ରାଉରକେଲା: ଆସିଛି ପାର୍ବଣର ଋତୁ । ଆଉ ପାର୍ବଣର ମହକକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବାବେଳେ କିଛି ଦିନର ବ୍ୟବଧାନରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ଏହାରି ମଧ୍ୟରେ ଚଳଚଞ୍ଚଳ ହୋଇ ପଡ଼ିଲାଣି ଷ୍ଟିଲ ସିଟି ରାଉରକେଲା । ଷ୍ଟିଲ ସିଟିରେ ପ୍ରତ୍ୟକ ବର୍ଷ ଦୁର୍ଗା ପୂଜାକୁ ଧୁମଧାମର ସହ ପାଳନ କରାଯାଏ । ମିନି ଇଣ୍ଡିଆ ବୋଲାଉଥିବା ଏହି ରାଉରକେଲା ସହରରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆକର୍ଷଣୀୟ ମା'ଙ୍କ ମୂର୍ତ୍ତି ସମସ୍ତଙ୍କୁ ବିମୋହିତ କରିଥାଏ ।
ରାଉରକେଲା ସେକ୍ଟର ୭ ଦୁର୍ଗା ପୂଜା କମିଟି ସହରବାସୀଙ୍କୁ ପ୍ରତିବର୍ଷ କିଛି ନୂଆ ଅନୁଭୂତି ଦେଇ ଆସିଛି । ଚଳିତବର୍ଷ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ସେକ୍ଟର ୭ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ତୋରଣ ପ୍ରସ୍ତୁତ କରୁଛି । ପ୍ରାୟ 35 ଜଣ କାରିଗର 20ରୁ 25 ଦିନ ହେବ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । କିଭଳି ସମ୍ପୂର୍ଣ୍ଣ ପେଣ୍ଡାଲକୁ ଅବିକଳ ଷ୍ଟାଡିୟମ ଭାବରେ ନିର୍ମାଣ କରାଯିବ ତାହାକୁ ନେଇ ଚାଲିଛି ଚେଷ୍ଟା ।ତେବେ ଷ୍ଟାଡିୟମ ଭିତରେ ଏଥର ମା'ଙ୍କୁ ଦର୍ଶନ କରିବେ ରାଉରକେଲାବାସୀ । ଭାରତରେ ଏଥର କ୍ରିକେଟ ବିଶ୍ୱକପ୍ ଆୟୋଜନ ହୋଇଥିବା ବେଳେ ଏହାକୁ ନେଇ କ୍ରିକେଟ ଷ୍ଟାଡିୟମର ପେଣ୍ଡାଲ ପ୍ରସ୍ତୁତ କରିଛି ଦୁର୍ଗାପୂଜା କମିଟି ।
ଏହା ମଧ୍ୟ ପଢନ୍ତୁ- ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା
ତେବେ ଏହି ନରେନ୍ଦ୍ର ମୋଦି ଷ୍ଟାଡିୟମ ପେଣ୍ଡାଲକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ବିଶ୍ୱକପ ମ୍ୟାଚ୍ ଦେଖିବାର ବ୍ୟବସ୍ଥା କରାଯିବ । ଏକ ବଡ଼ ସ୍କ୍ରିନ୍ ମାଧ୍ୟମରେ ପୂଜା ବୁଲିବାକୁ ଆସୁଥିବା ଲୋକଙ୍କୁ ମ୍ୟାଚ୍ ଦେଖିବାର ଆନନ୍ଦ ମିଳିବ । ଏହାସହ ଏହାକୁ ସମ୍ପୂର୍ଣ୍ଣ ଷ୍ଟାଡିୟମର ଲୁକ୍ ଦେବା ଲାଗି ଅଷ୍ଟ୍ରୋ ଗ୍ରାସ୍ ସହ ୧୧ ଭାରତୀୟ ଖେଳାଳୀଙ୍କ ଫିଲ୍ଡିଂ କରୁଥିବା ପ୍ରତିମୂର୍ତ୍ତି, ଦୁଇ ବ୍ୟାଟର ଓ ଅମ୍ପାୟାର ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ତେବେ କ୍ରିକେଟ୍ ଷ୍ଟାଡିୟମ ଭିତରେ ପୂଜା ପାଇବେ ଜଗତଜନନୀ ମା ଦୁର୍ଗା । ବିଶ୍ୱକପ୍ କ୍ରିକେଟକୁ ଆଖି ଆଗରେ ରଖି ନିଆଯାଇଛି ଏହି ପଦକ୍ଷେପ । ସେକ୍ଟର ୭ ପୂଜା କମିଟି ପକ୍ଷରୁ ଏହି ନରେନ୍ଦ୍ର ମୋଦି ଷ୍ଟାଡିୟମ୍ର ପେଣ୍ଡାଲ ନିର୍ମାଣ କରି ଲୋକଙ୍କୁ କ୍ରିକେଟ୍ ବିଶ୍ୱକପ୍ର ନିଆରା ଅନୁଭୂତି ଦେବାକୁ ଚାଲିଛି ଚେଷ୍ଟା ।
ଇଟିଭି ଭାରତ, ରାଉରକେଲା