ରାଉରକେଲା: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଖଚାଖଚ ଦର୍ଶକରେ ଭରି ଯିବ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ଚିଅରଅପରେ କମ୍ପିବ ମଇଦାନ । କାରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ପ୍ରଥମ ଦିନରେ ମୋଟ 4ଟି ମ୍ୟାଚ ଖେଳାଯିବ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଭାରତର ପ୍ରଥମ ମ୍ୟାଚ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରିବେ । ମ୍ୟାଚ ସମୟକୁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । ତେବେ ଆଜିର ମ୍ୟାଚ ନେଇ ଖେଳାଳି ସହ ଷ୍ଟାଡିୟମ ପ୍ରସ୍ତୁତ । ସୁରକ୍ଷା ବ୍ୟବସ୍ଥା ପାଇଁ 56 ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।
ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚ୍କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ତଦନୁଯାୟୀ ଷ୍ଟାଡିୟମ ବି ପ୍ରସ୍ତୁତ ହୋଇସାରିଲାଣି । ଉଦ୍ଘାଟନୀ ମ୍ୟାଚ୍ରେ ହକିପ୍ରେମୀଙ୍କୁ ଅଭୁଲା ଅନୁଭୂତି ଯୋଗାଇଦେବାକୁ ହକି ଇଣ୍ଡିଆ ମଧ୍ୟ ପ୍ରସ୍ତୁତ । ଉଦ୍ଘାଟନୀ ମ୍ୟାଚ୍ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ଭାରତ-ସ୍ପେନ ମ୍ୟାଚ୍ ଦେଖିବେ । ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାତି ରାଉରକେଲାରେ କଟାଇବା ପରେ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି । ବିଶ୍ବକପ୍ ପାଇଁ ରାଉରକେଲାରେ ନାହିଁ ନଥିବା ଉତ୍ସାହ । ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ସହିତ ହକିପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଆଗମନ ହେବା ଆଶା କରାଯାଉଛି ।
ଗୁରୁବାରଠାରୁ ଅନ୍ୟ ରାଜ୍ୟର ଦର୍ଶକ ରାଉରକେଲାରେ ପହଞ୍ଚିସାରିଲେଣି । ଏମାନେ ସହରର ବିଭିନ୍ନ ହୋଟେଲରେ ରହୁଛନ୍ତି । ଦର୍ଶକମାନେ ଗେଟ୍ ନଂ ୨ ଓ ୬ ଦେଇ ଷ୍ଟାଡ଼ିୟମରେ ପ୍ରବେଶ କରିବେ । ଦର୍ଶକଙ୍କ ଯାନବାହନ ପାର୍କିଂ ପାଇଁ ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ସୁରକ୍ଷିତ ଷ୍ଟାଡିୟମ ପ୍ରବେଶ ପାଇଁ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୋଟ୍ ୫୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଷ୍ଟାଡିୟମ ସମେତ ରାଉରକେଲା ସହର ସାରା ଆଲୋକ ସଜ୍ଜା କରାଯାଇଛି । ଇସ୍ପାତ ସହରର ରିଂ ରୋଡ୍ ସମେତ ସିଭିଲ ଟାଉନସିପ୍, ଉଦିତନଗର, ଛେଣ୍ଡ୍, ବାସନ୍ତୀକଲୋନି, ପାନପୋଷ ଅଞ୍ଚଳରେ ଆଖି ଝଲମଲ ଆଲୋକ ବ୍ୟବସ୍ଥା ହୋଇଛି । ରିଂ ରୋଡ୍ର ପ୍ରମୁଖ ଛକରେ ଏଲ୍ଇଡି ଟିଭିର ବ୍ୟବସ୍ଥା କରାଯାଇଛି । ଏଥିରେ ମ୍ୟାଚ୍ର ସିଧାପ୍ରସାରଣ ହେବ ।
ପ୍ରଥମ ମ୍ୟାଚରୁ ଭାରତକୁ ଜୋରଦାର ଆରମ୍ଭ କରିବାକୁ ପଡିବ । ପ୍ରଥମ ଦୁଇ କ୍ୱାର୍ଟରରେ ଭାରତୀୟ ଦଳକୁ ଆଟାକିଂ ଗେମ ଖେଳି ଗୋଲ କରିବାକୁ ପଡିବ । ଏବଂ ସବୁ ବେଳେ ଆମ ଭାରତୀୟ ଦଳ ପ୍ରଥମ ହାଫରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଟିକେ ଅଧିକ ଡିଫଣ୍ଡ କରିବା ଫଳରେ ଲୁଜ ପଏଣ୍ଟ ରହିଥାଏ ଯେଉଁଥିପାଇଁ ମ୍ୟାଚର ପରିଣାମ ଭାରତ ପକ୍ଷରୁ ବାହାରି ଯାଏ । ତେଣୁ କରି ପ୍ରଥମ ହାଫରେ ଜୋରଦାର ଟକର ଦେଇ ଖେଳି ଶେଷ ପର୍ଯ୍ୟାୟରେ ମଧ୍ୟ ଜୋରଦାର ଖେଳ ପ୍ରଦର୍ଶନ କରୁବାକୁ ପଡିବ । ଦୁଇ ଦଳ ଭାରତ ଏବଂ ସ୍ପେନ ମଧ୍ୟରେ ହେଡ ଟୁ ହେଡ ରେ ଦୁଇ ଦଳର ପ୍ରାୟ ସମାନ ରହିଛି । ଯଦି ଭାରତୀୟ ଦଳର ଫୋରୱାର୍ଡ ଖେଳାଳି ମାନଙ୍କ ସହ ଡିଫେନ୍ସ ଭଲ ଖେଳ ପ୍ରଦର୍ଶନ କରିବ ଏବଂ ପେନାଲଟି କର୍ଣ୍ଣରରୁ ଦୂରେଇ ରହିବାକୁ ପଡିବ ତାହାହେଲେ ଯାଇ ଭାରତ ଦଳ ବିଜୟ ଲାଭ କରିବ। ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।
ଇଟିଭି ଭାରତ, ସୁନ୍ଦରଗଡ