ରାଉରକେଲା: ପୁଣି ବିବାଦରେ ମନ୍ତ୍ରୀ ଶାରଦା ନାୟକ । କୱାଲି ଗୀତରେ ଟଙ୍କା ଉଡାଇ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ଶାରଦା ନାୟକ । ପୁଳା ପୁଳା ଟଙ୍କା ସାଙ୍ଗକୁ ମଉଜ ମଜଲିସ କରୁଥିବା ସମୟରେ ଏକ ଭିଡିଓକୁ ନେଇ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ଶାରଦା ନାୟକ । ସୁନ୍ଦରଗଡ଼ ସହର ସ୍ଥିତ ଏକ ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶାରଦା ନାୟକ ପୁଳା ପୁଳା ଟଙ୍କା ଉଡାଇବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିଛି ଦିନ ତଳେ ଷ୍ଟେଜ ଉପରେ 'ମେଁ ହୁଁ ଡନ' ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ । ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ସେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ।
ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଯେ, କେତେବେଳେ ମନ୍ତ୍ରୀ ୫ ଶହ ଟଙ୍କିଆ ବିଡା ଉଡାଉଛନ୍ତି ତ ପୁଣି କେତେବେଳେ ବିଡାରୁ ନୋଟ କାଢି ଗୋଟିଏ ପରେ ଗୋଟିଏ ଗାୟକଙ୍କ ହାତକୁ ବଢାଇ ଦେଉଛନ୍ତି । ତେବେ ମନ୍ତ୍ରୀ ପଦ ପାଇବା ପରଠାରୁ ବର୍ତ୍ତମାନ ବିବାଦରେ ରହୁଛନ୍ତି ଶାରଦା ନାୟକ । ମନ୍ତ୍ରୀ ହୋଇ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ବିବାଦୀୟ ହୋଇପଡିଛନ୍ତି ଶାରଦା ନାୟକ । ସୂଚନା ଅନୁସାରେ, 'ମୁସଲିମ ୟୁଥ୍ କମିଟି' ପକ୍ଷରୁ ସୁନ୍ଦରଗଡ଼ଠାରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଏହିଭଳି ଟଙ୍କା ଉଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆର ସେନସେସନ୍ ପାଲଟିଥିବା 'ସାଁପ ଡସେ ତୋ ଦୋସ୍ତ୍ ବଚାଏ...ଦୋସ୍ତ୍ ଡସେ ତୋ କୋନ ବାଚାଏ' ଫେମ୍ କୱାଲି ଗାୟକ ରାଇସ ଅନିସ ଶାବରୀଙ୍କ କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଖାଲି ମନ୍ତ୍ରୀ ନୁହେଁ, ମନ୍ତ୍ରୀଙ୍କ କର୍ମୀ ମଧ୍ୟ ପଛରେ ପଡି ନାହାନ୍ତି । ସେମାନେ ମଧ୍ୟ ନୋଟ୍ ପରେ ନୋଟ୍ ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡାଉଥିଲେ ତ କେତେବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବା ପରେ ବିବାଦୀୟ ହୋଇପଡିଛନ୍ତି ମନ୍ତ୍ରୀ ଶାରଦା ନାୟକ ।ମନ୍ତ୍ରୀକୁ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇଟିଭି ଭାରତ, ରାଉରକେଲା