏଲ୍ ଓରାମଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସି ନ ଥିବାରୁ ତାଙ୍କ ମନ୍ତ୍ରୀ ହେବା ଆଶା ମଉଳିଯାଇଛି ।
ସେ ଗତଥର ଓଡିଶାର ଏକମାତ୍ର ବିଜେପି ସାଂସଦ ଭାବରେ କେନ୍ଦ୍ରରେ ମନ୍ତ୍ରୀ ରହିଥିବାବେଳେ ଏଥର ତାଙ୍କୁ ଉପେକ୍ଷା କରାଯାଇଛି । ଶ୍ରୀ ଓରାମ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ପଶ୍ଚିମ ଓଡିଶାରୁ ପ୍ରଥମ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହିଥିଲେ । କେହି ବିଧାୟକ କି ସାଂସଦ କେନ୍ଦ୍ର କିମ୍ବା ରାଜ୍ୟର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ନ ଥିବାରୁ ନିରାଶ ହୋଇଛନ୍ତି ଜିଲ୍ଲାବାସୀ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ