ରାଉରକେଲା: ଦୀର୍ଘ ଦିନରୁ କଂଗ୍ରେସ ଛାଡିଥିବା ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ବିଜେଡିରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ । କଂଗ୍ରେସକୁ ସମାଲୋଚନା କରିବା ସହ ଆଗାମୀ ଦିନରେ କଂଗ୍ରେସ ମୂଳପୋଛ ହେବ ବୋଲି କହିଛନ୍ତି ଜର୍ଜ ତିର୍କୀ ।
ସୁନ୍ଦରଗଡ଼ ଜିଲ୍ଲାର ରାଜନୀତି ସମୀକରଣ ପୁଣି ନୂଆ ମୋଡ଼ ନେବାକୁ ଯାଉଛି । ବିଜେଡିକୁ ପୁଣି ଫେରିବେ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ । ଆସନ୍ତା ମାସରେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ହେବ ହେରଫେର । ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ମଙ୍ଗ ଛାଡିବାର ପ୍ରାୟ ବର୍ଷେ ସମୟ ବିତିବା ପରେ ବିଜେଡିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଜର୍ଜ ତିର୍କୀ । ତେବେ ବିଜେଡିରେ ଯୋଗଦେବେ ବୋଲି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁରରୁ ଚାରି ଚାରି ଥର ବିଧାୟକ ହୋଇଥିବା ଜର୍ଜ ତିର୍କୀ ।
କଂଗ୍ରେସ ଦଳ ଛାଡିବା ପରେ ବର୍ତ୍ତମାନ ବିଜେଡିରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଜର୍ଜ ତିର୍କୀ । ଆସନ୍ତା ମାସରେ ବିଜେଡି ଦଳରେ ଯୋଗ ଦେବେ ଜର୍ଜ ତିର୍କୀ । ଜର୍ଜ କଂଗ୍ରେସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ଇଟିଭି ଭାରତ ସହ ସାକ୍ଷାତକାର କରିବା ସମୟରେ ସେ କହିଛନ୍ତି ଗୋଟିଗୋଟି କଥା । କେଉଁ କାରଣରୁ ସେ କଂଗ୍ରେସ ଛାଡିଲେ ଏବଂ ବର୍ତ୍ତମାନ କଣ ପାଇଁ ବିଜେଡି ଦଳରେ ଯୋଗଦେବେ । ଜର୍ଜ କହିଛନ୍ତି, "କଂଗ୍ରେସ ଦଳର ଯୋଗଦେବା ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ଥିଲା । ଯାହା ମୁଁ କଂଗ୍ରେସରେ ସମୟ ବିତିବା ସହ ଜାଣିପାରିଲି । କଂଗ୍ରେସରେ ଆଉ ତାଳମେଳ ନାହିଁ । ଯେଉଁଥିପାଇଁ ଦଳ ଆଗେଇ ପାରୁନାହିଁ ।"
ସେ କଂଗ୍ରେସରେ ଯୋଗଦେବା ପରଠାରୁ ୩ ବର୍ଷ ଧରି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବାରମ୍ବାର ଦଳରେ ଗୋଷ୍ଠି କନ୍ଦଳ ଲାଗି ରହିଥିଲା । ବ୍ଲକ ସ୍ତରରୁ ନେଇ ଜିଲ୍ଲା ଏବଂ ପ୍ରଦେଶ କଂଗ୍ରେସ ଭିତରେ ସବୁଠି ଲାଗି ରହିଛି ଗୋଷ୍ଠି କନ୍ଦଳ । ଯାହାକୁ ନେଇ ଜର୍ଜ ତିର୍କୀ କଂଗ୍ରେସ ଦଳ ଛାଡି ଦେଇଥିଲେ ଏବଂ ବର୍ତ୍ତମାନ ସେ ବିଜେଡିରେ ଯୋଗଦବେ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜେଡି ଦଳରେ ସାମିଲ ଥିଲେ । ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ସହ ଦଳରେ କିଛି ଭୁଲ ବୁଝାମଣା ହୋଇଥିବାରୁ ସେ ୨୦୦୪ ମସିହାରେ ବିଜେଡି ଦଳ ଛାଡିଥିଲେ । ତେବେ ସେ ବିଜେପି ଦଳକୁ ଯିବାକୁ ଇଛା ନଥିବା ନେଇ କହିଛନ୍ତି । ତେଣୁ ସେ ପୁଣି ବିଜୁ ଜନତା ଦଳରେ ସାମିଲ ହେବେ ।
ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୧୯୯୫ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଜର୍ଜ । ଏହାପରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବୀରମିତ୍ରପୁରରୁ ବିଧାୟକ ରହିଥିଲେ । ୨୦୧୯ରେ କଂଗ୍ରେସ ଦଳର ଯୋଗ ଦେଇ କଂଗ୍ରେସ ପାଇଁ ରେକର୍ଡ ସଂଖ୍ୟକ ଭୋଟ ପାଇଥିଲେ ଏବଂ ଦଳକୁ ସୁନ୍ଦରଗଡ଼ ଜିଲ୍ଲାରେ ଆଗକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦଳ ତାଙ୍କୁ ଅବହେଳା କରିଥିବା ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ଆଗାମୀ ଦିନରେ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି କହିଛନ୍ତି ଜର୍ଜ ତିର୍କୀ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ରାଉରକେଲା