ରାଉରକେଲା: ଦିନକୁ ଦିନ ଶିଳ୍ପନଗରୀରେ ନକଲି କାରଖାନାର ଗୁମର ଖୋଲୁଛି । ସୁଆଦିଆ ଖାଦ୍ୟ ନାମରେ ବିକ୍ରି ହେଉଛି ବିଷ । ରାଉରକେଲାରେ ନକଲି ବାଦାମ ଚିକି ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ । ଅପରିଷ୍କାର ବାଦାମ ଚିକିକୁ ନଷ୍ଟ କଲା ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ । ନକଲି କାରଖାନାକୁ ସିଲ କରିଛି ଆରଏମସି ସ୍ବାସ୍ଥ୍ୟ ବିଭାଗ । ବାଦାମ ଚିକି କହିଲେ ସମସ୍ତଙ୍କ ପ୍ରିୟ । କିନ୍ତୁ ବର୍ତ୍ତମାନ ବାଦାମ ଚିକି ନାମରେ ବିକ୍ରି ହେଉଛି ବିଷ ।
ଅସନା ପାଣି ସହ ଅପରିଷ୍କାର ଭାବରେ ତିଆରି କରାଯାଉଛି ବାଦାମ ଚିକି । ତେବେ ଆପଣ ମଧ୍ୟ ବାଦାମ ଚିକି ଦୋକାନରୁ କିଣି ଖାଉଛନ୍ତି କି ଯଦି ଖାଉଛନ୍ତି ତେବେ ହୋଇଯାଅନ୍ତୁ ସାବଧାନ । କାହିଁକି ନା ରାଉରକେଲା ସହରରୁ ଏକ ନକଲି ଅପରିଷ୍କାର ବାଦାମ ଚିକି କାରଖାନାରେ ଚଢ଼ାଉ କରିଛି ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ । ଖାଦ୍ୟ ନିରାପତ୍ତା ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ଓରାମ ପଡା ଅଞ୍ଚଳର ବିଶ୍ରା ଡାହାର ରୋଡ଼ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏଠାରେ ବେଆଇନ ଅପରିଷ୍କାର ଭାବରେ ଅସ୍ବାସ୍ଥ୍ୟକର ପରିବେଶରେ ବାଦାମ ଚିକି ପ୍ରସ୍ତୁତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ଖବର ପାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ
ସୂଚନା ପାଇବା ପରେ ସିଟି ମେଡିକାଲ ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ବିଜୟଲକ୍ଷ୍ମୀ ସ୍ବିଟ୍ସ ନାମକ ଏକ ବାଦାମ ଚିକି କାରଖାନାରୁ ବହୁ ପରିମାଣର ନକଲି ବାଦାମ ଚିକି ଜବତ କରାଯାଇ ସେଗୁଡ଼ିକୁ ନଷ୍ଟ କରି ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, "ଦୂଷିତ ପାଣି, ଅସନା ବାଦାମ ସହ ଅପରିଷ୍କାର ତେଲରେ ଏହା ତିଆରି ହୋଇ ବିକ୍ରି କରାଯାଉଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟ ସାମଗ୍ରୀ ନଷ୍ଟ କରିଦିଆଯିବା ସହ କାରଖାନାକୁ ସିଲ କରି ଦିଆଯାଇଛି ।
ଏହାର ଯାଞ୍ଚ କରାଯାଇ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଗତ ଦୁଇ ଦିନ ମଧ୍ୟରେ ଗୋଟିଏ ନକଲି ସସ କାରଖାନା ସହ ଆଜି ନକଲି ବାଦାମ ଚିକି କାରଖାନାକୁ ସିଲ କରିଛି ରାଉରକେଲା ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ । ତେବେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ।
ଇଟିଭି ଭାରତ, ରାଉରକେଲା