ରାଉରକେଲା: ସୁନ୍ଦରଗଡରେ ବାଲି ମାଫିଆଙ୍କ ରାଜ୍ । ଖୁଲମ ଖୋଲା ବିନା କାଗଜ ପତ୍ରରେ ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ପୁଢାଡିହିରେ ଚାଲିଛି ବେଧଡକ ବାଲି ଚାଲାଣ । ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ବି ବନ୍ଦ ହେଉନି ବାଲି ଚାଲାଣ । ଫଳରେ ପୁଢାଡିହି ଗ୍ରାମବାସୀ ଏକତ୍ରିତ ହୋଇ ଚୋରାରେ ବାଲି ଚାଲାଣ କରୁଥିବା ତିନୋଟି ଟ୍ରାକ୍ଟର , ଗୋଟିଏ JCB ପ୍ରୋକଲିନକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପୁଢାଡିହିରେ ଗତ ତିନି ମାସ ଧରି ଅବାଧରେ ବାଲି ଚାଲାଣ ହେଉଛି । ଏହାକୁ କେନ୍ଦ୍ରକରି ପୁଢାଡିହି ଗ୍ରାମବାସୀ ଗତ ଡିସେମ୍ବର 24ରେ ଟାଙ୍ଗରପାଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦୁଇ ରୁ ତିନି ଦିନ ଧରି ବାଲି ଚାଲାଣ ବନ୍ଦ ଥିଲା । ତେବେ ଗତ 28 ଡିସେମ୍ବରରୁ ପୂର୍ବାପରି ବାଲି ଚାଲାଣ ଆରମ୍ଭ ହୋଇଥିଲା । ବାଲି ଚାଲାଣ ଦ୍ବାରା ଲୋକଙ୍କ ଯିବା ଆସିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପୁଣି ଥରେ ଗ୍ରାମବାସୀ ଏକତ୍ରିତ ହୋଇ ଏହାର ସମାଧାନ ଲୋଡିଛନ୍ତି ।
ସେପଟେ ବାଲି ଘାଟର ଏଗ୍ରିମେଣ୍ଟ କାହା ସହ ହୋଇନାହିଁ । କାହାରିକୁ ବାଲି ଉତ୍ତୋଳନ କରିବାପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । କିମ୍ବା ଟ୍ରାନଜିଟ ପାଶ ମଧ୍ୟ କାହାରିକୁ ଇସ୍ୟୁ କରାଯାଇ ନଥିବା କଥା ରାଜସ୍ବ ନୀରିକ୍ଷକ କହିଛନ୍ତି । ଟାଙ୍ଗରପାଲି ତହସିଲଦାର , ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ପୋଲିସ ଓ ରାଜସ୍ବ ନୀରିକ୍ଷକ ବାଲି ମାଫିଆଙ୍କ ଗାଡି ଗୁଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ