ରାଉରକେଲା: ପିଲେଟ ପ୍ଲାଣ୍ଟ ସ୍ଥାପନକୁ ନେଇ ବିରୋଧ ପରେ ଗ୍ରାଉଣ୍ଡ ଲେବୁଲରେ ସ୍ଥିତି ସମୀକ୍ଷା କଲା ଜାତୀୟ ସବୁଜ ପ୍ରାଧିକରଣ ଟିମ । ତେବେ ରାଜ୍ୟ ସରକାରଙ୍କ ସହ ଏମ୍ ଓ ୟୁ ସ୍ୱାକ୍ଷରିତ କରି ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବା ସହ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ପୁରଣାପାଣି ପଞ୍ଚାୟତର କପଣ୍ଡ ଠାରେ କାଇ ଇଣ୍ଟର ନ୍ୟାସନାଲ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ସ୍ଥାପନ ହେବାର ଥିଲା । ହେଲେ ପିଲେଟ ପ୍ଲାଣ୍ଟ ଜାତୀୟ ସବୁଜ ପ୍ରାଧିକରଣ ଅଦାଲତର ହସ୍ତକ୍ଷେପ ପରେ ବନ୍ଦ ରହିଥିବା ବେଳେ ଏହି ଅଞ୍ଚଳକୁ ଆସି ଏକ ୫ ଜଣିଆ ତଦନ୍ତକାରୀ ଦଳ ଅଞ୍ଚଳକୁ ତଦନ୍ତ କରି ଫେରିଛନ୍ତି l
ତେବେ ଏଠାରେ ହେବାକୁ ଥିବା ଏହି ପ୍ରକଳ୍ପକୁ ବିରୋଧ କରି କିଛି ଲୋକ ସବୁଜ ପ୍ରାଧିକରଣ ଅଦାଲତରେ ଅଭିଯୋଗ କରିବାରୁ ଏଭଳି ସ୍ଥିତି ଉପୁଜିଛି । ଅଭିଯୋଗ ପରେ କାଇ ଇଣ୍ଟର୍ ନ୍ୟାସନାଲ କମ୍ପାନୀ ପକ୍ଷରୁ ହେଉଥିବା ପ୍ରକଳ୍ପରେ ବନବିଭାଗ ପକ୍ଷରୁ ଚଞ୍ଚକତା କରାଯାଇ ଜଙ୍ଗଲର କିସମ ପରିବର୍ତ୍ତନ କରାଯାଇଥିଲା । ୧୫ ଶହ ଗଛ କଟାଯିବା ନାଁରେ 5000ରୁ ଅଧିକ ଗଛ କଟାଯାଇଥିବା ଓ ତାକୁ ସେହି ସ୍ଥାନରେ ମାଟି ଖୋଲି ପୋତି ଦିଆଯାଇଥିବା ଇତ୍ୟାଦି ଅଭିଯୋଗ କରିଥିଲେ ଅଞ୍ଚଳବାସୀ । ତେବେ ଏହା ପରେ ଜାତୀୟ ସବୁଜ ପ୍ରାଧିକରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ରୋକ୍ ଲଗାଇଥିଲେ ।
ଏନେଇ ଗତକାଲି(ରବିବାର) ଓଡିଶା ମୁଖ୍ୟ ବନ ସଂରକ୍ଷକଙ୍କ ସମେତ 5 ଜଣିଆ କମିଟି ଆସି ସରଜମିନକୁ ତଦନ୍ତ କରି ଥିବାବେଳେ ସେଠାରେ ଉଭୟ ଅଭିଯୋଗକାରୀ ଏବଂ ପ୍ଲାଣ୍ଟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ତେବେ ଏହି ଜାତୀୟ ସବୁଜ ପ୍ରାଧିକରଣର ଟିମ ଅଞ୍ଚଳ ଗସ୍ତ କରି ଅଭିଯୋଗ ଶୁଣିଥିଲେ । ଅନ୍ୟପଟେ ଅଭିଯୋଗକାରୀମାନେ କହିଛନ୍ତି ଯେ, ଏହି ପିଲେଟ ପ୍ଲାଣ୍ଟ ହେବା ଦ୍ୱାରା ପଲ୍ୟୁସନ ହେବା ସହ କିଡନୀ ଜନିତ ରୋଗ ଦେଖାଯିବ । ଏଥିସହ ଅଞ୍ଚଳକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରି ଦିଆଯିବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ଆମେ ବଞ୍ଚିଥିବା ଯାଏ ଏଠାରେ ପ୍ଲାଣ୍ଟ କରାଇ ଦେବୁ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ତଦନ୍ତ ସାରି ଫେରିବା ବେଳେ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସରଜମିନ ତଦନ୍ତ ରିପୋର୍ଟ ଏନଜିଟି ମୁଖ୍ୟ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ ଏବଂ ଏହା ପରେ ବାକି ନିଷ୍ପତ୍ତି ନେଇ ମୁଖ୍ୟ ଅଫିସ ତଦନ୍ତ କରିବା ସହ ଏହା ପରେ ସବୁ କିଛି ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ରାଉରକେଲା