ରାଉରକେଲା: ଆତଙ୍କ ଖେଳାଇବାରେ ଲାଗିଛି ଜଣ୍ଡିସ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳମାନଙ୍କରେ ଜଣ୍ତିସ ବ୍ୟାପୁଥିବା ଦେଖିବାକୁ ମିଳିଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଶେଷ କରି ଜିଲ୍ଲାର ଖଣି ଅଞ୍ଚଳ ଟେନସା, କୋଇଡା, ବରସୁଆଁ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ସେଲ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ଦୂଷିତ ପାଣି ଯୋଗାଣ ପାଇଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ଟେନସା ଟାଉନରୁ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେନସା ପରେ ଆଖପାଖ ଅଞ୍ଚଳକୁ ବ୍ୟାପିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ଯାଞ୍ଚ କରାଯାଉଛି । ତେବେ ଆହୁରି ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରାଯାଉଛି । ଅନ୍ୟ ପକ୍ଷରେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବରସୁଆଁ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ବ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ।
ଏଠାରେ ଅଧିକାଂଶ ପିଲାଙ୍କ ଜଣ୍ଡିସ ପଜେଟିଭ ଆସିଛି । ଏଥିସହ ୪୦ ଜଣଙ୍କ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଛି । ସେପଟେ ଖଣି ଅଞ୍ଚଳ କୋଇଡା ବ୍ଲକରେ ମଧ୍ୟ ପ୍ରାୟ ୫୦ ଜଣଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଦେଖିବାକୁ ମିଳିଛି । ବ୍ଲକର ଗୋପପୁର ସାହି ସମେତ ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ଲୋକଙ୍କୁ ଜ୍ଵର,ବାନ୍ତି ଓ ପେଟ ବ୍ୟଥା ସମସ୍ୟା ଦେଖାଦେଇଛି ।
ତେବେ ସେଲ (ଷ୍ଟିଲ ଆଥୋରିଟି ଅଫ ଇଣ୍ଡିଆ ଲିମିଟେଡ଼)ର ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ଏହି ଅଞ୍ଚଳ ଗୁଡ଼ିକୁ ପାଣି ସପ୍ଲାଇ କରାଯାଉଛି । ଉକ୍ତ ଜଳ ଦୂଷିତ ହୋଇଥିବା ହୋଇଛି, ଏହି ଦୂଷିତ ପାନୀୟ ଜଳ ବ୍ୟବହାର ଦ୍ବାରା ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟପଟେ କୋଇଡାର ପ୍ରଦୂଷିତ ନଦୀ, ନାଳପାଣିକୁ ବସ୍ତିବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।
ଜଣ୍ଡିସ ରୋଗରେ ବୟସ୍କ ବ୍ୟକ୍ତି ଅଳ୍ପ ମାତ୍ରାରେ ଆକ୍ରାନ୍ତ ହେଉଥିବା ବେଳେ ଛୋଟ କୋମଳ ମତି ଶିଶୁ ଏବଂ ୧୦ ରୁ ୧୫ ବର୍ଷର ପିଲାଙ୍କ ମଧ୍ୟରେ ଅଧିକ ଲକ୍ଷଣ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ଜିଲ୍ଲା ପ୍ରଶାସନକୁ ମଧ୍ୟ ଏନେଇ ଅବଗତ କରାଯାଇଛି । ତେବେ ଦୂଷିତ ପାଣିକୁ ନ ପିଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସେଲ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା