ରାଉରକେଲା: ଯୋଡ଼ାରେ ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ରାଜ୍ୟରେ ଏହି ମୃତ୍ୟୁ ମାମଲା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ ବର୍ତ୍ତମାନ ଏହି ମାମଲାରେ ନୂଆ ମୋଡ଼ ଆଣିଛି । ମଦ୍ୟପାନ ସହ ନିଦ ବଟିକା ଦ୍ବାରା ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ତେବେ ଏନେଇ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ବିରୋଧରେ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ପରିବାର । ଏନେଇ ଶୁଭଶ୍ରୀଙ୍କ ବଡ଼ବାପାଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ସ୍ମୃତିରଞ୍ଜନ ବେହେରା । ଆମ ଝିଅକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ପରିବର ଲୋକେ ।
ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ଏହାରି ଭିତରେ ୨୦ ଦିନ ବିତିସାରିଛି । ତେବେ ଶନିବାର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ଜଣ ସାଥୀ ଡାକ୍ତରଙ୍କ ବିରୋଧରେ ଏହି ଏତଲା ଦେଇଥିବା କହିଛନ୍ତି ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ । ତେବେ ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟା ଆସିଥିବାବେଳେ, ଏବେ ଭିସେରା ରିପୋର୍ଟ ଆସିଛି । ମଦ୍ୟପାନ ସହିତ ନିଦ ବଟିକା ଖାଇଥିବା ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ଏଥିରୁ ସ୍ପଷ୍ଟ ହୋଇଛି । ହେଲେ ଏହା ପଛରେ ଷଡ଼ଯନ୍ତ୍ର ହୋଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ କରି ଯୋଡ଼ା ଥାନାରେ ଏତଲା ଦାଖଲ କରିଛନ୍ତି । ଯୋଡ଼ା ପୋଲିସ ଏନେଇ ଏତଲା ରେଜିଷ୍ଟର କରିଥିବା ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ...Doctor Subhashree death: ମାମଲା ରବ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ
ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଞ୍ଜନ ମାଝୀ ବ୍ରହ୍ମପୁରସ୍ଥିତ MKCG ମେଡିକାଲ କଲେଜରେ ପଢୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଶୁଭଶ୍ରାଙ୍କ ମୃତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁ ଅର୍ଥାତ ଡାକ୍ତର ଦିବ୍ୟରଞ୍ଜନଙ୍କ ହାତଥିବା ଅଭିଯୋଗ ପରେ ଏହାକୁ ନେଇ ଆମେ ଆଲୋଚନା କରିଥିଲୁ ଶୁଭଶ୍ରୀଙ୍କ ବଡ଼ ବାପାଙ୍କ ସହ । ସେ କହିଛନ୍ତି, "ପୁରା ପରିବାରରେ ଗୋଟିଏ ଝିଅ ଥିଲା ଶୁଭଶ୍ରୀ ଏବଂ ପରିବାରର ପ୍ରଥମ ଡାକ୍ତର ମଧ୍ୟ । କିନ୍ତୁ ଏଭଳି ଝିଅର ମୃତ୍ୟୁ ଖବର ଶୁଣି ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ପୋଲିସ ନିଜର କାମ ଭଲରେ କରୁ ଏବଂ ଆମ ଝିଅକୁ ନ୍ୟାୟ ମିଳୁ ।" ଅନ୍ୟପଟେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ । ଶୁଭଶ୍ରୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ରଦ୍ଦ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଦିବ୍ୟରଞ୍ଜନ ମାଝୀ ।
ଇଟିଭି ଭାରତ, ରାଉରକେଲା